Odisha news

ରଜ ଓ ଆଧୁନିକ ଓଡିଶା

0

ଉକ୍ରଳୀୟ ପରମ୍ପରାରେ ବାରମାସରେ ତେର ପର୍ବ ପାଳନ କରାଯାଏ I ଉକ୍ରଳର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଏହି ପୋଡପିଠା ସବୁଦିନେ ଭୋଗ ହେବାର ବିଧି ଅଛି । ସେହିପରି ନୂଆ ବିବାହିତା ଝିଅମାନଙ୍କ ଶାଶୁଘରୁ ରଜଭାର ଆସିଥାଏ । ରଜପର୍ବରେ ରଜପାନ ନଥିଲେ ସବୁକିଛି ମାନ୍ଦାମାନ୍ଦା ଲାଗେ । ମୁଖ୍ୟତଃ ରଜରେ କେହି କୁଣିଆ ଆସିଲେ ନବବଧୂମାନେ ପାନଥାଳି ଧରି ରଜପାନ ଦେବାର ବିଧି ରହିଛି । ସେ ଛୋଟ ଝିଅଟିଏ ହେଉ କି ପରିଣତ ବୟସରେ ଉପନୀତ ହୋଇଥିବା ବୁଢାବୁଢୀ ସମସ୍ତଙ୍କ ପାଟିରେ ରଜପାନ ।

ତାସଖେଳ ହେଉ କି ଲୁଡୁଖେଳ, ସବୁଠି ରଜପାନର ଆସର । ରଜଦୋଳି ଯେପରି ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ ସେହିପରି ପୁଅମାନେ କବାଡି ଖେଳିବା ପରମ୍ପରା କାହିଁ କେତେକାଳରୁ ଚଳିଆସୁଛି । ଗାଁ ପଡିଆରେ କବାଡି ଖେଳ ଦେଖିବା ପାଇଁ ଗ୍ରାମବାସୀ ବେଶ୍ ଭିଡ ଜମାଇଥାନ୍ତି । କବାଡି ପ୍ରତିଯୋଗିତା ଜିତିବା ପାଇଁ ଗାଁ ଗାଁ ମଧ୍ୟରେ କବାଡି ପ୍ରତିଯୋଗିତା ଚାଲେ । ରଜ ସମୟରେ ଏଭଳି ପ୍ରତିଯୋଗିତା ଲୋକଙ୍କ ମଧ୍ୟରେ ଏକତା ସୃଷ୍ଟି କରେ ।

ରଜ ହେଉଛି ଏକ ଆନନ୍ଦମୟ ପର୍ବ । ଆବାଳବୃଦ୍ଧବନିତା ସମସ୍ତଙ୍କ ମନପ୍ରାଣରେ ଏହା ଉଲ୍ଲାସ ଭରିଦିଏ । ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟ ବୃଦ୍ଧି କରିବାରେ ରଜପର୍ବର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରଜପର୍ବ ପୂର୍ବ ଓଡିଶାରେ ତିନିଦିନ ଧରି ପାଳନ କରାଯାଉଥିବା ବେଳେ ପଶ୍ଚିମ ଓଡିଶାରେ ଏହା ପାଞ୍ଚଦିନ ଧରି ପାଳନ କରାଯାଏ । ତେଣୁ ଏହାକୁ ପଞ୍ଚପର୍ବ ମଧ୍ୟ କୁହାଯାଏ । ଏହି ପର୍ବ ଖାଲି ଓଡିଶାରେ ନୁହେଁ, କେରଳରେ ‘ଓନାମ୍’ ଓ ରାଜସ୍ଥାନରେ ‘ତାଜ୍’ ପର୍ବ ଭାବରେ ପାଳନ କରାଯାଏ । ସେ ଦୃଷ୍ଟିରୁ ରଜପର୍ବକୁ ଏକ ଅବସର ବିନୋଦନ ପର୍ବ କହିଲେ ଭୁଲ୍ ହେବନାହିଁ । କିନ୍ତୁ ଆଧୁନିକତାର ଛାପରେ ଧୀରେଧୀରେ ଏହି ଗଣପର୍ବ ତାର ସ୍ମୃତିଚିହ୍ନ ହରେଇବାକୁ ବସିଲାଣି ।

ବିଜ୍ଞାନର ଅଗ୍ରଗତି ଓ ସଭ୍ୟତାର ବିକାଶ ସାଙ୍ଗକୁ ଅବକ୍ଷୟମୁଖୀ ସଂସ୍କୃତି ଭିତରେ ରଜପର୍ବ ତାର ଚମକ ହରାଉଛି । ବିଦେଶରେ ରହୁଥିବା ଲୋକମାନେ ଏବେ ରଜରେ ଗାଁକୁ ଆସିବାକୁ ଆଗ୍ରହ ଦେଖାଉନାହାଁନ୍ତି । ଟେଲିଭିଜନ, କମ୍ପ୍ୟୁଟର, ମୋବାଇଲ ଯୁଗରେ ଏବଂ କ୍ରିକେଟ୍ ଖେଳର ପ୍ରସାର ଓ ପ୍ରଚାରର ଭିଡ ଭିତରେ ଆଉ ପୂର୍ବଭଳି କବାଡି ଓ ବାଗୁଡି ଖେଳ ଦେଖିବାକୁ ମିଳୁନି । ଆଜିର ଆଧୁନିକ ନାରୀମାନେ ରଜ ସମୟରେ ଚୁଲିରେ କଦଳୀପତ୍ରରେ ପୋଡପିଠା ପ୍ରସ୍ତୁତ କରିବା ଅପେକ୍ଷା ଓଭାନ୍ରେ କାଜୁ କିସମିସ୍ ଦିଆ କେକ୍ କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଆଜିର ପାଠୋଇ ଝିଅମାନେ ରଜରେ ଗାଁ ବରଗଛ, ଆମ୍ବଗଛରେ ଦୋଳି ଖେଳିବା ଅପେକ୍ଷା ପାର୍କରେ ଲାଗିଥିବା ଦୋଳିକୁ  ଅଧିକ ପସନ୍ଦ କରୁଛନ୍ତି । ଆଉ ରଜଦୋଳି ଗୀତ କଥା ନକହିବା ଭଲ ।

ଏବେ ଚିନ୍ତା କରିବାର ବେଳ ଆସିଛି । ଅପସଂସ୍କୃତିର ପଶାପାଲିରୁ ଆମ ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବାକୁ ହେବ । ଅବଶ୍ୟ ଏବେ ଗାଁ ଗଣ୍ଡାରେ ଓ ସହରର କେତେକାଂଶରେ ରଜପର୍ବକୁ ଉଜ୍ଜୀବିତ ରଖିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । କେତେକ ସଂଗଠନ ଏଥିପାଇଁ ଆଗେଇ ଆସିଛନ୍ତି । ଓଡିଶାର ସଂସ୍କୃତିକୁ ବଜାୟ ରଖିବା ପାଇଁ ସେମାନଙ୍କ ତରଫରୁ ପୋଡପିଠା, କବାଡି, ରଜଦୋଳି ଓ ଗୀତ, ତାସଖେଳ ଇତ୍ୟାଦିର ପ୍ରତିଯୋଗିତା ଆୟୋଜନ କରାଯାଉଛି । କିଛି ପରିମାଣରେ ଏହା ଆମ ହଜିଯାଉଥିବା ପରମ୍ପରାକୁ ରକ୍ଷା କରିବାରେ ସକ୍ଷମ ହୋଇପାରିଛି । ସେଥିପାଇଁ ସେମାନେ ପ୍ରଶଂସାର ପାତ୍ର । ମାତ୍ର ଏହି ଅଭିଯାନରେ ଆମେ ସମସ୍ତେ ସାମିଲ ହେବା ଦରକାର ।

Leave A Reply

Your email address will not be published.