Odisha news

ମା ମଙ୍ଗଳାଙ୍କ ଝାମୁଯାତ୍ରା ଶେଷ, ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଲେ ମା ମଙ୍ଗଳା

0
କାକଟପୁର ତା 23/4 ଚୈତ୍ରମାସ ର ଶେଷ ମଙ୍ଗଳବାର ବା ଝାମୁଯାତ୍ରା । ପାରମ୍ପରିକ ପ୍ରଥାନୁସାରେ କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ରେ ପାଳିତ ହୋଇଛି ଶେଷ ପାଳି ଝାମୁଯାତ୍ରା l ଏକ ମାସ ବ୍ୟାପୀ ଚାଲି ଥିବା ଚଇତିପର୍ବର ଶେଷ ପାଳି ଯାତ୍ରା ଶେଷ ହୋଇଛି l ରାତ୍ର ୧ ଘଟିକାରେ ମନ୍ଦିର ଦ୍ବାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଇଥିଲା। ବଲ୍ଲଭ ନୀତି ପରେ ସକାଳ ଧୂପ, ବନ୍ଦାପନା ଆଳତୀ ପରେ ସର୍ବସାଧାରଣ ଙ୍କ ଦର୍ଶନ ପାଇଁ ମନ୍ଦିର ସାହାଣମେଲା କରାଯାଇଥିଲା । ମାତୃଭକ୍ତ ମାନେ ଉତ୍ତର ଓ ସିଂହ ଦ୍ୱାର ଦେଇ ବ୍ୟାରିକେଟ ମଧ୍ୟରେ ଧାଡ଼ି ରେ ମନ୍ଦିର ଗର୍ଭଗୃହ କୁ ଯାଇ ମା ଙ୍କର ରାଜରାଜେଶ୍ବରୀ ବେଶ ଦର୍ଶନ କରିଥିଲେ। ସୀମନ୍ତିନୀ ମହିଳାମାନେ ମନ୍ଦିର ବେଢାରେ ନିଜ ସ୍ବାମୀ ଓ ପରିବାର ର ମଙ୍ଗଳ କାମନା କରି ପନ୍ଥେଇ ପୂଜା କରିଥିଲେ। ଦିନ ପ୍ରାୟ ୧ଟା ବେଳକୁ ଝଙ୍କଡ ପୀଠ ରୁ ଆସିଥିବା ରାଉଳ ସେବକ ମାନେ ଓ ସ୍ଥାନୀୟ ଅଞ୍ଚଳ ର ଭୋଇ ପାଟୁଆ ମାନେ ଏକ ଶୋଭାଯାତ୍ରା ରେ ପ୍ରାଚୀ ନଦୀ ର ଘଣ୍ଟ ତୋଳା ତୁଠ କୁ ଯାଇ ପାଣି ତୋଳି ମନ୍ଦିରର ପୂର୍ବ ଦ୍ୱାରରେ ଥିବା ଅଗ୍ନିପୂର୍ଣ୍ଣ ଗର୍ତ୍ତରେ ଚାଲିଥିଲେ, ଯାହାକୁ ଝାମୁ ଚାଲିବା କୁହାଯାଏ । ମା ଙ୍କର ଆଜ୍ଞାମାଳ ପାଇବା ପର ପାଟୁଆ ମାନେ ଘଣ୍ଟ, ଢୋଲ ଓ କାହାଳୀ ହରିବୋଲ, ହୁଳହୁଳି ଏବଂ ପାରମ୍ପରିକ ବାଦ୍ୟର ତାଳେ ତାଳେ  ଘଣ୍ଟ ପାଟୁଆ ନୃତ୍ୟ କରିଥିଲେ। ମଧ୍ଯରାତ୍ରି ସମୟରେ କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥିଲା। ଜଣେ ଖମାରେଇ ସେବକ ନିଜକୁ ମହାକାଳୀ ବେଶରେ ସଜ୍ଜିତ କରି ଖଡ୍ଗ ଧାରଣ ପୂର୍ବକ ଘଣ୍ଟ, ଢୋଲ, ମହୁରୀ, ମଶାଲ ମଧ୍ୟରେ ମା ଙ୍କ ଆଜ୍ଞାମାଳ ପାଇବା ପରେ ମନ୍ଦିର ବେଢ଼ାରେ ଓ ସେବକ ସାହି ଦାଣ୍ଡ ରେ କାଳିକା ନୃତ୍ୟ ପ୍ରଦର୍ଶନ କରିଥିଲେ। ତା ପରେ ରାତ୍ରି ଧୂପ, ଗୀତଗୋବିନ୍ଦ ପାଠ ଓ ବଡସିଂହାର ପରେ ଭ୍ରମଣୀ ନୀତି ଅନୁଷ୍ଠିତ ହୋଇଥିଲା।ମା’ ଙ୍କର ବଡସିଂହାର ଧୂପ ସରିବା ପରେ ମନ୍ଦିର ପହୁଡ଼ ପଡିଥିଲା। ଦିନରେ ପାଟୁଆ ନୃତ୍ୟ ଓ ରାତିରେ କାଳିକା ନୃତ୍ୟ ଦେଖି ମାତୃ ଭକ୍ତ ମାନେ ବିମୋହିତ ହୋଇ ପଡ଼ିଥିଲେ। ଝାମୁଯାତ୍ରା ପାଇଁ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଅପର ପକ୍ଷରେ ପ୍ରବଳ ଭିଡ଼ ଭିତରେ କିଛି ଭକ୍ତ ମାନଙ୍କର ସୁନା ଚେନ ଓ ମନି ପର୍ସ ଲୁଟ ହୋଇଥିବାବେଳେ ଭୁବନେଶ୍ୱର ଓ଼ଲ୍ଡଟାଉନରୁ ଆସିଥିବା ଜନୈକ ମହିଳାଙ୍କ ବେକରୁ ଚେନ ଲୁଟ ହେଇଥିବା ସମୟରେ ମହିଳା ଜଣଙ୍କ ଲୁଟେରାକୁ କାବୁ କରି କାକଟପୁର ପୋଲିସ ଜିମାରେ ଦେଇଥିଲେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି l
Leave A Reply