ସୋର,୨୬/୨- ସୋର ପୌରପାଳିକା ଅନ୍ତର୍ଗତ ଷ୍ଟେସନଛକରେ ଥିବା ଏକ ଗ୍ରାଫିକ୍ସ ଦୋକାନରେ ଜଳେଶ୍ୱର ଅବକାରୀ ସେଟଲାଇଟ ବିଭାଗ ତରଫରୁ ଚଢ଼ାଉ କରାଯାଇ ୮୦ ଗ୍ରାମ ବ୍ରାଉନସୁଗର ଜବତ କରିବା ସହିତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ ସୋର ବ୍ଲକ କେଦାରପୁର ପଂଚାୟତ କେଦାରପୁର ଗ୍ରାମର ଅମିତ ସିଂ ଦୀର୍ଘ ବର୍ଷଧରି ଏଠାରେ ଏକ ଗ୍ରାଫିକ୍ସ ଦୋକାନ କରିଛନ୍ତି । ମାତ୍ର ଏହି ଦୋକାନରେ ସେ ବ୍ରାଉନସୁଗାର ବ୍ୟବସାୟ କରୁଥିବା ଖବର ପାଇ ଜଳେଶ୍ୱର ସେଟଲାଇଟ ଅବକାରୀ ଅଧିକାରୀ ଲକ୍ଷେସାଧ୍ୱ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଏହି ଦୋକାନରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ଚଢ଼ାଉ ପରେ ଦୋକାନରେ ଥିବା ଏକ ଡ୍ର’ରୁ ୮୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଅମିତକୁ ଗିରଫ କରିଥିଲେ । ଅପରାହ୍ଣରେ ଡାକ୍ତରୀ ମାଇନା ପରେ ଅମିତକୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉ ରେ ଏଏସଆଇ ସାଲାୟ ହେମ୍ରମ,ସଞ୍ଜୀବ କୁମାର ମୁଣ୍ଡା,କନେଷ୍ଟବଳ ଜଗବନ୍ଧୁ ବାରିକ,ବରୁଣ କୁମାର ନାୟକ, ରାଜେଶ ସୁତାର ଓ ମଧୁସ୍ମିତା ମହନ୍ତ ପ୍ରମୁଖ ସାମିଲ ହୋଇଥିଲେ ।