ପୁରୀ, ୧୧.୦୪.୨୪ : ଓଡ଼ିଆମାନଙ୍କୁ ଜାଗ୍ରତ କରି ଭବିଷ୍ୟତରେ ବାସ୍ତବ ଅର୍ଥରେ ଏକ ସମୃଦ୍ଧ ଓ ସମ୍ପନ୍ନ ଓଡ଼ିଶା ଗଠନ କରିବା ପାଇଁ ଆରମ୍ଭ ହୋଇଥିବା ’ଉଠ ଓଡ଼ିଆ ସଂକଳ୍ପ ଯାତ୍ରା’ ଦ୍ଵିତୀୟ ଦିନରେ ପୁରୀ ଜିଲ୍ଲାର ଚନ୍ଦନପୁରରୁ ବାହାରି ପ୍ରାୟ ଦଶ କିଲୋମିଟର ଚାଲି ମଧ୍ୟାହ୍ନରେ ସତ୍ୟବାଦୀ ବନ ବିଦ୍ୟାଳୟରେ ପହଞ୍ଚିଥିଲା। ସେଠାରେ ସ୍ଥାନୀୟ ଲୋକମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା।
ରାସ୍ତାରେ ପଦଯାତ୍ରୀମାନେ ପଥପ୍ରାନ୍ତ ସଭା କରି ସମ୍ପ୍ରତି ଓଡ଼ିଶା ଭୋଗୁଥିବା ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଓ ଏହାର ସମାଧାନ ପାଇଁ ଆଗେଇ ଆସିବାକୁ ଓଡ଼ିଆମାନଙ୍କୁ ଆହ୍ବାନ କରିଥିଲେ। ଆଜି ଓଡ଼ିଶାରେ ସ୍କୁଲରେ ଶିକ୍ଷକ ନାହାନ୍ତି। ଘରୋଇ ଶିକ୍ଷାନୁଷ୍ଠାନକୁ ଅଧିକ ଲାଭ ଦେବା ପାଇଁ ସରକାରୀ ଶିକ୍ଷାନୁଷ୍ଠାନକୁ ଜାଣି ଜାଣି ଦୁର୍ବଳ କରାଯାଉଛି। ସ୍ବାସ୍ଥ୍ୟସେବା କେବଳ ପ୍ରଚାରରେ ସୀମିତ ହୋଇଗଲାଣି। ଡ଼ାକ୍ତରଖାନାରେ ଡାକ୍ତର ନାହାନ୍ତି। ଗାଁ ଗାଁରେ ସରକାରଙ୍କ ପୃଷ୍ଠପୋଷକତାରେ ବର୍ତ୍ତମାନ ମଦର ବନ୍ୟା ବୋହୁଛି। ଯୁବକମାନଙ୍କ ଭିତରୁ ସ୍ବପ୍ନକୁ ମାରିଦେବାର ଷଡଯନ୍ତ୍ର ଚାଲୁଛି। ଓଡ଼ିଶାରେ ଓଡ଼ିଆ ଭାଷା କୋଣଠେସା ହୋଇଗଲାଣି। ଏପରି ସମୟରେ ଶୁଦ୍ଧ ଓଡ଼ିଆ ପ୍ରାଣ ଆଗେଇ ନଆସିଲେ ଆଗାମୀ ଦିନରେ ଆମ ଓଡ଼ିଶା ମହାଦୁର୍ଦ୍ଦିନ ଭୋଗିବା ସହିତ ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତା ଭୂଇଁରେ ଲୋଟିବ।
ଆଉ ୧୨ ବର୍ଷ ପରେ ଆମ ଓଡ଼ିଶାକୁ ୧୦୦ ବର୍ଷ ପୁରିବ। ଶହେ ବର୍ଷ ପୁରିବା ବେଳକୁ ଏକ ସମ୍ପନ୍ନ ଓଡ଼ିଶାର ବାସ୍ତବ ରୂପାୟନ ଦେଖିବା ପାଇଁ ପ୍ରୟାସରତ ’ଉଠ ଓଡ଼ିଆ’ ଓ ଏହି ପଦଯାତ୍ରା ଅପରାହ୍ନରେ ସତ୍ୟବାଦୀ ବନ ବିଦ୍ୟାଳୟରୁ ବାହାରି ରାତିରେ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଠାରେ ପହଞ୍ଚିଥିଲା। ସେଠାରେ ମଧ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାସ୍ତାରେ ଲୋକମାନେ ଉଠ ଓଡ଼ିଆ ସଂକଳ୍ପ ଯାତ୍ରାକୁ ସ୍ବାଗତ କରିବା ସହିତ ଯାତ୍ରାର ଉଦ୍ଦେଶ୍ୟକୁ ସମର୍ଥନ କରିଥିଲେ ଓ ଯାତ୍ରାରେ ଭାଗ ମଧ୍ୟ ନେଇଥିଲେ।
ଏହି ଯାତ୍ରା ଆସନ୍ତା ଦୁଇଦିନ ବୀର ପୁରୁଷତ୍ତମପୁର, ଦାଣ୍ଡ ମୁକୁନ୍ଦପୁର, ଧଉଳି ହୋଇ ୧୪ ତାରିଖରେ ଭୁବନେଶ୍ଵରର ପି.ଏମ.ଜି. ଠାରେ ପହଞ୍ଚିବ ଓ ସେଠାରେ ଏକ ଜନସଭା କରାଯିବ। ଏହି ଯାତ୍ରାକୁ ସୌମ୍ୟରଂଜନ ମହାନ୍ତି, ଅଶୋକ ଜେନା, କାହ୍ନୁ ଚରଣ ବେଉରା, ଜ୍ଞାନରଞ୍ଜନ ଦାସ, ସ୍ନେହଂଶୁ ଜେନା, ବିଚିତ୍ର ବିଶ୍ଵାଳ, ପ୍ରସନ୍ନ କୁଅଁର, ଦୁର୍ଗାଚରଣ ଦାସ, ପିତାମ୍ବର ଭୂୟାଁ, ସନ୍ତୋଷ ନାୟକ, ଭାସ୍କର ସାହୁ, ଅନନ୍ତ ସାମନ୍ତ, ଆଶିଷ ମୁଦୁଲି, ପ୍ରଦୀପ ସିଂହ, ଅରୁଣ ପ୍ରଧାନ, ବେଣୁ ସାହୁ, ବଳରାମ, ସଂତୋଷୀ, ବନ୍ଦିତା, ଇନ୍ଦୁମତୀ, ରମାକାନ୍ତ ମଣ୍ଡଳ ଆଦି ଏହି ଯାତ୍ରାର ନେତୃତ୍ବ ନେଇଥିଲେ ।