ଆର.କେ.ଡି.ଠିକା ସଂସ୍ଥା ବିରୋଧରେ ସାଙ୍ଘାତିକ ଅଭିଯୋଗ : ଚାରିମାସ ହେଲା ମିଳୁନି ପାରିଶ୍ରମିକ, ଟଙ୍କା ମାଗିଲେ ମିଳୁଛି ମାଡ଼
ବାଲିଗୁଡା:11/5.(ସ.ବ୍ୟୁ.)ଠିକା ସଂସ୍ଥାରେ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସ୍ରାନିକେତା ପଞ୍ଚାୟତର ଦାଣ୍ଡିମାହା ଗ୍ରାମ ଠାରେ ଥିବା ଆର କେ ଡ଼ି ( R K D) ନାମକ ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥାରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଏଠାରେ ଏକ କ୍ରସର ପ୍ଲାଣ୍ଟ ବସିଛି ଏବଂ ଏହି କ୍ରସର ପ୍ଲାଣ୍ଟର ସମସ୍ତ କର୍ମଚାରୀ ବିଭିନ୍ନ ରାଜ୍ୟ ତଥା ବିଭିନ୍ନ ଜିଲାରୁ ଆସି କାମ କରୁଛନ୍ତି ।
ହେଲେ ଏହି ରାସ୍ତା ନିର୍ମାଣ କାରୀ ଠିକା ସଂସ୍ଥାର କର୍ମକର୍ତ୍ତା ମାନେ ବାହାର ରାଜ୍ୟ ତଥା ଜିଲାରୁ ଯେଉଁ ସବୁ ଶ୍ରମିକଙ୍କୁ ଏଠାକୁ କାମ କରାଇବା ପାଇଁ ଆଣିଛନ୍ତି ସେମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଶ୍ରମିକ ।ଗୋଟିଏ ପଟେ ଆଜକୁ ୪ ମାସ ବିତିଲାଣି କାମ କରାଇ ମୂଲ ଟଙ୍କା ଦେଉନାହାନ୍ତି । ଅନ୍ୟପଟେ ଶ୍ରମିକମାନେ ମୂଲ ଟଙ୍କା ମାଗିଲେ ଓଲଟି ମାଡ଼ ମରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି ।ଯାହା ଫଳରେ ଘର ଦୁଆର ଛାଡ଼ି ପେଟ ପୋଷିବାକୁ ଆସିଥିବା ଏହି ଶ୍ରମିକମାନେ ବେଶ ଭୟଭୀତ ହୋଇରହିଛନ୍ତି । ଛତିଶଗଡ଼ ରାଜ୍ୟରୁ ପ୍ରାୟ ୧୨ ଜଣ ଯୁବକ,ସମ୍ବଲପୁର ଜିଲ୍ଲାର ୪ ଜଣ ଯୁବକ ଓ କେନ୍ଦୁଝର ଜିଲ୍ଲାର ୪ ଜଣ ଯୁବକ ଏପରି ୨୦ ଜଣ ଯୁବ ଶ୍ରମିକ ଏଠି ରହିଥିବା ବେଳେ ଠିକା ସଂସ୍ଥା ପକ୍ଷରୁ ୪ ମାସର ମୂଲ ଟଙ୍କା ଶ୍ରମିକଙ୍କୁ ଦିଆଯାଉନାହିଁ ।
ଏଭଳି ସ୍ଥିତିରେ ଶ୍ରମିକ ମାନେ ନିଜ ପରିବାରକୁ ଟଙ୍କା ପଠାଇ ପାରୁନାହାନ୍ତି କିମ୍ବା ଲକ୍ ଡାଉନ୍ ଯୋଗୁଁ ନିଜେ ବି ଏଠାରୁ ମୁକୁଳି ପାରୁନାହାନ୍ତି । ଏନେଇ ସ୍ଥାନୀୟ ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ କେହି କିଛି ଶୁଣୁନାହାନ୍ତି ବୋଲି ଶ୍ରମିକ ମାନେ ଅଭିଯୋଗ କରୁଛନ୍ତି। ଏ ନେଇ ସମ୍ପୃକ୍ତ ଠିକା ସଂସ୍ଥା ର ସ୍ଥାନୀୟ ଅଧିକାରୀ ଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଅନୁପସ୍ଥିତ ଥିବାରୁ ଯୋଗାଯୋଗ ହୋଇପାରିନାହିଁ l ଏଣୁ ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଶ୍ରମିକ ମାନଙ୍କ ତରଫରୁ ଦାବୀ ହୋଇଛି l