ତିହିଡି,୧୧/୦୩: ତିହିଡି ବ୍ଲକ ଅଧିନ ପାଳିଆବିନ୍ଧା ପଞ୍ଚାୟତର ଏକ ସ୍ୱୟଂ ସହାୟିକା ଗୋଷ୍ଠୀ ଧାନ କିଣା ଦାୟିତ୍ୱରେ ଥାଇ ମନମୁଖୀ କାର୍ଯ୍ୟ ଚଳାଇଛି । ଯାହାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏହାର ପ୍ରତିବାଦ କରିଛନ୍ତି । ଚାଷୀମାନେ ଏ ସଂପର୍କରେ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ, ଏଆରସିଏସ୍ ଓ ତହସିଲଦାର ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଗୋଷ୍ଠୀର ଧାନ କ୍ରୟ କାର୍ଯ୍ୟକୁ ତଦନ୍ତ କରି ଚାଷୀଙ୍କ ନିକଟରେ ପଡି ରହିଥିବା ଧାନକୁ ବିକ୍ରୀ କରାଇବାର ବ୍ୟବସ୍ଥା କରାଇବା ସହ ସେମାନଙ୍କୁ ପାଳିଆବିନ୍ଧା ସେବା ସମବାୟ ସମିତି ସହ ସଂପୃକ୍ତ କରିବାକୁ ଦାବି ଜଣାଇଛନ୍ତି । ଚାଷୀ ମାନେ ବିଗତ ବର୍ଷରେ ପାଳିଆବିନ୍ଧା ସମବାୟ ସମିତି ମାଧ୍ୟମରେ ଧାନ ବିକ୍ରୀ କରି ଉପଯୁକ୍ତ ପ୍ରାପ୍ୟ ପାଉଥିଲେ । ଚଳିତ ବର୍ଷ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଅଧିନକୁ ସେହି ଚାଷୀ ମାନେ ଚାଲି ଯାଇଛନ୍ତି ।
ଗୋଷ୍ଠୀର କର୍ମକର୍ତ୍ତା ଚାଷୀଙ୍କ ଠାରୁ କ୍ରମ ଅନୁଯାୟୀ ଧାନ କ୍ରୟ ନକରି ପ୍ରିୟାପ୍ରୀତି ତୋଷଣ କରୁଛନ୍ତି । କିଛି ଚାଷୀଙ୍କୁ ଟାର୍ଗେଟ ନାହିଁ କହି ଧାନ ନେଉ ନଥିବା ବେଳେ ପର କ୍ରମିକ ନମ୍ବରର ଚାଷୀଙ୍କ ଠାରୁ ଧାନ କ୍ରୟ କରୁଛନ୍ତି ଓ କେତେକ ଚାଷୀଙ୍କର ଧାନ ମଣ୍ଡିକୁ ନ ଆସିବା ପୂର୍ବରୁ ସେମାନଙ୍କ ଆଇସ୍କାନ କରି ନେଉଛନ୍ତି । ଚାଷୀମାନେ ଏ ସଂପର୍କରେ ଗୋଷ୍ଠୀର କର୍ମକର୍ତ୍ତାଙ୍କୁ ଭେଟି ପଚାରିବା ପରେ ସେମାନେ ବିଭିନ୍ନ ପ୍ରକାର ମିଥ୍ୟା ପ୍ରରୋଚନା ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏଥିରେ ଅସନ୍ତୋଷ ପ୍ରକାଶ କରି ଚାଷୀମାନେ ସେମାନଙ୍କ ଧାନ ନ ଉଠାଇଲେ ଅନ୍ୟ ଚାଷୀଙ୍କ ଧାନ କ୍ରୟ କରିବାକୁ ଦେବେ ନାହିଁ ବୋଲି ଗୋଷ୍ଠୀ କର୍ମକର୍ତ୍ତାଙ୍କୁ ଚେତାବନୀ ଦେଇଛନ୍ତି । ପଞ୍ଚାୟତର ଅଜୟ କୁମାର ମଲ୍ଲିକ, ବ୍ରଜକିଶୋର ବାରିକ, ଅଜୟ କୁମାର ବେହେରା, ବିକାଶ ମଲ୍ଲିକ, ଅଶ୍ୱିନୀ ରାଉତ, ପ୍ରଦୀପ କୁମାର ମଲ୍ଲିକ ପ୍ରମୁଖ ଚାଷୀମାନେ ଏ ସଂପର୍କରେ ଉଚ୍ଚ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି ।