ସୁଭେନ୍ଦ୍ର ପଟ୍ଟନାୟକ : କଥାରେ ଅଛି ଓଡ଼ିଆ ଘରେ “ବାର ମାସରେ ତେର ପର୍ବ “l ଏଥିରୁ ଆମେ ଜାଣୁଯେ ଓଡିଶା ଗୋଟିଏ ଉତ୍ସବ ମୁଖର ରାଜ୍ୟ l ପ୍ରତ୍ୟକଟି ପର୍ବକୁ ଓଡିଶା ଲୋକମାନେ ଆନନ୍ଦ ଓ ଉଲ୍ଲାସର ସହିତ ପାଳନ କରନ୍ତି l “ରଜ” କହିଲେ ଏପରି ଗୋଟିଏ ପର୍ବକୁ ବୁଝାଇ ଥାଏ ଯାହା କେବଳ ଅନୁଭବ କରିବା ଆମ ପାଇଁ ଯଥେଷ୍ଟ ନୁହେଁ ,ଏହାକୁ ପାଳନ କରିବା ନିହାତି ଜରୁରୀ l ଗାଁ ରୁ ନେଇ ସହର ପର୍ଯ୍ୟନ୍ତ ସବୁଆଡେ କୋଳାହଳ ଖେଳିଯାଏ l ଗରିବ ଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତଙ୍କ ଘର ଆନନ୍ଦରେ ପୁରୀ ଉଠେ l ଓଡ଼ିଆ ମାନଙ୍କର ରଜ ହେଉଛି ଗୋଟିଏ ପ୍ରଧାନ ପର୍ବ l ଯିଏ ଯୋଉଠି ଥାଆନ୍ତୁନା କାହିଁକି ରଜରେ ସମସ୍ତେ ଘରକୁ ଫେରିଥାନ୍ତି l
ଏହି ସମୟରେ କୁହାଯାଏ ଯେ ମା ଧରିତ୍ରୀଙ୍କର ଋତୁଶ୍ରାବ ହୋଇଥାଏ l ତେଣୁ ଚାଷୀ ମାନେ ହଳ ଲଙ୍ଗଳକୁ ତ୍ୟାଗ କରନ୍ତି ଓ ସମସ୍ତ ଚାଷ କାର୍ଯ୍ୟକୁ ବନ୍ଦ କରନ୍ତି l ରଜ ପର୍ବ ୩ ଦିନ ଧରି ପାଳନ କରା ଯାଇଥାଏ,ପ୍ରଥମ ଦିନଟି ପହିଲି ରଜ ,ଦ୍ୱିତୀୟ ଦିନଟି ରଜ ସଂକ୍ରାନ୍ତି ଓ ତୃତୀୟ ଦିନଟି ଭୂମି ଦହନ l ଓଡ଼ିଶାର ଲୋକମାନେ ପୃଥିବୀ ମାତାଙ୍କୁ ଭୂଦେବୀ ବୋଲି କହିଥାନ୍ତି l ଜ୍ୟେଷ୍ଠ ମାସର ଗରମ ଦିନ ସାରିବା ପରେ ଆଷାଢ଼ ମାସର ଆଗମନରେ ରଜ ପର୍ବ ପାଳିତ ହୁଏ l ଆଗକାଳରେ ଲୋକକଥା ଅନୁସରେ ଯେପରି ଋତୁସ୍ରାବ ହେଲାପରେ ଗୋଟିଏ ଝିଅ ପୂର୍ଣ୍ଣ ନାରିତ୍ୱକୁ ଲାଭ କରେ ଅର୍ଥାତ ସେ ମାତୃତ୍ଵ ଲାଭକରିବା ପାଇଁ ଉପଯୁକ୍ତ ହୋଇଯାଇଛି ସେହି ପରି ଧରଣୀ ମା ଙ୍କର ରଜ ପରେ ଭଲ ଫସଲ ଉତ୍ପନ ହୁଏବୋଲି ଧାରଣା ରହିଛି l ତେଣୁ ଏହି ପର୍ବ ଟିକୁ ଝିଅ ମାନେ ତିନିଦିନ ଧରି ପାଳନ କରନ୍ତି l
ପୋଡପିଠା ,ରଜପାନ ଓ ରଜଦୋଳି -ରଜ ଦିନ ସକାଳୁ ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ଶତଶୃଙ୍ଗାର ରେ ବିମଣ୍ଡିତ ହୋଇ ରଜ ପାଳିଥାନ୍ତି l ଘରେ ଘରେ ପିଠାପଣାରେ ପୁରୀ ଉଠିଥାଏ l ରଜର ମୁଖ୍ୟ ଆକର୍ଷଣ ହେଲା ପୋଡପିଠା ,ପ୍ରତେକ ଓଡ଼ିଆଙ୍କ ଘରେ ପୋଡପିଠା ତିଆରୀ ହେବl ଏକ ପରମ୍ପରା ରହିଛି l ପ୍ରତ୍ୟକ ଲୋକ ପୀଠlର ଆଦାନ ପ୍ରଦାନ ମଧ୍ୟ ନିଜ ଭିତରେ କରିଥାନ୍ତି l ଝିଅମାନେ ଘର ଘର ବୁଲି ପିଠା ଖାଇଥାନ୍ତି ,ଏହି ଖୁସିର ଏକ ଅଲଗା ମାଧୁର୍ଯ୍ୟ l ରଜପାନର ପସରା ସମସ୍ତଙ୍କର ଘରେ ମେଲିଥାଏ l ଘରେ ଘରେ ରଜପାନର ଅଲଗା ଅଲଗା ପ୍ରକାରର ପ୍ରସ୍ତୁତି କରାଯାଏ l ଏହାର ଖୁସି ମଧ୍ୟ ଅତ୍ୟନ୍ତ ନିଆରା l ଯାହାକୁ ଦେଖିବା ପାନ ଖଣ୍ଡେ ଚୋବାଇ ଓଠକୁ ନାଲି ଟହଟହ କରି ବୁଲୁଥିବ,ତା ସହିତ ରଜଦୋଳି ଖେଳ ସେହି ଖେଳରେ କେତେ ଯେ ବାଦବିବାଦ ତାହା ଏକ ଅଲଗା ପ୍ରକାରର ସୁଖ l ରଜଦୋଳି ପାଖରେ କେତେ ଗୀତର ଧ୍ୱନି ମଧ୍ୟ ଶୁଭୁଥିବ,ଶୁଣିଲେ ଲାଗିବ ସତେ ଯେପରି ରଜବତୀ ମାନେ ଆତ୍ମବିଭୋର ହୋଇ ଅନ୍ୟ ଏକ ଦୁନିଆରେ ହଜି ଯାଇଛନ୍ତି l ସନ୍ଧ୍ୟା ନଇଁ ଆସିବା ପୂର୍ବରୁ ଝିଅ ମାନେ ରାତ୍ରି ଭୋଜନକୁ ସମାପ୍ତ କରନ୍ତି l
ଏହି ତିନିଦିନରେ ଝିଅମାନେ କିମ୍ବା ସ୍ତ୍ରୀଲୋକ ମାନେ କୌଣସି ଗୃହ କାର୍ଯ୍ୟ କରନ୍ତି ନାହିଁ l ନା ଶିଳରେ ମସଲା ବଟାହବ ନା ପନିକିରେ ପାରିବ କଟା ହବ ଏ ସବୁ କାର୍ଯ୍ୟକୁ ରଜରେ ବନ୍ଦ କରିବା କେଉଁ ପୁରୁଣା କାଳରୁ ରହି ଆସିଛି l ତିନିଦିନ ଧରି ଝିଅମାନେ ମଧ୍ୟ ଖାଲି ପାଦରେ ଚାଲନ୍ତି ନାହିଁ l ସନ୍ଧ୍ୟା ଗଡ଼ିଲା ପରେ ଆରମ୍ଭ ହୋଇଯାଏ ଲୁଡୁ ଓ ତାସର ପସରା l ରଜବତୀ ମାନେ ରଜଘରେ ବସି ଆନନ୍ଦ ନିଅନ୍ତି ଏହି ପ୍ରତ୍ୟକଟି ମୁହୁର୍ତରେ l ଗାଁ ଦାଣ୍ଡରେ ରାତିରେ ହୁଏ ପୁଚିଖେଳ ସେ ସୁଖ ଅତି ନିଆରା l ଏମିତି ଭାବରେ କଟିଯାଏ ତିନିଦିନ l ତିନିଦିନ ପରେ ଆସେ ବସୁମତୀ ସ୍ନାନ l ସକାଳୁ ଉଠି ଝିଅମାନେ ଗାଧୋଇ ସାରି ବସୁନ୍ଧରାଙ୍କୁ ବିଧିବିଧାନ କ୍ରମେ ପୂଜା କରନ୍ତି l ମାଟିକୁ ଗୋବରରେ ଲିପି ପିଢା ଉପରେ ଶିଳପୁଆ ,ପନିକି ଓ କଜଳପାତି ରଖିଥାନ୍ତି ,ଧୂପଦୀପ ଓ ନୈବେଦ୍ୟ ଓ ଫୁଲ ଦେଇ ପୂଜା କରନ୍ତି l ତାପରେ ମୁଣ୍ଡିଆ ମାରି ପର ବର୍ଷକୁ ଅପେକ୍ଷା କରନ୍ତି l