Odisha news

ଗଣପର୍ବ ରଜ: କାଲି ଓ ଆଜିର

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଓଡିଶାରେ ପାଳନ କରାଯାଉଥିବା ପର୍ବମାନଙ୍କ ମଧ୍ୟରେ ରଜ ଏକ ପ୍ରମୁଖ ପର୍ବ । ଏହାକୁ ‘ପାର୍ବଣର ରାଣୀ’ ବୋଲି କୁହାଯାଏ । ଅନ୍ୟାନ୍ୟ ପର୍ବମାନଙ୍କ ପରି ଏଥିରେ କୌଣସି ଦେବାଦେବୀଙ୍କୁ ପୂଜା କରାଯାଏ ନାହିଁ । ତଥାପି ରଜରେ ଦୋଳିଖେଳର ଆସର, ଗାଁ ଦାଣ୍ଡର ସେଇ କବାଡି ଖେଳ, ତାସଖେଳ, ରଜପାନ ଓ ଘରେ ଘରେ ପ୍ରସ୍ତୁତ ହେଉଥିବା ପୋଡପିଠା ସମସ୍ତଙ୍କୁ ତିନିଦିନ କାଳ ଏକ ନୂଆ ଦୁନିଆ ଭିତରେ ହଜାଇ ଦିଏ । ସ୍ନେହ ସୌହାର୍ଦ୍ଦ୍ୟ ଓ ଭାଇଚାରା ମଧ୍ୟରେ ସାମାଜିକ ଭିତ୍ତିଭୂମିକୁ ଦୃଢକରେ । ଆତ୍ମୀୟତା ଓ ବୁଝାମଣାର ବାତାବରଣ ସୃଷ୍ଟି କରେ । ତେଣୁ, ଏହି ଗଣପର୍ବ ରଜକୁ ଓଡିଶାବାସୀ ଉକ୍ରଣ୍ଠା ଓ ଆବେଗର ସହ ଅପେକ୍ଷା କରିଥାନ୍ତି । ଏହି ପର୍ବଟି ମୁଖ୍ୟତଃ ଝିଅମାନଙ୍କର ପର୍ବ । ତଥାପି ପୁଅମାନେ ମଧ୍ୟ ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବାକୁ ଆଗେଇ ଆସିଥାନ୍ତି ।

ଆମ ସଂସ୍କୃତି, ପରମ୍ପରା ଓ ଚଳଣିର ନିଚ୍ଛକ ପ୍ରତୀକ ହେଉଛି ରଜପର୍ବ । ପ୍ରକୃତି ସହିତ ଜୀବନକୁ ସରସ ସୁନ୍ଦର କରିବାର ସୁଯୋଗ ଦେଉଥିବା ଏହି ପର୍ବର ମୁଖ୍ୟ ଆକର୍ଷଣ ହେଉଛି ଦୋଳିଖେଳ । ରଜଦୋଳି ସହିତ ରଜଗୀତର ମଜା ନିଆରା । ରଜଦୋଳିରେ ବସିବା ମାତ୍ରେ ପ୍ରତ୍ୟେକ ଓଡିଆ ଝିଅଙ୍କ କଣ୍ଠରୁ ଆପେ ଆପେ ବାହାରି ଆସେ –

“ବନସ୍ତେ ଡାକିଲା ଗଜ

ବରଷକେ ଥରେ ଆସିଛି ରଜ

ଆସିଛି ରଜଲୋ …

ଘେନି ନୂଆ ସଜବାଜ ।”

ରଜଦୋଳିରେ ବସି କୁଆଁରୀମାନଙ୍କ ସୁଲଳିତ କଣ୍ଠରୁ ଭାସି ଆସୁଥିବା ଏହି ଗୀତ ମନେ ପକାଇଦିଏ ରଜମଉଜକୁ । ପାର୍ବର ରାଣୀ ସେ । ଭରିଦିଏ କୁଆଁରୀ ମନରେ ଅଫୁରନ୍ତ ଆନନ୍ଦ । ଦୋଳିର କଟମଟ ଶବ୍ଦରେ ପ୍ରକମ୍ପିତ ହୁଏ ଗାଁତୋଟା । ବିଶେଷକରି ପଟା ଦୋଳିରେ ଦୁଇସାଙ୍ଗ ପେଙ୍ଗାମାରି ଦୋଳିକୁ ଉପରକୁ ଉଠାଇବା ଦୃଶ୍ୟ ବେଶ୍ ଉପଭୋଗ୍ୟ ହୁଏ । ତା’ସାଙ୍ଗକୁ ପୁଣି କୁଆଁରୀ କଣ୍ଠରୁ ଶୁଭେ –

“ରଜଦୋଳି କଟମଟ

ମୋ ଭାଇ ମୁଣ୍ଡରେ ସୁନା ମୁକୁଟ

ସୁନା ମୁକୁଟ ଲୋ …..

ଦିଶୁଥାଏ ଝଟଝଟ ।”

ଆଜି କିନ୍ତୁ ସେ ଦୋଳି ନାହିଁ କି ସେ ଗୀତ ନାହିଁ । ଶୁଣାଯାଉନି ସେଇ କେଁକଟର ଶବ୍ଦ । ସବୁଠି ଯେପରି ଗୋଟିଏ ବ୍ୟତିକ୍ରମର ଆବହାୱା ।ଉକ୍ରଳୀୟ ପରମ୍ପରାରେ ବାରମାସରେ ତେର ପର୍ବ ପାଳନ କରାଯାଏ । ଓଡିଶାର ପର୍ବ ବିଭିନ୍ନ ପରମ୍ପରାର ପ୍ରତିନିଧିତ୍ୱ କରିଥାଏ । ଏପରି ଏକ ପର୍ବ ହେଉଛି ରଜ ଯାହା ମାଟି ସହ ମଣିଷକୁ ଯୋଡିଥାଏ । କାରଣ କନ୍ୟାଟି ରଜୋବତୀ ହେଲେ ଯେପରି ଭାବରେ ବ୍ୟବହାର ପାଇଥାଏ ଠିକ୍ ସେହିପରି ଏହି ରଜପର୍ବରେ ଆମର ଧରଣୀମାତାଙ୍କୁ ସେପରି ବ୍ୟବହାର ଦେଖାଯାଏ ।

ତେଣୁ ରଜସ୍ୱଳା ନାରୀ ପରି ମାଟି ମା’କୁ ଏହି ସମୟରେ ବିଶ୍ରାମ ଦିଆଯାଏ । ଉଦେ୍ଦଶ୍ୟ ହେଲା, ନାରୀମାନେ ରଜସ୍ୱଳା ପରେ ଯେପରି ସନ୍ତାନ ସୃଷ୍ଟି ପାଇଁ ସକ୍ଷମ ହୋଇଥାନ୍ତି, ଠିକ୍ ସେହିପରି ଆଦ୍ୟ ଆଷାଢର ବାରିପାତରେ ମାତା ବସୁଧା ଫସଲ ଉତ୍ପାଦନ ପାଇଁ ସକ୍ଷମ ହୋଇଥାଏ । ଜ୍ୟେଷ୍ଠ ମାସର ଶେଷଦିନକୁ ପହିଲି ରଜ, ଆଷାଢ ମାସର ପ୍ରଥମ ଦିନଟି ରଜସଂକ୍ରାନ୍ତି ଓ ତାପର ଦିନକୁ ଭୂଇଁ ନଅଁଣ ବା ଭୂମିଦହନ କୁହାଯାଏ । ଚତୁର୍ଥଦିନ ବସୁମତି ସ୍ନାନ ପାଳନ ପରେ ଏହି ପର୍ବ ଶେଷ ହୁଏ । ରଜପର୍ବରେ ପୋଡପିଠାର ମଜା ନେବାକୁ କେହି ଭୁଲନ୍ତି ନାହିଁ । ଘରେ ଘରେ ରଜ ପୋଡପିଠା ପ୍ରସ୍ତୁତ ହୁଏ । ଏଇ ପୋଡପିଠା ବେଶ୍ ରୁଚିକର । ପିଠା ତିଆରି  କରାଯାଇ ବନ୍ଧୁବାନ୍ଧବ ଓ ସାଇପଡିଶାଙ୍କୁ ଦିଆଯାଇଥାଏ ।

Leave A Reply