Odisha news

ବେଆଇନ୍ ଭାବେ ବାଲି, ବୋଲଡର ଓ ପଥର ଚାଲାଣ କରୁଥିବା ୧୬ଟି ଟ୍ରକ୍ ଓ ହାଇୱା ଜବତ, ୨ଲକ୍ଷ ୪୦ହଜାର ଟଙ୍କା ଜରିମାନା ଆଦାୟ

0

ସାଲେପୁର :  କଟକ ସଦର ଉପଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସାଲେପୁର ଅଞ୍ଚଳରେ ବେଆଇନ୍ ଭାବେ ବାଲି, ପଥର ଓ ଚିପ୍ସ ଚାଲାଣ କରୁଥିବା ୧୬ଗୋଟି ଟ୍ରକ୍ ଓ ହାଇୱାକୁ ସ୍ୱତନ୍ତ୍ର ଏନ୍ଫୋର୍ସମେଣ୍ଟ୍ ଟିମ୍ ଜବତ କରିବା ସହ ସେମାନଙ୍କ ନିକଟରୁ ୨ଲକ୍ଷ ୪୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ସାଲେପୁର ଅଞ୍ଚଳ ଦେଇ ନିୟମିତ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ପାରାଦୀପ, ପାଟକୁରା, ବାଲିଚନ୍ଦ୍ରପୁର ଆଦି ଅଞ୍ଚଳକୁ ବେଆଇନ୍ ଭାବେ ଶହ ଶହ ଟ୍ରକ୍, ଟ୍ରିପର ଓ ହାଇୱାରେ ବାଲି, ଗୋଡ଼ି ଓ ପଥର ଚାଲାଣ ହେଉଥିବାର ଅଭିଯୋଗ ହୋଇଆସୁଥିଲା ।

ଅଭିଯୋଗକୁ ଭିତ୍ତି କରି ଗତକାଲି ରାତିରେ କଟକ ସଦର ଉପଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସାଲେପୁର ତହସିଲଦାର ଦିବ୍ୟଜ୍ୟୋତି ଦେଓଙ୍କ ନେତୃତ୍ୱରେ ସାଲେପୁର ତହସିଲ କାର୍ଯ୍ୟାଳୟର କୃପାସିନ୍ଧୁ ପ୍ରଧାନ, ସଂଜୟ ନାୟକ, ଦୀପ୍ତିରଂଜନ ବେହେରା, ରଂଜିତ୍ କୁମାର ବେହେରାଙ୍କ ସହଯୋଗରେ ସାଲେପୁରର ଶିଶୁଆ ଠାରୁ ସାଲେପୁର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ୪ଗୋଟି ବେଆଇନ୍ ବୋଲଡର, ୫ଗୋଟି ମାଙ୍କଡ଼ା ପଥର ଓ ୭ଗୋଟି ବାଲି ହାଇୱାକୁ ମିଶାଇ ମୋଟ୍ ୧୬ଗୋଟି ଟ୍ରକ୍ ଓ ହାଇୱାକୁ ଜବତ କରାଯିବା ସହ ସେମାନଙ୍କ ନିକଟରୁ ୨ଲକ୍ଷ ୪୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସାଲେପୁର ତହସିଲଦାର ଶ୍ରୀ ଦେଓ ପ୍ରକାଶ କରିଛନ୍ତି । ଜରିମାନା ଆଦାୟ ହେଲାପରେ ଏହିସବୁ ଗାଡ଼ି ଗୁଡିକୁ ଛାଡି ଦିଆଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.