ପୁରୀ :ଆସନ୍ତା ଜୁନ ୫ରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ସ୍ନାନଯାତ୍ରା ନୀତି ଲାଗି ଗରାବଡୁ ସେବକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗରାବଡୁ ସେବା ଏକ ଗୋଷ୍ଠୀଗତ ସେବା ହୋଇଥିବାରୁ ୧୦୯ଜଣ ପାଳିଆ ସେବକ ସେହିଦିନ ସେବା କରିବେ । ତେଣୁ ଆସନ୍ତା ୨୯ ଓ ୩୦ ତାରିଖ ଦିନ ସେମାନଙ୍କର କୋଭିଡ ଟେଷ୍ଟ କରାଯିବ ଓ ୩ତାରିଖରେ ପରୀକ୍ଷାର ରିପୋର୍ଟ ମିଳିବ । ଶନିବାର ନୀଳାଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଶ୍ରୀମନ୍ଦିରର ଗରାବଡୁ ସେବକମାନଙ୍କ ପାଇଁ କୋଭିଡ-୧୯ ସମ୍ପର୍କିତ ଏକ ସଚେତନତା ଶିବିରରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି ।
ଶ୍ରୀମନ୍ଦିରର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୀଳକଣ୍ଠ ମିଶ୍ର, ଉପସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦେବୀ ପ୍ରସାଦ ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟ ମାଧବ ଚନ୍ଦ୍ର ମହାପାତ୍ର, ଗରାବଡୁ ନିଯୋଗର ସଭାପତି ଓ ସମ୍ପାଦକଙ୍କ ସହ ସମସ୍ତ ଗରାବଡୁ ସେବକ ଉପସ୍ଥିତ ଥିଲେ । କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷ ପାଇବା ସମ୍ପର୍କରେ ଶିବିରରେ ସଚେତନ କରାଯାଇଥିଲା । ଗରାବଡୁ ନିଯୋଗର ଶତାଧିକ ସଦସ୍ୟ ଏଥିରେ ଯୋଗ ଦେଇଥିଲେ ।