ଆଇପିଏଲ୍ ୨୦୨୪ : ସନରାଇଜର୍ସ ହାଇଦ୍ରାବାଦ୍ ୩ ୱିକେଟ ହରାଇ ୨୭୮ ରନ୍ , ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିଜୟ ଲକ୍ଷ୍ୟ ୨୭୯ ରନ୍
ହାଇଦ୍ରାବାଦ୍: ଆଇପିଏଲ୍ ୨୦୨୪ର ଅଷ୍ଟମ ମ୍ୟାଚ୍ରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ୍ (ଏସଆରଏଚ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ମୁହାଁମୁହିଁ ହୋଇଛନ୍ତି। ହାଇଦ୍ରାବାଦ୍ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ସନରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କୁମିନ୍ସ ଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ଆଇପିଏଲ ଇତିହାସରେ ରେକର୍ଡ ରନ୍ କରିଛି। ଧାର୍ଯ୍ୟ ୨୦ ଓଭରରେ ସନରାଇଜର୍ସ ହାଇଦ୍ରାବାଦ୍ ୩ ୱିକେଟ ହରାଇ ୨୭୮ ରନ୍ କରିଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିଜୟ ଲକ୍ଷ୍ୟ ୨୭୯ ରନ୍ ରହିଛି।
ହେନରିଚ୍ କ୍ଲେସନଙ୍କ ଅପରାଜିତ ଧୂଆଁଧାର ବ୍ୟାଟିଂ ଦ୍ବାରା ସନରାଇଜର୍ସ ହାଇଦ୍ରାବାଦ୍ ଏକ ବିଶାଳ ସ୍କୋର କରି ପାରିଛି। ହେନରିଚ୍ ୩୪ ବଲ୍ରେ ୮୦ ରନ୍ କରିଥିବାବେଳେ ଟ୍ରାଭିସ୍ ହେଡ୍ ୨୪ ବଲ୍ରେ ୬୨ ରନ୍ ଏବଂ ଅଭିଷେକ ଶର୍ମା ୨୩ ବଲ୍ରେ ୬୩ ରନ୍ କରିଥିଲେ। ସେହିପରି ମୟଙ୍କ ଅଗ୍ରୱାଲ ୧୧ ରନ୍ କରିଥିବାବେଳେ ଆଡେନ୍ ମାକ୍ରମ ୨୮ ବଲ୍ରେ ୪୨ ରନ୍ କରିଥିଲେ।
ପୂର୍ବରୁ ୨୦୧୩ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୫ ୱିକେଟରେ ୨୬୩ ରନ୍ର ବିଶାଳ ସ୍କୋର ପୁଣେ ୱାରିୟର୍ସ ବିରୋଧରେ କରିଥିଲା। ଏବେ ସନରାଇଜର୍ସ ହାଇଦ୍ରାବାଦ୍ ଏହି ରେକର୍ଡ ଭାଙ୍ଗଛି।