ରିଲାଏନ୍ସ ଫାଉଣ୍ଡେସନ୍ର ଜ୍ୟୋତି ୟାରାଜୀ ରଚିଲେ ଇତିହାସ : ସ୍ୱର୍ଣ୍ଣ ପଦକ ହାସଲ ସହିତ ଏସିଆନ୍ ଇନ୍ଡୋର ଆଥ୍ଲେଟିକ ଚମ୍ପିଆନସିପରେ ସ୍ଥାପନ କଲେ ନୂଆ ଜାତୀୟ ରେକର୍ଡ
ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନର ଆଥଲେଟ ଜ୍ୟୋତି ୟାରାଜୀ ସମ୍ପ୍ରତି ତେହରାନ (ଇରାନ)ରେ ଚାଲିଥିବା ଏସିଆନ୍ ଇନ୍ଡୋର ଆଥଲେଟିକ୍ସ ଚମ୍ପିଆନସିପରେ ୬୦ ମିଟର ହର୍ଡଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି, ଯାହା ଏହି ଚମ୍ପିଆନ୍ସିପରେ ଭାରତର ପ୍ରଥମ ପଦକ ହୋଇଛି ଏବଂ ତାହାସହିତ ସେ ୮.୧୨ ସେକେଣ୍ଡର ନୂଆ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ଏହି ପ୍ରଦର୍ଶନ ଜ୍ୟୋତିଙ୍କ ପାଇଁ ୨୦୨୪ ସିଜନରେ ବଡ ସଫଳତା ହୋଇଛି, ଯିଏ କାଜାଖସ୍ତାନରେ ଗତବର୍ଷର ସଂସ୍କରଣରେ କରିଥିବା ନିଜର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି । କାଜାଖସ୍ତାନରେ ସେ ରୌପ୍ୟ ପଦକ ବିଜେତା ହୋଇଥିଲେ ।
ତାଙ୍କର ଏହି ସଫଳତା ସମ୍ପର୍କରେ ପ୍ରକାଶ କରି ଜ୍ୟୋତି ୟାରାଜୀ କହିଛନ୍ତି, “ଏସିଆନ୍ ଇନ୍ଡୋର ଆଥଲେଟିକ୍ସ ଚମ୍ପିଆନସିପ୍ ଏକ ଅତ୍ୟନ୍ତ ଉତ୍ତମ ଅଭିଜ୍ଞତା ଥିଲା । ଏହା ସିଜନ୍ର ଆରମ୍ଭ ଏବଂ ସିଜନ୍ର ପ୍ରଥମ ଆନ୍ତର୍ଜାତିକ ପ୍ରତିଯୋଗିତା, ତେଣୁ ମୁଁ ମୋର ପ୍ରଦର୍ଶନକୁ ନେଇ ଅତ୍ୟନ୍ତ ଖୁସି ଅଛି । ଏହି ସ୍ୱର୍ଣ୍ଣ ପଦକ ମୋ ପାଇଁ ସ୍ୱତନ୍ତ୍ର ହୋଇଛି । ଗତ ସପ୍ତାହରେ ହାମ୍ଷ୍ଟ୍ରିଙ୍ଗରେ ଯନ୍ତ୍ରଣା ପାଇଁ ମୁଁ ସାମାନ୍ୟ ଚିନ୍ତିତ ଥିଲି, କିନ୍ତୁ ରିଲାଏନ୍ସ ଫାଉଣ୍ଡେସନରେ ମୋ ଟିମ୍ ଏବଂ ଫିଜିଓଥେରାପିଷ୍ଟମାନେ ମୋତେ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାକୁ କଠିନ ପରିଶ୍ରମ କରିଥିଲେ । ଏହି ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତ ହେବା ଦିଗରେ ମୋତେ ସହାୟତା କରିଥିବାରୁ ଓଡ଼ିଶା ସରକାର ଏବଂ ରିଲାଏନ୍ସ ଫାଉଣ୍ଡେସନକୁ ମୁଁ ଧନ୍ୟବାଦ ଜଣାଉଛି । ଚଳିତ ସିଜନ୍ ଯେଉଁଭଳି ଭାବରେ ଆରମ୍ଭ କରିଛି, ସେଥିନେଇ ମୁଁ ଖୁସି ଅଛି ।”
ପ୍ରତିଯୋଗିତା ନିମନ୍ତେ ଜ୍ୟୋତି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନ୍ଡୋର ଆଥଲେଟିକ ଷ୍ଟାଡିୟମରେ ତାଲିମ ନେଇଥିଲେ । ସେ ମଧ୍ୟ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ଦ୍ୱାରା ଆୟୋଜିତ ପ୍ରଥମ ଇନ୍ଡୋର ଆଥଲେଟିକ୍ସ ଟେଷ୍ଟ ମିଟରେ ଅଂଶଗ୍ରହଣ କରିଥିଲେ । ୨୦୨୩ରୁ ଜ୍ୟୋତି ଉତ୍କର୍ଷ ପ୍ରଦର୍ଶନ କରିଆସୁଛନ୍ତି, ଯେଉଁବର୍ଷ ସେହ ଏସିଆନ୍ ଗେମ୍ସର ୧୦୦ ମିଟର ହର୍ଡଲ୍ସରେ ରୌପ୍ୟ ପଦକ ହାସଲ କରିବା ସହିତ ଏସିଆନ୍ ଚମ୍ପିଆନସିପରେ ଦୁଇଟି ପଦକ ବିଜେତା ହୋଇଥିଲେ ।
ତାଙ୍କର ପ୍ରୟାସ ସମ୍ପର୍କରେ ପ୍ରକାଶ କରି ଜେମ୍ସ୍ ହିଲିଅର୍, ଆଥଲେଟିକ୍ସ ଡାଇରେକ୍ଟର, ରିଲାଏନ୍ସ ଫାଉଣ୍ଡେସନ କହିଛନ୍ତି, “ଏହା ବାସ୍ତବରେ ଜ୍ୟୋତିଙ୍କ ପାଇଁ ଉତ୍ତମ ଫଳାଫଳ ଥିଲା । ଭୁବନେଶ୍ୱରରେ ଆମେ ୩ ସପ୍ତାହର ତାଲିମ ଶିବିର କରିଥଲୁ । ଏହା ବେଶ୍ ସହାୟକ କାର୍ଯ୍ୟକ୍ରମ ଥିଲା । ସେ ସିଜନ୍କୁ ଉତ୍ତମ ଫଳାଫଳ ସହିତ ଆରମ୍ଭ କରିବାକୁ ଚାହିଁଥିଲେ । ତାଲିମ ସମୟରେ ତାଙ୍କ ଠାରେ ସାମାନ୍ୟ ଆଘାତ ଲାଗିଥିଲା, ସେଭଳି ଗୁରୁତର ନଥିଲା କିନ୍ତୁ ସେ ଏକ ସପ୍ତାହ ପର୍ଯ୍ୟନ୍ତ ତାଲିମରେ ଭାଗ ନେଇପାରିଲେ ନାହିଁ । ଏବେ ସେ ଫର୍ମକୁ ଫେରିଆସିଛନ୍ତି । ଏହା ତାଙ୍କ ପାଇଁ ଉତ୍ତମ ପ୍ରତିଯୋଗିତା ଥିଲା ।”
ଜ୍ୟୋତି ୨୦୨୧ରେ ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକସ କାର୍ଯ୍ୟକ୍ରମକୁ ମନୋନୀତ ହୋଇଥିଲେ ଏବଂ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକସ ହାଇ ପରଫରମାନ୍ସ ସେଣ୍ଟରର ଅନ୍ତେବାସୀ ଆଥଲେଟ ହୋଇଛନ୍ତି ଏବଂ ସମ୍ପ୍ରତି ସେ ଉଲ୍ୱିରେ ଜିଓ ଇନଷ୍ଟିଚ୍ୟୁଟରେ ଅବସ୍ଥିତ ଆରଏଫ୍ ନ୍ୟାସନାଲ ଆଥଲେଟିକ୍ସ ସେଣ୍ଟରରେ ରହୁଛନ୍ତି ।
ମୋଟ ୧୫ ଜଣିଆ ଭାରତୀୟ ଆଥଲେଟ ଦଳ ମଧ୍ୟରୁ ଏସିଆନ୍ ଇନ୍ଡୋର ଚମ୍ପିଆନ୍ସିପ୍ରେ ଭାରତରୁ ପ୍ରତିନିଧିତ୍ୱ କରୁଥିବା ୭ ଆଥ୍ଲେଟ ଉଲ୍ୱି(ସ୍ପ୍ରିଣ୍ଟ ଓ ଥ୍ରୋ), କୁନୁର (ଏଣ୍ଡ୍ୟୁରାନ୍ସ) ଏବଂ ଭୁବନେଶ୍ୱର (ଜମ୍ପ୍ସ୍) ଆଦି ସମସ୍ତ ଆର୍ଏଫ ସେଣ୍ଟରଗୁଡିକରେ ତାଲିମ ନେଉଛନ୍ତି ।
ଏସିଆନ୍ ଇନ୍ଡୋର ଆଥଲେଟିକ୍ସ ଚମ୍ପିଆନ୍ସିପରେ ଅଂଶଗ୍ରହଣ କରିବାକୁ ଯାଉଥିବା ରିଲାଏନ୍ସ ଫାଉଣ୍ଡେସନର ଅନ୍ୟ ଆଥଲେଟମାନେ ହେଲେ ଇ ବାରାନିକା (ପୋଲ୍ ଭଲ୍ଟ), ଭିକେ ଏଲାକ୍କିୟାଦାସାନ (୬୦ ମିଟର), ତେଜସ ଅଶୋକ ଶୀର୍ଷେ (୬୦ ମିଟର ହର୍ଡଲ୍ସ), ମହମ୍ମଦ ଅଫଜଲ୍ (୮୦୦ ମିଟର), ଗୁଲବୀର ସିଂ (୩୦୦୦ ମିଟର) ଏବଂ ଧନବୀର (ସଟ୍ ପୁଟ୍) ।