ନୂଆଦିଲ୍ଲୀ: ବିହାରରେ କଂଗ୍ରେସ ଓ ଆରଜେଡି ମଧ୍ୟରେ ଆସନ ବୁଝାମଣାକୁ ନେଇ ଗତ କିଛି ଦିନ ହେଲା ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ହୋଇଛି। ଗତ କିଛି ଦିନ ହେବ ଉଭୟ ଦଳ ମଧ୍ୟରେ ଆସନ ବୁଝାମଣାକୁ ନେଇ ସସ୍ପେନ୍ସ ଲାଗି ରହିଥିଲା। କିନ୍ତୁ ବୁଧବାର ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ବିହାରରେ କଂଗ୍ରେସ ୮ଟି ଆସନ ପାଇଁ ରାଜି ହୋଇଛି। ତେବେ ମିଳିଥିବା ସୂଚନା ଅନୁଯାୟୀ, ଅନ୍ୟ ଏକ ଆସନକୁ ନେଇ ଚର୍ଚ୍ଚା ଚାଲିଛି।
କଂଗ୍ରେସକୁ ମିଳିଥିବା ବିହାରର ୮ଟି ଆସନ ହେଉଛି କିଶନଗଞ୍ଜ, କଟିହାର, ଭାଗଲପୁର, ସମସ୍ତିପୁର, ମୁଜାଫରପୁର, ବେତିଆ, ପାଟନା ସାହିବ ଏବଂ ସାସାରାମ। ଏହି ଆସନ ବ୍ୟତୀତ ଶିଓହର କିମ୍ବା ମହାରାଜଗଞ୍ଜ ମଧ୍ୟରୁ ଆଉ ଗୋଟିଏ ସିଟ୍ କଂଗ୍ରେସକୁ ମିଳିପାରେ ।
ଅପରପକ୍ଷେ, ପପୁ ଯାଦବଙ୍କ ଦଳ ଜନଅଧିକାର ପାର୍ଟିର କଂଗ୍ରେସରେ ମିଶ୍ରଣ ପରେ ପୂର୍ଣ୍ଣିଆକୁ ନେଇ କଂଗ୍ରେସ ଓ ଆରଜେଡି ମଧ୍ୟରେ ବିବାଦ ଦେଖାଦେଇଥିଲା | ଆରଜେଡି ଏହି ଆସନ କଂଗ୍ରେସକୁ ଦେବାକୁ ଚାହୁଁ ନଥିଲା | ପପୁ ଯାଦବ ଏହି ଆସନରେ ଲଢିବାକୁ ଚାହୁଁଥିଲେ | ତେବେ ବୁଧବାର ଅନୁଷ୍ଠିତ ବୈଠକ ପରେ ପୂର୍ଣ୍ଣିଆ ଆସନରେ ଜେଡିୟୁ ଛାଡିଥିବା ବୀମା ଭାରତୀଙ୍କୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନିଆଯାଇଥିଲା | ବୀମା ଭାରତୀଙ୍କୁ ଆରଜେଡି ଚିହ୍ନ ଦେବାକୁ ରାଜି ହୋଇଥିଲେ।