Odisha news

ନୂଆପଡ଼ା ଜିଲ୍ଲା ସାଧାରଣ ତନ୍ତ୍ର ଦିବସରେ ମୁଖ୍ୟ ଅତିଥି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍

0
ନୂଆପଡ଼ା -୨୭/୧ (ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲାରେ ୭୬ତମ ସାଧାରଣତନ୍ତ୍ର ଦିବସର ଜିଲ୍ଲାସ୍ତରୀୟ   ସମାରୋହ ହର୍ଷ ଉଲ୍ଲାସ ସହିତ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ  ସୂର୍ଯ୍ୟବଂଶୀ ସୂରଜ୍, ମାନ୍ୟବର ମନ୍ତ୍ରୀ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଯୋଗଦାନ କରିଥିଲେ l ପ୍ରଥମେ ସ୍ଥାନୀୟ ଗାନ୍ଧୀ ଉଦ୍ୟାନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି  ଓ ଏକତା ଛକରେ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ଏହାପରେ ମିନି ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ l ମନ୍ତ୍ରୀ ନୂଆପଡ଼ାର ଇତିହାସ ଐତିହ୍ୟର ଭୂୟସୀ ପ୍ରଶଂସା କରିବା ସହିତ ସ୍ଵାଧୀନତା ଆନ୍ଦୋଳନରେ ନୂଆପଡ଼ାର ସଂଗ୍ରାମୀ ମାନଙ୍କ ଅବଦାନକୁ ମନେ ପକାଇ ଥିଲେ l ଜିଲ୍ଲାରେ ଉଚ୍ଚ ଶିକ୍ଷା, କ୍ରୀଡା ଓ ସଂସ୍କୃତି ବିଭାଗର ଉନ୍ନତି ପାଇଁ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ଅବଗତ କରାଇଥିଲେ l ସମ୍ମିଳିତ ପ୍ୟାରେଡ଼ରେ ୩୧ ଟି ଦଳର ଅଭିବାଦନ ଗ୍ରହଣ କରିଥିଲେ l ମଞ୍ଚରେ  ମନ୍ତ୍ରୀଙ୍କ ସହିତ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଉପସ୍ଥିତ ଥିଲେ l  ପଡ଼ିଆରେ ୧୧ ଟି ଶିକ୍ଷାନୁଷ୍ଠାନ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ବିଭିନ୍ନ ସରକାରୀ ବିଭାଗର ୯ ଗୋଟି ପ୍ରଜ୍ଞାପନ ମେଢ ନିଜ ବିଭାଗୀୟ ଉନ୍ନୟନ କାର୍ଯ୍ୟାବଳୀ ପ୍ରଦର୍ଶନ କରିଥିଲେ l  ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ,  କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ଖେଳାଳି ,ପ୍ୟାରେଡ, ପ୍ରଜ୍ଞାପନ ମେଢ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ବିବେଚିତ ଦଳ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ l ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ପ୍ରଶାସନ ଓ ଆମ ଓଡ଼ିଶା ତଥା ସମ୍ବାଦ ତରଫରୁ ଆୟୋଜିତ ଏକ ରକ୍ତଦାନ ଶିବିର ଉଦଘାଟନ କରି ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ l ଉପ କାରାଗାର ପରିଦର୍ଶନ କରି ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ l ଟାନୱାଟ ସ୍ଥିତ ବିଜୁ ପଟ୍ଟନାୟକ ମାନସିକ ଅନଗ୍ରସର ବିଦ୍ୟାଳୟ ପରିଦର୍ଶନ କରି  ଦିବ୍ୟାଙ୍ଗ ମାନଙ୍କ ପାଇଁ ଗୋଟିଏ ନୂତନ ଜିମ୍ ଉଦଘାଟନ କରି ବୃକ୍ଷ ରୋପଣ କରିଥିଲେ l
ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ସେମାନଙ୍କ ଗହଣରେ କିଛି ସମୟ ବିତାଇ ଥିଲେ l ଦିବସ ପାଳନ ଉପଲକ୍ଷେ ଭୋର୍ ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ରାମଧୁନ ଅୟୋଜନ କରା ଯାଇଥିଲା l ପ୍ରାତ ସମୟରେ ନେସନାଲ ଉଚ୍ଚ ବିଦ୍ୟାଳୟ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପ୍ରଭାତ ଫେରୀ କରିଥିଲେ  l ଦିବସର ବିଭିନ୍ନ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲାl ମଞ୍ଚ ପରିଚାଳନା ରେ ବରିଷ୍ଠ ରାଜସ୍ୱ ସହାୟକ ବିଭୁଦତ୍ତ ମିଶ୍ର, ସାମ୍ୱାଦିକ ସୀମାଞ୍ଚଳ ମହାପାତ୍ର ପ୍ରମୁଖ ସହାୟତା କରିଥିଲେ l ଅପରାହ୍ନରେ ଅନୁଷ୍ଠିତ ଏକ ଚିତ୍ତାକର୍ଷକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ରେ ଜିଲ୍ଲାପାଳ ଏକାଦଶ ପ୍ରେସ ଏକାଦଶ କୁ ହରାଇ ଚାମ୍ପିଅନ ହୋଇଥିଲେ l
Leave A Reply