ନୂଆଦିଲ୍ଲୀ, ୨୫ା୧ : ଫେବୃଆରୀ ୧ରେ ଫାଶୀ ପାଇବାକୁ ଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନେ ପୁଣିଥରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ରାଜକ୍ଷମା ଆବେଦନ ପ୍ରକ୍ରିୟା ବିଳମ୍ବିତ କରିବା ପାଇଁ ତିହାର ଜେଲ କର୍ତ୍ତୃପକ୍ଷ ଉଦ୍ୟମ କରୁଛି ବୋଲି ଦୋଷୀମାନେ ସେମାନଙ୍କ ଆବେଦନରେ ଦର୍ଶାଇଛନ୍ତି । ପଟିଆଲା ହାଉସ କୋର୍ଟ ଏହା ଉପରେ ଆସନ୍ତାକାଲି ଶୁଣାଣି କରିବେ । ଆଜି ମଧ୍ୟାହ୍ନରେ ଦୋଷୀଙ୍କ ଓକିଲ ଏପି ସିଂହ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏଭଳି ଅଭିଯୋଗ କରିଛନ୍ତି । ଏପି ସିଂହ ଅଭିଯୋଗ କରିଛନ୍ତି ଯେ ପବନ ଗୁପ୍ତା ଓ ଅକ୍ଷୟ ସିଂହ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ କରିବାକୁ ଚାହୁଁଛନ୍ତି । ହେଲେ ଏଥିପାଇଁ ଆବଶ୍ୟକ ଦସ୍ତାବିଜ ରିଲିଜ୍ କରିବାରେ ଜେଲ କର୍ତ୍ତୃପକ୍ଷ ବିଳମ୍ବ କରୁଛନ୍ତି । ତେଣୁ ସେମାନେ ଆଇନଗତ ଉପାୟରେ କରିବାକୁ ଥିବା ଆବେଦନରେ ବିଳମ୍ବ
ହେଉଛି ।ଏହାପୂର୍ବରୁ ମୁକେଶ ଓ ବିନୟ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ ହେଁ ଏହାକୁ ସୁପ୍ରିମକୋର୍ଟ
ଖାରଜ କରିଦେଇଥିଲେ । ସେହିପରି ମୁକେଶ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରି ନିରାଶ ହୋଇଛି । ଏବେ ପବନ ଓ ଅକ୍ଷୟ ପାଖରେ ଉଭୟ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ କରିବାର ବିକଳ୍ପ ରହିଛି ।ସେହିପରି ବିନୟ ଶର୍ମା ମଧ୍ୟ ରାଜକ୍ଷମା ଆବେଦନ କରିପାରିବ ।ତେଣୁ ଫେବୃଆରୀ ୧ରେ କେମିତି ସମସ୍ତଙ୍କୁ
ଫାଶୀ ଖୁଣ୍ଟରେ ଝୁଲାଯିବ, ତା’କୁ ନେଇ ଆଶଙ୍କା ପ୍ରକାଶ ପାଇଛି ।
Prev Post