ଛତ୍ରପୁର,୧୬/୫: କରୋନା ଭୂତାଣୁ ସମଗ୍ର ରାଜ୍ୟରେ କାୟା ବିସ୍ତାର କରି ଚାଲିଥିବା ବେଳେ ଉପକୂଳ ଓଡିଶା ପାଇଁ ଆଉ ଏକ ବିପଦ ଆଶଙ୍କା ସୃଷ୍ଟି କରିଛି ସମ୍ଭାବ୍ୟ ସାମୁଦ୍ରିକ ଝଡ ଆମ୍ପାନ । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପନେଇସାରିଛି । ୧୮ତାରିଖ ସନ୍ଧ୍ୟାରୁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି ।
ସମ୍ଭାବ୍ୟ ବାତ୍ୟା ନେଇ ଶନିବାର ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଛି ଏକ ସମୀକ୍ଷା ବୈଠକ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଗଂଜାମ ଜିଲ୍ଲାପାଳଙ୍କ ସମେତ ୧୨ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରରେ ବାତ୍ୟା ମୁକାବିଲା ନେଇ ଆଲୋଚନା କରିଥିଲେ । ବାତ୍ୟାକୁ ସଫଳତା ପୂର୍ବକ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏବେ ସମସ୍ତଙ୍କୁ ମାହାମରୀ କରୋନା ସହ ବାତ୍ୟାକୁ ମୁକାବିଲା କରିବାକୁ ପଡିବ । ତେବେ ବାତ୍ୟାରେ ଶୂନ୍ୟ ଜୀବନହାନି ପ୍ରତି ସଯତ୍ନ ହେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ଆଶ୍ରୟସ୍ଥଳୀରେ ସ୍ୱତନ୍ତ୍ର ଅଧିକାରୀ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ପଡିଲେ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବାକୁ କୁହାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ ସରିବା ପରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ଓସ୍ୱାନ ଭିଡିଓ କନଫରେନ ହଲ ଠାରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଜିଲ୍ଲାର ସମସ୍ତ ବିଡିଓ ଓ ତହସିଲଦାର ମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ବିଶେଷ କରି ଜିଲ୍ଲାର ୫ଟି ବ୍ଲକ ସମୁଦ୍ର ଉପକୂଳରେ ରହିଥିବା ହେତୁ ସେହି ଅଂଚଳର ମତ୍ସ୍ୟଜିବି ଓ ଅଂଚଳାବାସୀଙ୍କୁ କିପରୀ ସୁରକ୍ଷିତ ରଖାଯାଇପାରିବ ସେଥି ନିମନ୍ତେ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରାଯାଇଛି ।
ଜିଲ୍ଲାର ୧୦୪ଟି ବହୁମୂଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ ୨୭ଟି କ୍ୱାରେଣ୍ଟାଇନ ସେଣ୍ଟର କରାଯାଇଥିବା ବେଳେ ଯଦି ଲୋକଙ୍କୁ ସ୍ଥାନାନ୍ତର ଆବଶ୍ୟକ ପଡେ ତେବେ ସେଥି ନିମନ୍ତେ ସ୍କୁଲ ଘର ସହ ବେସରକାରୀ ଅନୁଷ୍ଠାନ ଗୃହକୁ ଚିହ୍ନଟ କରିଛି ପ୍ରଶାସନ । ସମୁଦ୍ରକୂଳିଆ ତଳିଆ ଅଂଚଳ ଲୋକେ ବାସ କରୁଛନ୍ତି । ଏମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିବା ଜଣାପଡିଛି । ଜିଲ୍ଲାରେ ରହିଥିବା ବହୁମୂଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ସମସ୍ତ ସାମଗ୍ରୀ ଅଛି କି ନାହିଁ ତାହାକୁ ବିଡିଓ ଓ ତହସିଲଦାର ମାନେ ବ୍ଲକସ୍ତରରେ ଅନୁସନ୍ଧାନ କରି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ଜିଲ୍ଲାରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି ।
ଏହାର ଦାୟିତ୍ୱ ଜଣେ ଓଏସ ଅଫିସକୁ ହସ୍ତାନ୍ତର କରାଯାଇଛି । ଆବଶ୍ୟକ ଅନୁଯାୟୀ ଜିଲ୍ଲାକୁ ଓଡ୍ରାଫ ଏବଂ ଏନଡିଆରଏଫ ଟିମ୍ ଅଣାଯିବ ସୂଚନା ମିଳିଛି । ଏହି ଭିଡିଓ କନଫରେନ୍ସିଂ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଓ ଅମୀୟ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ତଥା ଦୁଡା ପିଡି ସୁଦାମ ଚରଣ ମଣ୍ଡଳ ବିଏମସି କମିଶନର ଚକ୍ରବର୍ତ୍ତି ସିଂ ରାଠୋର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟେ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।