Odisha news

ଜଗନ୍ନାଥ ଦର୍ଶନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା

0

ପୁରୀ:ଦୁଇଦିନିଆ ଓଡ଼ିଶା ଗ୍ରସ୍ତରେ ଆସିଥିବା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଶ୍ରୀମନ୍ଦିରେ ଶ୍ରୀଜିଉମାନଙ୍କ ଦର୍ଶନ କରିଛନ୍ତି । ଭୂବନେଶ୍ୱରରେ ଅନୁଷ୍ଠିତ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକରେ ଯୋଗଦାନ ଓ ଜନତା ମୈଦାନରେ ସିଏଏ ସପକ୍ଷରେ ଅନୁଷ୍ଠିତ ଜନସମାବେଶରେ ଉଦ୍ବୋଧନ ଦେବା ପରେ ଶ୍ରୀ ଶାହା ଶୁକ୍ରବାର ରାତିରେ ପୁରୀ ଆସି ହୋଟେଲ ‘ମେ ଫେୟାର’ରେ ରାତ୍ରୀଯାପନ କରିଥିଲେ । ଶନିବାର ସକାଳେ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ଶ୍ରୀ ଶାହା ଦଳୀୟ ନେତୃବୃନ୍ଦଙ୍କ ଗହଣରେ ଶ୍ରୀମନ୍ଦିରକୁ ଯାଇ ରତ୍ନ ସିଂହାସନାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ । ଶ୍ରୀ ଶାହା ପାଶ୍ୱର୍ଦେବଦେବୀମାନଙ୍କୁ ଦର୍ଶନ କରିବା ସହିତ ସବୁ ମନ୍ଦିରରେ ପ୍ରଣାମୀ ପ୍ରଦାନ କରିଥିଲେ ।

ଶ୍ରୀ ଶାହାଙ୍କୁ ତାଙ୍କ ପାରିବାରିକ ତୀର୍ଥଗୁରୁ ରଘୁନାଥ ଗୋଚ୍ଛିକାର ଶ୍ରୀମନ୍ଦିର ଦର୍ଶନ କରାଇଥିଲେ । ଶ୍ରୀ ଶାହାଙ୍କ ସହିତ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିଜେପି ରାଷ୍ଟ୍ରିୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର,ଦଳର ବରିଷ୍ଠ ନେତା କୃଷ୍ଣ ଜଗଦେ୍ଦବ, ଶଙ୍କର ପରିଡା ଓ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଶ୍ରୀମନ୍ଦିରକୁ ଯାଇଥିଲେ । ପ୍ରାୟ ୩୦ମିନିଟ୍ ମନ୍ଦିର ବେଢ଼ାରେ ଶ୍ରୀ ଶାହା ଅତିବାହିତ କରିଥିଲେ ।

ଶ୍ରୀ ଶାହା ଯାତ୍ରୀ ପଣ୍ଡାଙ୍କ ପରିଦର୍ଶନ ପୁସ୍ତିକାରେ ସ୍ୱାକ୍ଷର କରିଥିଲେ । ମନ୍ଦିରରେ ଦର୍ଶନ ସାରି ଫେରିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟପ୍ରଶାସକ କ୍ରିଷନ କୁମାର ଉପହାର ସ୍ୱରୂପ ଶ୍ରୀ ଶାହାଙ୍କୁ ଗୀତଗୋବିନ୍ଦ ମୁଦ୍ରିତ ଏକ ପାଟବସ୍ତ୍ର ପ୍ରଦାନ କରିଥିଲେ ।

Leave A Reply