ପିଣ୍ଟୁ ସାହୁ : ପାର୍ବଣର ରାଜ୍ୟ ଓଡିଶା l ବାରମାସ ଯାକ ବିଭିନ୍ନ ପ୍ରକାରର ପର୍ବ ପାଳନ କରାଯାଏ l ସବୁ ପର୍ବର କିଛିନା କିଛି ନିଜସ୍ୱ ବିଶେଷତ୍ୱ ଅଛି l ଓଡ଼ିଶାର ପ୍ରସିଦ୍ଧ ପର୍ବ ରଜ ଅଟେ l ରଜର ଏକ ସୁନ୍ଦର ବିଶେଷତ୍ୱ ରହିଛି l ଏହି ପର୍ବଟିକୁ ଝିଅମାନେ ପାଳନ କରିଥାନ୍ତି l ଆଷାଢ଼ ମାସର ଆଦ୍ୟ ଭାଗରେ ପୃଥିବୀ ବିମଣ୍ଡିତ ହୁଏ ରଜର ପର୍ସରେ,ମେଘର ଝିପିଝିପି ବୁନ୍ଦା ଆରମ୍ଭ ହୋଇ ଯାଇଥାଏ l ତେଣୁ ଚାଷୀ ଅପେକ୍ଷା କରି ରହିଥାଏ ଚାଷ କାର୍ଯ୍ୟକୁ l ଚାଷ କାର୍ଯ୍ୟ ଆରମ୍ଭ ହେଲାପରେ ଧରଣୀ ରାଣୀ ସବୁଜିମାରେ ହସିଉଠିବ l କିନ୍ତୁ ଏହା ଆରମ୍ଭ କରିବା ପୂର୍ବରୁ ବସୁଧାଙ୍କୁ ରଜବତୀ ହେବାକୁ ପଡିବ l କାରଣ ରଜବତୀ ହେଲାପରେ ବସୁଧା ମା ଫସଲ ଉତ୍ପାଦନରେ ଜଗତକୁ ଖାଦ୍ୟ ଦେଇପାରିବେ l ଓଡ଼ିଶାରେ ରଜପର୍ବର ଏହି ବିଶେଷତ୍ୱ ଯୋଗୁ ପାଳିତ ହୁଏ l
ଆମ ସମାଜରେ ଝିଅ ମାନଙ୍କୁ ଦେବୀଙ୍କ ଆଖ୍ୟା ଦିଆ ଯାଇଥାଏ l ତେଣୁ ଝିଅମାନେ ରାଜପର୍ବକୁ ପାଳନ କରନ୍ତି l ଏହି ପର୍ବ ତିନିଦିନ ଧରି ପାଳନ କରାଯାଏ l ପ୍ରଥମ ଦିନଟି ପହିଲି ରଜ,ଦ୍ୱିତୀୟ ଦିନଟି ରଜ ସଂକ୍ରାନ୍ତି ଓ ତୃତୀୟ ଦିନଟି ଭୂ ଦାହ l ଏହି ତିନିଦିନ ଝିଅମାନେ ନୂଆ ପୋଷାକ ପିନ୍ଧି ଶୃଙ୍ଗାର ହୋଇ ଆନନ୍ଦରେ ରଜକୁ ଉପଭୋଗ କରନ୍ତି l ରଜ ସମୟରେ ଝିଅମାନେ ଘରର କୌଣସି କାମ କରନ୍ତି ନାହିଁ ,ଖାଲି ପାଦରେ ଚାଲନ୍ତି ନାହିଁ ,ଘରେ ପରିବl କଟାକଟି ଓ ଶିଳରେ ବଟାବଟି ହୁଏ ନାହିଁ ,ଚାଷୀ ହଳ ଲଙ୍ଗଳ ତ୍ୟାଗକରି ଚାଷ କାର୍ଯ୍ୟକୁ ବନ୍ଦକରେ ଓ ବିଦେଶରେ ଯିଏ ଯୋଉଠି ରୁହନ୍ତୁନା କାହିଁକି ଘରକୁ ବାହୁଡ଼ି ଅସିଥାଆନ୍ତି l
ରଜ ସମୟରେ ପୋଡପିଠା ,ରଜପାନ ଓ ରଜଦୋଳି ମୁଖ୍ୟ ଆକର୍ଷଣ l ରଜରେ ସମସ୍ତଙ୍କ ଘର ପିଠାପଣାରେ ପୁରିଉଠେ ,ନାନା ଜାତିର ପିଠା ଯେମିତି ପୋଡପିଠା ,କାକରାପିଠା ,ଚକୁଳିପିଠା ,ଓ ଖିରି କିସମ କିସମର ବ୍ୟଞ୍ଜନ l ପାଚିଲା ଫଳର ସମ୍ଭାରର ବାସ୍ନାରେ ଘର ମହକି ଉଠେ l ପାଚିଲା ଆମ୍ବ ଓ ପାଚିଲା ପଣସର ସୁଗନ୍ଧ କିଛି ନିଆରା ,ଲାଗେ ସତେ ଯେମିତି ରଜର ଆଗମନରେ ସୁଗନ୍ଧ ଖେଳି ଯାଉଛି l ଆମ ଓଡ଼ିଶାରେ ପରମ୍ପରା ଅନେକ ରହିଛି l ନୂଆ ବୋହୂମାନେ ବାହାହୋଇ ଆସିଲା ପରେ ତାଙ୍କ ଘରୁ ରଜଭରା ଓ ରଜପାନ ଆସିଥାଏ ,ଯାହା ସମସ୍ତଙ୍କ ଘରେ ବଣ୍ଟା ହୁଏ l ଯଦି ଘରକୁ କେହି ବନ୍ଧୁ ବାନ୍ଧବ ଆସିଥାନ୍ତି ତେବେ ନୂଆବୋହୂ ରଜପାନ ସମସ୍ତଙ୍କୁ ଦେଇଥାଏ l
ରଜଦୋଳି ଖେଳିବା ଏକ ଆନନ୍ଦ ମୁଖର ସମୟ l ସବୁ ଝିଅମାନେ ଦୋଳି ପାଖରେ ଏକାଠି ହୋଇ ଦୋଳି ଖେଳିଥାନ୍ତି ଓ ପରମ୍ପରା ଅନୁସାରେ ରଜର ପ୍ରସିଦ୍ଧ ଗୀତ ଗାଇଥାନ୍ତି –
“ବନସ୍ତେ ଡାକିଲା ଗଜ ,
ବରଷକେ ଥରେ ଆସିଛି ରଜ ,
ଆସିଛି ରଜଲୋ ,
ଘେନି ନୂଆ ସଜବାଜ l ”
ଏହି ଗୀତଟିରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ପ୍ରକମ୍ପିତ ହୁଏ l
ରଜରେ ଗାଁ ଗହଳିରେ ବିଭିନ୍ନ ପ୍ରକାରର ଖେଳର ପ୍ରତିଯୋଗିତା ହୋଇଥାଏ l ସେଥି ମଧ୍ୟରୁ କବାଡି ଖେଳ ,ପୁଚିଖେଳ ଓ କ୍ୟାରମ ଖେଳ ମୁଖ୍ୟତ ଖେଳାଯାଏ l ଗାଁ ଦାଣ୍ଡରେ ଘରେ ଘରେ ତାସ ଓ ଲୁଡୁର ପସରା ମେଲିଥାଏ l ଝିଅମାନେ ପୁଚିଖେଳର ପ୍ରତିଯୋଗିତା ନିଜନିଜ ମଧ୍ୟରେ କରିଥାନ୍ତି l ଯଦି ଘରକୁ କେହି ବନ୍ଧୁ ବାନ୍ଧବ ଆସିଛନ୍ତି ତେବେ ସେମାନେ ମଧ୍ୟ ଏହି ଖେଳ ଗୁଡିକର ଅନ୍ତର୍ଭୂକ୍ତ ହୁଅନ୍ତି ,ଘରେ ଘରେ ପିଠାପଣାର ଆଦାନ ପ୍ରଦାନ ହୁଏ l ଏହି ତିନିଦିନ ଓଡ଼ିଶାର ଘରେ ଘରେ ଏକ ମହୋତ୍ସବ ପରି ପାଳିତ ହୁଏ l
ତିନିଦିନ ପରେ ଆସେ ବସୁମତୀ ସ୍ନାନ l ଏହି ଦିନ ଝିଅମାନେ ସକାଳୁ ଗାଧୋଇ ବସୁନ୍ଧରା ମାଙ୍କୁ ପୂଜା କରିଥାନ୍ତି l ପିଢା ଉପରେ ଶିଳପୁଆ ,ପନିକି ,ଦା ଓ କଟୁରି ଇତ୍ୟାଦି ରଖି ହଳଦୀ ପାଣିରେ ଗାଧୋଇ ଦିଅନ୍ତି l ତାପରେ ଚନ୍ଦନ,ସିନ୍ଦୁର,ଫୁଲ ,ଧୂପଦୀପ ଓ ନୈବେଦ୍ୟ ଦେଇ ପୂଜା କରିଥାନ୍ତି l ଶେଷରେ ମୁଣ୍ଡିଆ ମାରି ବସୁଧା ମାଙ୍କୁ ଭଲ ଫସଲର କାମନା କରି ରଜପର୍ବ କୁ ବିଦାୟ ଦିଅନ୍ତି l