ଖଲ୍ଲିକୋଟ–୧୮/୦୬–ଖଲ୍ଲିକୋଟ ଇତିହାସରେ ପ୍ରଥମ ।ପ୍ରାୟ ୩୦୦ ବର୍ଷ ର ପରମ୍ପରା କୁ ଭାଙ୍ଗି କରନା ମହାମାରୀ ପାଇଁ ଚଳିତ ବର୍ଷର ରଥଯାତ୍ରା କୁ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ଆପାତତଃ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।୧୭୩୦ ମସିହାରେ ନିର୍ମାଣ ଆରମ୍ଭ ହୋଇ୧୮୮୦ ମସିହାରେ ରାଜା ଜଗନ୍ନାଥ ମର୍ଦ୍ଦରାଜ ଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିବା ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ରେ ରାଜା ନାରାୟଣ ମର୍ଦ୍ଦରାଜ ଙ୍କ ଦ୍ଵାରା ମହାପ୍ରଭୁଙ୍କ ରଥଯାତ୍ରା ଆରମ୍ଭ ହୋଇଥିଲା ।
ସେବେଠାରୁ ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଖଲ୍ଲିକୋଟ ରେ ରଥଯାତ୍ରା ମହାସମାରୋହ ରେ ପାଳିତ ହୋଇ ଆସୁଛି ।ଏହି ରଥଯାତ୍ରା ରେ ଖଲ୍ଲିକୋଟ ଓ ଏହାର ଆଖପାଖ ଅଞ୍ଚଳର ପ୍ରାୟ ୧୦ ହଜାର ଭକ୍ତ ଯୋଗଦେଇ ଥାନ୍ତି ।କିନ୍ତୁ ଚଳିତ ବର୍ଷ କରନା ମହାମାରୀ ପାଇଁ ସାମାଜିକ ଦୁରତ୍ୱ ର ଉଲଂଘନ ହେବା ଆଶଙ୍କାରେ ରଥଯାତ୍ରା କୁ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ଖଲ୍ଲିକୋଟ ତହସିଲଦାର ତଥା ମନ୍ଦିର ସମ୍ମୁହର କାର୍ଯ୍ୟନିର୍ବାହୀ ଅଧିକାରୀ ଚକ୍ରଧର ପାଢ଼ୀ କହିଛନ୍ତି ।
ମନ୍ଦିର ସମ୍ମୁଖରେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏହା ସ୍ନାନ ପୂର୍ଣ୍ଣିମା ଦିନ ଠାରୁ ବନ୍ଦ ହୋଇ ରହିଛି ।ଅଧାଗଢା ଅବସ୍ଥାରେ ତିନି ରଥ ମନ୍ଦିର ସମ୍ମୁଖରେ ଛିଡ଼ା ହୋଇଛି ।ସ୍ନାନ ପୂର୍ଣ୍ଣିମା ମନ୍ଦିର ଭିତରେ ଵିଧି ମୁତାବକ ପାଳନ କରାଯାଇଥିବା ବେଳେ ବର୍ତ୍ତମାନ ଅଣସର ଘରେ ତିନି ଠାକୁରଙ୍କ ଉପଚାର ଚାଲିଛି ।ରଥଯାତ୍ରା ପାଇଁ ଉତ୍କଣ୍ଠା ର ସହ ଅପେକ୍ଷା କରିଥିବା ଜଗନ୍ନାଥ ପ୍ରେମୀ ମାନେ ଚଳିତ ବର୍ଷ ରଥଯାତ୍ରା ବନ୍ଦ ହେବା ଶୁଣିବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ପ୍ରତି ବର୍ଷ ଖଲ୍ଲିକୋଟ ରଥଯାତ୍ରା ରେ ମନ୍ଦିର ପ୍ରଶାସନ ତରଫରୁ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ରଥଯାତ୍ରା, ହେରାପଞ୍ଚମୀ, ବାହୁଡା ଯାତ୍ରା, ଅଧରପଣା, ସୁନାବେଶ, ନୀଳାଦ୍ରି ବିଜେ ଏବଂ ନୀଳାଦ୍ରି ବିଜେ ରେ ଲକ୍ଷ୍ମୀ ନାରାୟଣ କଳି ପ୍ରଭୃତି ନୀତି ସମ୍ପୁର୍ଣ୍ଣ ପୁରୀ ଢାଞ୍ଚାରେ ଓ ଅତ୍ୟନ୍ତ ଆକର୍ଷଣୀୟ ଭାବେ ଅନୁଷ୍ଠିତ ହୋଇଥାଏ ।ତେବେ ଭଗବାନ ଙ୍କ ଏ ସବୁ ଅପୂର୍ବ ନିତୀ କାନ୍ତି ଦେଖିବା ରୁ ବଞ୍ଚିତ ହେବେ ଜଗନ୍ନାଥ ପ୍ରେମୀ ।ତେବେ ଏ ସମସ୍ତ ନୀତି ମନ୍ଦିର ବେଢ଼ା ଭିତରେ କରିବା ପାଇଁ ମନ୍ଦିର ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।