ନିମାପଡା,୧୧ା୫ା:ରବିବାର ବିଶ୍ୱ ମାତୃତ୍ୱ ଦିବସରେ ଆମେ ଭେଟିଥିଲୁ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଜଣେ ଦୁଃଖିନୀ ମା’କୁ ।ଏହି ମହାନ ଦିନରେ ତା ଆଖିରୁ ଝରୁଥିଲା କେବଳ ଧାର ଧାର ଲୁହ,ଶେଷ ସମୟ ମୋର ଆସିଲାଣି ମୁ ମୋର ପୁଅ ବୋହୂ ନାତିନାତୁଣୀଙ୍କ ପାଖରେ ରହିବି ବୋଲି ଖନେଇ ଖନେଇ କୁହନ୍ତି ସେହି ବୃଦ୍ଧା ମା’ ଜଣକ ।ଏ ମା’ ର ଷ୍ଟୋରୀ ଶୁଣିଲେ ଆପଣ ଭାବିବେନି ଯେ,ଏହା କୈାଣସି ଚଳଚିତ୍ର ସଂଳାପ ଠାରୁ କମ ନୁହେଁ ।ଏଭଳି ଜଣେ ଅବହେଳିତ ମା’ ହେଉଛନ୍ତି ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗା ଥାନା ଅନ୍ତର୍ଗତ ଦୁର୍ଗାପୁର ଗ୍ରାମର ସୁଶୀଳା ନାୟକ(୮୮)ାସୁଶୀଳାଙ୍କ ଛାତ ଘରଦ୍ୱାର ଠାରୁ ଆରମ୍ଭ କରି ଜମିବାଡି ରହିଛି ।
ତାଙ୍କର ୪ପୁଅ ୪ଝିଅ ମଧ୍ୟରୁ ଗୋଟିଏ ପୁଅର ମୃତୁ୍ୟ ଘଟିଥିବା ବେଳେ ଗତ ୮ବର୍ଷ ହେବ ସ୍ୱାମୀ ଭାଷ୍କର ନାୟକ ଆରପାରିକୁ ଛାଡି ଚାଲି ଯାଇଛନ୍ତି ।ପରିଣତ ବୟସରେ ପୁଅ ମାନେ ଖାଇବା ପିଇବା ବୁଝିବା ସହିତ ଭଲ ଭାବେ ସେବାଶୃଶା କରିବେ ବୋଲି ସବୁ ପିତା ମାତାଙ୍କ ଭଳି ସୁଶୀଳା ମଧ୍ୟ ଆଶା ରଖିଥିଲେ ।ଆଶା ରଖିବା ବି ସ୍ୱାଭାବିକ,କାହିକି ନା ପିଲାଙ୍କୁ ଜନ୍ମ କରି ଛୋଟରୁ ବଡ କରି ମଣିଷ କରିଛନ୍ତି ପିତା ମାତା ।ହେଲେ ତାଙ୍କର ସବୁ ଆଶା ଆଜିର ସ୍ୱାର୍ଥପର ଦୁନିଅାଁରେ ଧୁଳିସାତ ହୋଇଗଲା ।ସବୁଥାଇ ମଧ୍ୟ ସୁଶୀଳା ୧ବର୍ଷ ହେବ ନିମାପଡା ଥାନା ଅନ୍ତର୍ଗତ ବଡରିକିଲୋ ଗ୍ରାମରେ ଥିବା ତାଙ୍କ ଝିଅ ଘରେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି ।୩ପୁଅ ରୋଗାରକ୍ଷମ ଥିବା ବେଳେ ଜମିବାଡି ଘରଦ୍ୱାର ଭାଗ ବଂଟାକୁ ନେଇ ମାକୁ ଘରୁ ତଡିଦେଇଥିବା କଥା ଝିଅ ମମତା ନାୟକ କହିଛନ୍ତି ।ବାପା କିଣିଥିବା ସମ୍ପତିକୁ ବଂଚିଥିବା ବେଳେ ବଡପୁଅ ନାଁରେ କରିଦେଇଥିବାରୁ ଭାଇ ମାନଙ୍କ ମଧ୍ୟରେ ମନ ମାଳିନ୍ୟ ଲାଗି ରହିଛି ।ସେହି ସଂପତିରେ ବଡପୁଅ ଘର କରି ରହିଆସୁଥିବା ବେଳେ ଅନ୍ୟ ୨ପୁଅ ଦୁର୍ଗାପୁର ଗାଁରେ ଥିବା ପୈତୃକ ଘରେ ରହୁଛନ୍ତି ।
ଘରଦ୍ୱାର ଓ ଜମିବାଡି ଭାଗବଂଟାକୁ ନେଇ ସବୁ ପୁଅ ବୃଦ୍ଧା ରୋଗିଣା ମା’ ସୁଶୀଳା ଉପରେ ରାଗ ଶୁଝାଉଥିବା ଝିଅମାନେ ପ୍ରକାଶ କରିଛନ୍ତି ।ହାତ ଗୋଡ ସବୁ ଠିକ ଥିବା ବେଳେ ସୁଶୀଳା ପୁଅ ବୋହୂ ମାନଙ୍କ ବିଭିନ୍ନ କଥାକୁ ସହ୍ୟ କରି ଦୁଃଖ କଷ୍ଟରେ ଦୁର୍ଗାପୁର ଗାଁରେ ଥିବା ନିଜ ଘରେ ଚଳୁଥିଲେ ।ବୟସ ବଢିବା ସାଙ୍ଗକୁ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଆଉ ଚାଲିପାରିଲେନି ।କେବଳ ଗୋଟିଏ ସ୍ଥାନରେ ପଡିରହିଲେ ।ପୁଅ ବୋହୂ ତାଙ୍କ ଯତ୍ନ ନେବା ପରିବର୍ତେ ଘର ବାଡି ପଟ ଚାଳିଆରେ ନେଇ ଶୁଆଇଦେଲେ ।ଖାଇବାକୁ ଠିକ ଭାବେ ଦେଲେ ନାହିଁ ଓଲଟି ମାଡ ମାରିଲେ ।୩ପୁଅ କେହି ନେଇ ମା’କୁ ନିଜ ପାଖରେ ରଖିଲେନି ।ଏମିତି କଛିଦିନ ଚାଲିବା ପରେ ବଡରିକିଲୋ ଗ୍ରାମରେ ବିବାହ କରିଥିବା ଝିଅ ମମତା ମା’କୁ ନିଜ ପାଖକୁ ନେଇ ଏକ ବର୍ଷ ହେବ ରଖି ତାଙ୍କ ସେବା କରିଆସୁଛନ୍ତି ।
ମମତାଙ୍କ ସ୍ୱାମୀ ହେଉଛନ୍ତି ଜଣେ ଦିନ ମଝୁରିଆ,ଘର ବୋଲି ପ୍ରାଧାନମନ୍ତ୍ରୀ ଆବାସ ଯୋଜନା ଅର୍ଥରେ ଗୋଟିଏ ବଖରା ଛାତ ଘର ତିଆରୀ କରିଛନ୍ତି ।ସେହି ବଖରାରେ ମମତାଙ୍କ ପରିବାର ଓ ନିଜ ମା’ ଚଳିବା କଷ୍ଟକର ହୋଇପଡୁଛି ।ଲକ ଡାଉନ ଯୋଗୁଁ ସ୍ୱାମୀ ଆଗଭଳି ପରଦ୍ୱାରକୁ ଆଉ ମଝୁରୀ ଲାଗିବାକୁ ଯାଇ ପାରୁନାହାନ୍ତି ।ଆର୍ଥିକ ସ୍ଥିତି ଭଲନଥିବାରୁ ନିଜ ପରିବାର ଚଳାଇବା ତାଙ୍କ ପାଇଁ ବହୁ କଷ୍ଟକର ହୋଇ ପଡିଲାଣି ।ମା’ ସୁଶୀଳା ଘରର ଆବଦ୍ଧ ପିଣ୍ଡାରେ ବିଛଣାରେ ପଡି ରହିଛନ୍ତି ।ଝାଡା ପରିସôା ସବୁ ସେଇଠି କରୁଛନ୍ତି ।ଖାଇବା ଦେବା ଠାରୁ ଆରମ୍ଭ କରି ମାର ସବୁ ନିତ୍ୟକର୍ମ ମମତା କରି ଆସୁଛନ୍ତି ।ସୁଶିଳାଙ୍କୁ ସରକାରଙ୍କ ପକ୍ଷରୁ ବାର୍ଦ୍ଧକ୍ୟ ଭତା ୫ଶହ ଟଙ୍କା ମିଳୁଛି ।ତାଙ୍କୁ ଆଉ ଠିକ ଭାବେ ଦେଖାଯାଉନି କି ଶୁଭୁନାହିଁ ।ପ୍ରତ୍ୟକ ଦିନ ମାର ଔଷଧ ଓ ଖାଇବା ଖର୍ଚ୍ଚ ତୁଲାଇବା ଏବେ ମୋ ପକ୍ଷେ ଆଉ ସମ୍ଭବ ହେଉନାହିଁ ବୋଲି ମମତା ପ୍ରକାଶ କରିଛନ୍ତି ।ଭାଇ ମାନଙ୍କ ଆର୍ଥିକସ୍ଥିତି ଭଲ ଥିବା ବେଳେ ବାପା ମା’ଙ୍କର ଘର ସଂପତି ସବୁ ସେମାନେ ଭୋଗ ଦଖଲ କରିଆସୁଛନ୍ତି ।
ତେବେ ସେମାନେ ମା’କୁ ହତାଦର କରିଆସୁଛନ୍ତି,ଯେତେ କହିଲେ ମଧ୍ୟ ମା’କୁ ସେମାନେ ନିଜ ପାଖକୁ ନେଉନାହାନ୍ତି ।ମୁଁ ଆର୍ଥିକ ଅନଟନ ଭିତରେ ଚଳୁଛି ମା’କୁ କେତେଦିନ ରଖିବି ଆଉ ସମ୍ଭବ ନୁହେଁ ଏବେ କଣ କରିବି ବୋଲି ଝିଅ ମମତା ଚିନ୍ତାରେ ଭାଙ୍ଗି ପଡିଛନ୍ତି ।ପୁଅ ମାନେ ନିର୍ଯାତନା ଦେଇ ଘରୁ ବାହାର କରି ଦେଇଥିବାରୁ ନ୍ୟାୟ ପାଇଁ ବୃଦ୍ଧା ମା’ ସୁଶୀଳା ଗତ ବର୍ଷ ବଳଙ୍ଗା ଥାନାରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ତାଙ୍କ କଥାକୁ ଆଦୈା କର୍ଣ୍ଣପାତ କରିନଥିଲା ।
ଶେଷ ସମୟରେ ମା ଏବେ ପୁଅ ବୋହୂଙ୍କ ପାଖକୁ ଯାଇ ରହିବାକୁ ଆକୁଳ ନିବେଦନ କରୁଥିବା ବେଳେ ମା’କୁ ନ୍ୟାୟ ମିଳୁବୋଲି ଝିଅ କହିଛନ୍ତି ।ଏଭଳି ଅବସ୍ଥାରେ ମା’କୁ ପଚାରୁନଥିବା ପୁଅ ମାନଙ୍କ ଠାରୁ ଭୋଗଦଖଲ କରୁଥିବା ପୈତୃକ ସଂପତିକୁ ଛଡାଇ ନେବା ସହିତ ସୁଶିଳାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ସ୍ଥାନୀୟ ଗ୍ରାମବାସିଙ୍କ ପକ୍ଷରୁ ଦାବୀ ହେଉଛି ।ସୁଶୀଳା ବି ଆଉ ବଂଚିବେ କେତେ ଦିନ ସବୁ କଥାକୁ ପଛରେ ପକାଇ ପୁଅ ମାନେ ନିଜ ଜନ୍ମକଲା ରୋଗିଣା ବୁଢୀ ମାକୁ ନେଇ ପାଖରେ ରଖି ତାଙ୍କର ଯତ୍ନ ନେବେ ବୋଲି ଆମେ ଆଶା କରୁଛୁ ।