‘ଅପରେସନ୍ ଅଜୟ’ : ଇସ୍ରାଏଲ୍ରୁ ୨୧୨ଜଣ ଭାରତୀୟଙ୍କୁ ନେଇ ଆସିଥିବା ପ୍ରଥମ ଚାର୍ଟର୍ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ
ନୂଆଦିଲ୍ଲୀ: ‘ଅପରେସନ୍ ଅଜୟ’ ବ୍ୟବସ୍ଥାରେ ଯୁଦ୍ଧ-ବିକ୍ଷତ ଇସ୍ରାଏଲ୍ରୁ ୨୧୨ଜଣ ଭାରତୀୟଙ୍କୁ ନେଇ ଆସିଥିବା ପ୍ରଥମ ଚାର୍ଟର୍ ବିମାନ ଆଜି ପ୍ରତ୍ୟୁଷରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିବା କଥା ନିଉଜ୍ ଏଜେନ୍ସି ‘ଏଏନ୍ଆଇ’ ରିପୋର୍ଟ କରିଛି।
ଇସ୍ରାଏଲ୍ରୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ନାଗରିକମାନଙ୍କ ମଧ୍ୟରୁ ଜଣେ ଏଥିପାଇଁ ଭାରତ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରି କହିଛନ୍ତି, ପ୍ରଥମ ଥର ପାଇଁ ଆମେ ସେଠାରେ ଏଭଳି ଅବସ୍ଥାରେ ପଡ଼ିଲୁ। ଆମକୁ ଫେରାଇ ଆଣିଥିବାରୁ ଆମେ ଭାରତ ସରକାର, ବିଶେଷତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କୃତଜ୍ଞ। ଯଥାଶୀଘ୍ର ସେଠାକାର ପରିସ୍ଥିତି ଶାନ୍ତ ହେଲେ ଆମେ ପୁଣି ଯାଇ କାମରେ ଯୋଗ ଦେବୁ ବୋଲି ଆଶା କରୁଛୁ।
କଅଁଳାପିଲାକୁ ଧରିଥିବା ଜଣେ ମହିଳାଯାତ୍ରୀ କହିଛନ୍ତି, ପ୍ରଥମ ଦିନ ଆମେ ଶୋଇଥିବା ବେଳେ ସକାଳ ପ୍ରାୟ ୬.୩୦ରେ ‘ସାଇରନ୍’ ବାଜିଥିଲା। ଆମେ ଆଶ୍ରୟସ୍ଥଳ ଆଡ଼କୁ ଧାଇଁ ଗଲୁ। ସେଠାକୁ ଯିବା ଥିଲା ବଡ଼ କଠିନ ବ୍ୟାପାର, କିନ୍ତୁ କୌଣସି ମତେ ଆମେ ପହଞ୍ଚିଗଲୁ। ଏବେ ଆମେ ଆଶ୍ବସ୍ତ ଓ ଭାରତ ସରକାରଙ୍କ ପ୍ରତି କୃତଜ୍ଞ।