ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୨୪ତମ ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଉଛି। ଏଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହୋଇଛନ୍ତି। ଟସ୍ ଜିଣି ପଞ୍ଜାବ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ମିଳିଲା ପରେ ସୂର୍ଯ୍ୟକୁମାରଙ୍କ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୯୫ ରନ୍ ସଂଗ୍ରହ କରିଛି। ଫଳରେ ପଞ୍ଜାବକୁ ୧୯୬ ରନ୍ର ବିଜୟ ଲକ୍ଷ୍ୟ ମିଳିଛି। ମୁମ୍ବାଇର ଖେଳାଳିମାନେ ଯେତେବେଳେ ନିମ୍ନମାନର ବ୍ୟକ୍ତିଗତ ସ୍କୋର କରି ଆଉଟ୍ ହେଉଥିଲେ, କ୍ବିଣ୍ଟନ୍ ଡି’ କକ୍ ଏବଂ ନମନ ଓଝା ମୋର୍ଚ୍ଚା ସମ୍ଭାଳି ଥିଲେ। ଡି’ କକ୍ ଶତକ ହାସଲ କରିଥିଲା ବେଳେ ନମନ ଅର୍ଦ୍ଧଶତକ ମାରିଥିଲେ।
ଡି’ କକ୍ ଅପରାଜିତ ୧୧୦ ରନ୍ ସଂଗ୍ରହ କରିଥିଲେ। ସେ ୫୯ଟି ବଲ୍ ଖେଳି ୮ଟି ଚୌକା ଏବଂ ୭ଟି ଛକା ମାରିଥିଲେ। ସେହିପରି ନମନ ୩୧ଟି ବଲ୍ ଖେଳି ୩ଟି ଚୌକା ଏବଂ ୩ଟି ଛକା ମାରି ୫୦ ରନ୍ ସଂଗ୍ରହ କରିଛନ୍ତି। ବିସ୍ଫୋରକ ବ୍ୟାଟର ହାର୍ଦ୍ଦିକ ପାଣ୍ଡ୍ୟା ୧୨ଟି ବଲ୍ ଖେଳି ୧୪ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଛକା ସାମିଲ ଥିଲା।
ମୁମ୍ବାଇ ପାଇଁ ରିୟାନ ରିକେଲ୍ଟନ ଏବଂ ଡି’ କକ୍ ବ୍ୟାଟିଂ ଆରମ୍ଭ କରିଥିଲେ। କିନ୍ତୁ ମୁମ୍ବାଇର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ସ୍କୋର ୧୨ ରନ୍ରେ ରିୟାନ ରିକେଲ୍ଟନ ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆଉଟ୍ ହୋଇଥିଲେ। କିନ୍ତୁ ତୃତୀୟ ୱିକେଟ୍ରେ ଡି’ କକ୍ ଏବଂ ନମନ ୧୨୨ ରନ୍ର ଭାଗିଦାରୀ କରିଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଡି’ କକ୍ ୪୧ ରନ୍ର ଭାଗିଦାରୀ କରିଥିଲେ।
