ପୁରୀ:ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ନୟାଗଡ ବନଖଣ୍ଡରୁ ପ୍ରଥମ ଦଫା କାଠ ପୁରୀରେ ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ୨ଟି ଟ୍ରକରେ୧୨ଫୁଟ ଓ ୨୦ଫୁଟ ଲମ୍ବର ୫୩ଖଣ୍ଡ କାଠ ପୁରୀକୁ ଆସିଛି । ଗତ ସନ୍ଧ୍ୟାରେ ଦଶପଲ୍ଲାର ଆରାଧ୍ୟ ଦେବତା ମହାବୀରଙ୍କ ନିକଟରେ ପୂଜାର୍ଚ୍ଚନା ପରେ ବାହାରିଥିବା ୨ଟି କାଠ ବୋଝେଇ ଟ୍ରକ ପୁରୀ ଅଭିମୂଖେ ବାହାରିଥିଲା । ସୂଚନାଯୋଗ୍ୟ ଯେ ପୁରୀରୁ ମାଳ ମହାପ୍ରସାଦ ଗଣିଆର ବଡମୂଳ ସ୍ଥିତ ଦେବୀ ବଡରାଉଳଙ୍କ ପୀଠରେ ପହଞ୍ଚିବା ପରେ ପୂଜାର୍ଚ୍ଚନା ହୋଇ ରଥକାଠ କଟା ଆରମ୍ଭ ହୋଇଥିଲା । ପ୍ରତିବର୍ଷ ନୟାଗଡ ବନଖଣ୍ଡ ଅଧୀନସ୍ଥ ଦଶପଲ୍ଲା ବନାଞ୍ଚଳର ରଥକାଠ ଯୋଗାଇ ଦିଆଯାଇଥାଏ । ଚଳିତବର୍ଷ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ ଅସନ, ଧୌରା, ଫାଶୀ ଓ ଶିମିଳିକାଠର ଆବଶ୍ୟକତା ରହିଛି । ଗତବର୍ଷରୁ ୧୯୩ଖଣ୍ଡ କାଠ ବଳକାଥିବା ବେଳେ ଅବଶିଷ୍ଟ ୬୭୨ଖଣ୍ଡ କାଠ ରଥ ନିର୍ମାଣ ପାଇଁ ନୟାଗଡ ଓ ବୌଦ୍ଧ ବନଖଣ୍ଡରୁ ଅଣାଯିବ । ରଥଖଳାକୁ ଆସିବ ୪୦୬ଖଣ୍ଡ କାଠ । ୨୬୬ଖଣ୍ଡ କାଠ କରତକଳକୁ ପଠାଯିବ । ଦଶପଲ୍ଲା ବନାଞ୍ଚଳର ସାକେଣୀ, ପୋଖରୀ ଗୋଚ୍ଛା, ଚଢ଼େୟାପଲ୍ଲୀ, ଟାକେରା ଓ ବାଣୀ ଗଛା ସେକ୍ସନରେ ରଥକାଠ ଚିହ୍ନଟ କରାଯାଇ କାଠକଟା କାର୍ଯ୍ୟ ଆରମ୍ଭ ହୋଇଛି । ଆସନ୍ତା ସରସ୍ୱତୀ ପୂଜାଦିନ ପରମ୍ପରା ଅନୁଯାୟୀ ରଥକାଠ ଅନୁକୂଳ କରାଯିବ ।