Odisha news

ସଂସ୍କୃତି ଭବନ ନିର୍ମାଣ ପାଇଁ ସଂସ୍କୃତି ମନ୍ତ୍ରୀ ଦେଲେ  ୧୪ କୋଟି ଟଙ୍କାର ଅନୁଦାନ

0
ନୂଆପଡ଼ା-୨୭/୧( ସୁରେନ୍ଦ୍ରତିୱାରୀ) : ନୂଆପଡ଼ା ଜିଲ୍ଲାରେ ୭୬ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ  ସୂର୍ଯ୍ୟବଂଶୀ ସୂରଜ୍, ମନ୍ତ୍ରୀ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଯୋଗଦାନ କରି ଏହି ଅବସରରେ ୧୪ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଜିଲ୍ଲା ଲାଇବ୍ରେରୀ ପରିସରରେ ନିର୍ମିତ ହେବାକୁ ଥିବା ଜିଲ୍ଲା ସଂସ୍କୃତି ଭବନର ଶିଳାନ୍ୟାସ  କରିଥିଲେ l ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ଆସିଥିବା କଳାକାର ମାନେ ବିଭିନ୍ନ ଲୋକନୃତ୍ୟ ମାଧ୍ୟମରେ ମନ୍ତ୍ରୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଲେ l ସଭାରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲାପାଳ ମଧୁସୂଦନ ଦାଶ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଖରିଆର ରୋଡ ଏନ ଏ ସି ଅଧ୍ୟକ୍ଷା ଡଃ ସୋନିଆ ଜୈନ  ପ୍ରମୁଖ ଯୋଗଦାନ କରିଥିଲେ l ସଭାକୁ ସମ୍ବୋଧନ କରି ମନ୍ତ୍ରୀ କହିଲେଯେ ନୂଆପଡ଼ା ହେଉଛି କଳା ସାହିତ୍ୟ ସଂସ୍କୃତିର ଗନ୍ତାଘର l ମାରାଗୁଡ଼ା ସଭ୍ୟତା ର ଭଗ୍ନାବଶେଷ ଏହାର ସମୃଦ୍ଧ ଐତିହ୍ୟର ଗାଥା ଗାଏ l ଜିଲ୍ଲା ରେ କଳା ସଂସ୍କୃତିର ବିକାଶ ପାଇଁ ମୋହନ ସରକାରଙ୍କ ତରଫରୁ ପ୍ରଥମେ ସମଗ୍ର ରାଜ୍ୟରେ ନୂଆପଡ଼ା ଜିଲ୍ଲାକୁ ସଂସ୍କୃତି ଭବନ ନିର୍ମାଣ ପାଇଁ ୧୪ କୋଟି ୩୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି lଏହି ସଂସ୍କୃତି ଭବନ ତିନି ମହଲା ବିଶିଷ୍ଟ ହେବ l ଏଥିରେ ସଂସ୍କୃତି କାର୍ଯ୍ୟାଳୟ, ସଂଗ୍ରହାଳୟ ଏବଂ ଗୋଟିଏ ଉତ୍ତମ ମାନର ଲାଇବ୍ରେରି ପରିଚାଳିତ ହେବ l ଗ୍ରନ୍ଥାଗାରରେ ବିଭିନ୍ନ ବିଭାଗର ହଜାର ହଜାର ବହି, ଜର୍ଣାଲ, ମାଗାଜିନ୍ ରହିବ l ଇ-ଲାଇବ୍ରେରି ବିଭାଗରେ ଅନେକ କମ୍ପ୍ୟୁଟର ରହିବ l ଜିଲ୍ଲାର ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିବା ଛାତ୍ର ଛାତ୍ରୀ ତଥା ଯୁବା ବର୍ଗ ଏହାଦ୍ବାରା ବିଶେଷ ଉପକୃତ ହେବେ l ସଭାରେ ଜିଲ୍ଲାର ଶହ ଶହ କଳାକାର ଯୋଗଦାନ କରି ମାନ୍ୟବର ମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ l ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ମାହାର ସଭାର ଆୟୋଜନ କରିଥିଲେ l
Leave A Reply