ପୁରୀ:ପରମ୍ପରା ଅନୁଯାୟୀ ପବିତ୍ର ମାଘ ଶୁକ୍ଳ ପଞ୍ଚମୀ ଅବସରରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ରଥକାଠ ଅନୁକୂଳ କରାଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରାଜ ପୁରୋହିତ ମନ୍ତ୍ର ଉଚ୍ଚାରଣ କରିବା ସହିତ ରଥକାଠ ସିଦ୍ଧି କରିବା ପରେ ତିନିଖଣ୍ଡ ୧୨ଫୁଟିଆ ଧଉରା କାଠକୁ ଧୂପ, ଦୀପ, ଚନ୍ଦନ ଓ ସିନ୍ଦୂର ମାରି ପୂଜା କରାଯାଇଥିଲା । ପୂଜାର୍ଚ୍ଚନା ହୋଇଥିବା ଏହି ୩ଟି ଧଉରା କାଠ ରଥ ନିର୍ମାଣ ସମୟରେ ୩ରଥର କୋଣ ଗୁଜ ନୃସିଂହ ମୂର୍ତ୍ତି ସହ ଖଞ୍ଜାଯିବ । ରଥକାଠ ଅନୁକୂଳ ପୂଜାରେ ରାଜଗୁରୁଙ୍କୁ ଶ୍ରୋତ୍ରୀୟ ବ୍ରାହ୍ମଣମାନେ ସହଯୋଗ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିରନୀତି ପ୍ରଶାସକ ଅଜୟ କୁମାର ଜେନା, ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ସମେତ ଶ୍ରୀମନ୍ଦିର ବହୁ କର୍ମଚାରୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟଯେ,ଅକ୍ଷୟ ତୃତୀୟା ତିଥିରେ ତନିି ରଥ ପାଇଁ ତିନୋଟି ରଥ କାଠ ବିଶ୍ୱକର୍ମା ମହାରଣାଙ୍କ ଦ୍ୱାରା ଅନୁକୂଳ କରାଯିବ ।