ବେତନଟୀ, ୧୧/୫ : ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକର ରଘୁପୁର ଗ୍ରାମ ପଞ୍ଚାୟତର ଖୁଣ୍ଟାପୁର ଗ୍ରାମର ଅସହାୟ ଆଦିବାସୀ ମହିଳା ଗୀତା ସିଂ ନିଜର ଚାରି ଜଣ କନ୍ୟା ସନ୍ତାନ ଓ ୨ ଜଣ ପୁତ୍ର ସନ୍ତାନ ସହିତ ବାସ କରନ୍ତି । ଏହି ମହିଳ ଜଣଙ୍କର ପତି ଲକ୍ଷ୍ମୀଧର ସିଂ ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଛନ୍ତି । ସେହି ଦିନୁ ମହିଳା ଜଣକ ନିଜର ୫ ସନ୍ତାନ ଓ ନିଜର ବୋଝକୁ ନିଜେ ସମ୍ଭାଳି ଆସିଛନ୍ତି ।
କରୋନା ପ୍ରତିବନ୍ଧକ ଲାଗିବା ପୂର୍ବରୁ ସେ ଅନ୍ୟତ୍ର କାମ ପାଇଟି କରି ଯାହା ପାଆନ୍ତି ସେଥିରେ ନିଜର ସନ୍ତାନ ମାନଙ୍କ ମୁହଁରେ ଆହାର ଦେଉ ଥିଲେ । କନ୍ତୁ ୫୦ ଦିନ ଲକ ଡାଉନ ମଧ୍ୟରେ ରୋଜଗାର କରିବାର କୌଣସି ସୁଯୋଗ ନାହିଁ । ଯାହା କିଛି ସରକାରୀ ଅନୁକମ୍ପା ପାଇ ଥିଲେ ସେଥିରେ ସମଗ୍ର ପରିବାର ଚଳିବା କଷ୍ଟକର । ଖବର ହସ୍ତଗତ ହେବା ପରେ ବଡସାହି ବିଧାୟକ ଏହି ମହିଳାଙ୍କ ନିକଟରେ ପହଞ୍ଚି ଥିଲେ ।
ମହିଳାଙ୍କ ଘରଦ୍ୱାର ଓ ତାଙ୍କର ପିଲା ମାନଙ୍କ ଅବସ୍ଥା ଦେଖିବା ପରେ ବିଧାୟକ ନିଜ ହାତରୁ ଓ ଦଳ ତରଫରୁ ଆସି ଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀର ଏକ ବଡ ଭାଗ ଏହି ମହିଳାଙ୍କୁ ପ୍ରଦାନ କରି ଥିଲେ । ତେବେ ଏହି ସହାୟତା ପାଇବା ପରେ ମହିଳା ଓ ତାଙ୍କର ପାଞ୍ଚ ଜଣ ସନ୍ତାନଙ୍କ ମୁହଁରେ ହସ ଖେଳି ଯାଇ ଥିଲା । ବିଧାୟକଙ୍କର ଏହି କାର୍ଯ୍ୟକୁ ସ୍ଥାନୀୟ ଆଦିବାସୀ ମାନେ ପ୍ରଶଂସା କରି ଥିଲେ ।