Odisha news

ବେକାରୀ ଓ ପ୍ରବାସୀ ଓଡ଼ିଆଙ୍କ ପାଇଁ କୃଷି କ୍ଷେତ୍ରରେ ଆତ୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯିବା ଏକାନ୍ତ ଜରୁରୀ

0

ଡ. ଡି.ବି.ହୃଦୟ : ଆଜି ସମଗ୍ର ବିଶ୍ୱ ମହାମାରୀ କରୋନାରେ କବଳିତ । ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ସାଙ୍ଗକୁ କୋଭିଡ଼୍-୧୯ ଆମ ପାଇଁ ଆଉ ଏକ ଚାଲେଞ୍ଜ । ଏହି ସମୟରେ ପ୍ରାକୃତିକ ବିପର୍ଯ୍ୟୟ ବଇରୀ ସାଜିଛି । ବିଭିନ୍ନ ବିପଦକୁ ସାମ୍ନା କରିବା ପାଇଁ ଶକ୍ତି ଓ ସମ୍ବଳର ସମ୍ଭାବନା କେତେ ଆଜି ଏହା ଏକ ପ୍ରଶ୍ନବାଚୀ? ଏପରି ପରିସ୍ଥିତିରେ ପ୍ରତ୍ୟେକ ଲୋକ ନିଜକୁ ସୁରକ୍ଷା ଦେଇ ଅନ୍ୟକୁ ସୁରକ୍ଷା ଦେବାର ଆହ୍ୱାନ ଆସିଛି । ଏହି ମହାମାରୀ କରୋନା ସମୟରେ ଆମ ରାଜ୍ୟର ବାହାରେ ଥିବା ଲୋକ ନିଜ ଘରକୁ ଫେରି ଆସିବାର ସୁଅ ଛୁଟିଛି । ଏହା ମଧ୍ୟ ଆମ ପାଇଁ ରୋଗ ବାରଣ ନିମିତ୍ତ ଆହ୍ୱାନ ହେଲେ ମଧ୍ୟ ସଂଞ୍ଜମତା ଓ ସତର୍କତା ପାଇଁ ଦାୟିତ୍ୱ ମଧ୍ୟ । ଏହି ପରିପ୍ରେକ୍ଷୀରେ ପରିସ୍ଥିତିକୁ ମୁକାବିଲା କରିବା ଏବଂ ସୀମିତ ସମ୍ବଳକୁ ପୁଞ୍ଜିକରି ବଞ୍ଚôବା ପାଇଁ ବ୍ୟବସ୍ଥାର ପଥ ନିରୁପଣ ଜରୁରୀ । ରାଜ୍ୟରେ ଯେପରି ବେକାରୀ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି ପ୍ରବାସୀ ଓଡ଼ିଆଙ୍କର ମିଳନରେ ଆମ ରୋଜଗାର ପନ୍ଥାକୁ ଏକ ଜଟିଳ ପରିସ୍ଥିତିରେ ପହଞ୍ଚାଇଛି । ଏପରି ସ୍ଥିତିରେ ବେକାରୀ ଓ ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାରଙ୍କ ପକ୍ଷରୁ କୃଷି କ୍ଷେତ୍ରରେ ବିଭିନ୍ନ ଆତ୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯିବା ଏକାନ୍ତ ଜରୁରୀ ।

ଆମ ରାଜ୍ୟରେ କୃଷି ଭିତ୍ତିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, କୁଟୀର ଶିଳ୍ପ ଓ କ୍ଷୁଦ୍ର ଶିଳ୍ପ ପାଇଁ ପ୍ରଚୁର କଞ୍ଚାମାଲ ଅଛି । ପ୍ରକୃତ୍ତି ଦତ୍ତ ଅନେକ ସୁଯୋଗ ମଧ୍ୟ ରହିଛି । ଦିନ ଥିଲା ଘରୋଇ ଉତ୍ପାଦନ କ୍ଷେତ୍ରରେ କୃଷି କ୍ଷେତ୍ରକୁ ୫୦ ପ୍ରତିଶତ ଅବଦାନ ଥିବା ବେଳେ ଆଜି ୧୫ ରୁ ୨୦ ପ୍ରତିଶତରେ ପହଞ୍ଚôଛି । ଦିନକୁ ଦିନ ଲୋକ ସଂଖ୍ୟା ବୃଦ୍ଧି ଅନୁପାତରେ ଚାଷ ଜମି ସଙ୍କୁଚିତ ହେବାରେ ଲାଗିଛି । ଯାହାକି ଭବିଷ୍ୟତ ପାଇଁ ଖାଦ୍ୟ ନିରାପତ୍ତା ନିମନ୍ତେ ଏକ ବିପଦକୁ ଏଡ଼େଇ ଦିଆ ଯାଇ ନ ପାରେ । ଚାଷୀ ପରିବାରର ଭେଣ୍ଡିଆ ଯୁବକମାନେ ମଧ୍ୟ ଚାଷ କାର୍ଯ୍ୟରୁ ମୁହଁ ବୁଲାଉଛନ୍ତି । ଏହା ମଧ୍ୟ ଆମ ରାଜ୍ୟର ପ୍ରଗତିର ଏକ ଅଶୁଭ ଲକ୍ଷଣ । ଗ୍ରାମାଞ୍ଚଳର କୃଷିଜୀବି ମହିଳାମାନେ ପୂର୍ବ ପରି କୃଷି କ୍ଷେତ୍ରରେ ଯେପରି ଅଧିକରୁ ଅଧିକ ସହଭାଗୀ ଥିଲେ ବର୍ତ୍ତମାନ ଏହାର ବ୍ୟତିକ୍ରମ ଘଟିଛି । କେବଳ ଆଦିବାସୀ ଅଧ୍ୟୁଷିତ ପାର୍ବତ୍ୟ ଅଞ୍ଚଳର କୃଷିଜୀବି ମହିଳାମାନେ ୮୦ ପ୍ରତିଶତ କୃଷି କ୍ଷେତ୍ରରେ ନିୟୋଜିତ ଥିବା ବେଳେ ୨୦ ପ୍ରତିଶତ ପୁରୁଷ ଚାଷ କାର୍ଯ୍ୟକୁ ଆବୋରେଇ ଥିଲେ ମଧ୍ୟ କୃଷି ବିକାଶ ଧାରାରେ ସେତିକି ପରିମାଣରେ ସାମିଲ ହୋଇ ପାରୁ ନାହାନ୍ତି ।

ଈଶ୍ୱରଙ୍କ କୃପାରୁ ଓଡ଼ିଶାରେ ଚାଷ ଓ ତତ୍ସଲଗ୍ନ ଚାଷ କରିବାପାଇଁ ପ୍ରଯ୍ୟାପ୍ତ ସୁଯୋଗ ରହିଛି । ସରକାରୀ ସ୍ତରର ବିଭିନ୍ନ କୃଷି ଯୋଜନା ଓ କୃଷିଜୀବିମାନଙ୍କର ଆଗ୍ରହ ଓ ତତ୍ପରତା, ସମନ୍ୱୟ ସଠିକ୍ ଭାବରେ ରହିପାରିଲେ ଏହା ବାସ୍ତବାଭିମୁଖୀ ହେବାରେ କୌଣସି ଅସୁବିଧା ହେବ ନାହିଁ । ବର୍ତ୍ତମାନର ଅନିୟମିତ ଜଳବାୟୁ ପ୍ରଭାବରେ ଚାଷ କ୍ଷେତ୍ର ଅନେକ ସମୟରେ ପ୍ରଭାବିତ । ଚାଷୀ ଉତ୍ପାଦନ କରୁଥିବା କୃଷିଜାତ ଦ୍ରବ୍ୟର ସୁ ବିପଣନ, ସଂରକ୍ଷଣ, ରତ୍ପାନୀ, ପ୍ରକ୍ରିୟା ଓ ପ୍ରସ୍ତୁତିକରଣ ପାଇଁ ଆବଶ୍ୟକ ମୁତାବକ କୃଷି ଭିତ୍ତିଭୂମି ନ ଥିବା ଯୋଗୁ ଚାଷୀ ବହୁ ସମୟରେ ଅଭାବି ବିକ୍ରୀର ଶିକାର ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଥିବାର ଅନେକ ନଜିର ରହିଛି । ଓଡ଼ିଶା ରାଜ୍ୟରେ ଯଦି କୃଷି ଭିତ୍ତିକ ଶିଳ୍ପାନୁଷ୍ଠାନଗୁଡ଼ିକର ପୁନରୁଦ୍ଧାର ଓ ଆବଶ୍ୟକସ୍ଥଳେ ନୂତନ କୃଷି ଭିତ୍ତିକ ଶିଳ୍ପ ପ୍ରିତିଷ୍ଠା କରାଯାଏ ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟା ନିଶ୍ଚୟ ଭାବରେ କମି ପାରିବ । ରାଜ୍ୟରେ ପୂର୍ବରୁ ଥିବା ସୁତାକଳ, ଚିନିକଳ, ତେଲକଳଗୁଡ଼ିକର ପୁନରୁଦ୍ଧାର ହେବା ଏକାନ୍ତ ଜରୁରୀ । ସେହିଭଳି ଭାବରେ ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର, ନୂଆପଡ଼ା ପ୍ରଭୃତି ଅଞ୍ଚଳରେ ଓଡ଼ିଶାର ଧଳାସୁନା କପା ଉତ୍ପାଦନର ଯଥେଷ୍ଟ ସୁଯୋଗ ରହିଛି । ଯାହାକି ସୁତାକଳ ପାଇଁ ଯଥେଷ୍ଟ ସହାୟକ ହେବା ସହିତ ପ୍ରବାସୀ ଓଡ଼ିଆଙ୍କ ନିଯୁକ୍ତି ପାଇଁ ଏକ ବାଟ ବାହାରିବ । କୋରାପୁଟ ଜିଲ୍ଲାର ଶିମିଳିଗୁଡ଼ା, ପଟ୍ଟାଙ୍ଗୀ ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଦା ଓ ହଳଦୀ ଚାଷର ଯଥେଷ୍ଟ ଚାହିଦା ରହିଛି ।

ଏହି ଅଞ୍ଚଳରୁ ଉତ୍ପାଦିତ ଅଦା ଓ ହଳଦୀକୁ ମେଗା ପ୍ରକଳ୍ପ ଦ୍ୱାରା ପ୍ରସ୍ତୁତି କରାଯାଇ ବାହାର ରାଜ୍ୟ ଓ ଦେଶ ବିଦେଶକୁ ରତ୍ପାନୀ କରାଗଲେ ସ୍ଥାନୀୟ ଚାଷୀମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ନିଶ୍ଚୟ ହୋଇ ପାରିବ । ନବରଙ୍ଗପୁର ଜିଲ୍ଲାର ମକା ଓ ଅନ୍ୟ କେତେଗୋଟି ଜିଲ୍ଲାରେ ଉତ୍ପାଦିତ ହେଉଥିବା ସୁଇଟ୍ କର୍ଣ୍ଣ ମକାର ଯଥେଷ୍ଟ ଚାହିଦା ରହିଛି । ସେହିପରି ଦେବଗଡ଼ କିଲ୍ଲାରେ ଲିଚୁ ଓ ତରଭୁଜ ଚାଷ ଯଥେଷ୍ଟ କରାଯାଉଛି । ଚାଷୀଙ୍କ ପାଇଁ ଏହି ଦିଗରେ ଅଧିକ ସୁଯୋଗ ସୃଷ୍ଟି କରାଗଲେ ଚାଷୀମାନେ ଅଧିକ ଦି ପଇସା ପାଇ ପାରିବେ । କାଜୁ ଚାଷ ପାଇଁ ମଧ୍ୟ ଯଥେଷ୍ଟ ଭିତ୍ତିଭୂମି ରହିଛି ଏବଂ କାଜୁ ଉତ୍ପାଦନ କରାଯାଇ ପ୍ରୋସେସିଂର ବ୍ୟବସ୍ଥା ଅଗ୍ରଗତି କରାଯାଇ ପାରିବ ।

ସରକାରଙ୍କ ପକ୍ଷରୁ ଗୋ ପାଳନ, ଛାଗ ମେଷ, କୁକ୍କୁଟ ଓ ବତକ ଚାଷ ପାଇଁ ମଧ୍ୟ ଅଧିକ ସୁଯୋଗ ସୃଷ୍ଟି କରାଯାଇଛି । କିନ୍ତୁ ଏହାକୁ ବ୍ୟାପକତା କରିବା ଅତି ଜରୁରୀ । ମତ୍ସ୍ୟ ଚାଷ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଅଗ୍ରଗତି କରିଥିଲେ ମଧ୍ୟ ବହୁ ସମୟରେ ଆନ୍ଧ୍ର ଉପରେ ମାଛ ପାଇଁ ଆମକୁ ନିର୍ଭର କରିବାକୁ ପଡ଼ୁଛି । ତେଣୁ ସରକାରଙ୍କ ମୋ ପୋଖରୀ ଯୋଜନାରେ ଅଧିକରୁ ଅଧିକ ସାମିଲ ହେଲେ ସାଧାରଣତଃ ମାଛ ଉତ୍ପାଦନରେ ଅନ୍ୟ ଏକ ସୁବିଧା ମିଳିପାରିବ । ସେହିଭଳି ଆଳୁ ଓ ପିଆଜ ଚାଷ ପାଇଁ ସୁଯୋଗ ରହିଛି । ରାଜ୍ୟରେ ବର୍ଷକୁ ୧୨ ଲକ୍ଷ ମେଟ୍ରିକ୍ ଟନ୍ ଆଳୁର ଆବଶ୍ୟକତା ଓ ୬ ଲକ୍ଷ ଟନ୍ ପିଆଜର ଆବଶ୍ୟକତା ଥିବା ବେଳେ ବର୍ତ୍ତମାନ ଓଡ଼ିଶାରେ ବର୍ଷକୁ ପ୍ରାୟ ୨ ଲକ୍ଷ ଟନ୍ ଆଳୁ ଓ ୧ ଲକ୍ଷ ଟନ୍ ପିଆଜ ଉତ୍ପାଦନ କରାଯାଉଛି । ବ୍ୟବସ୍ଥା ଅନୁଯାୟୀ ଏହାର ମଧ୍ୟ ସଂମ୍ପ୍ରସାରଣ ଏକାନ୍ତ ଜରୁରୀ ।

ଦୁଗ୍ଧ କ୍ଷେତ୍ରରେ ଓଡ଼ିଶା ସ୍ୱାବଲମ୍ବୀ ହେବାକୁ ଯାଉଥିବା ବେଳେ ମଧ୍ୟ ଅନେକ କ୍ଷେତ୍ରରେ ବହୁ ବାଧା ବିଘ୍ନ ଉପୁଜୁଛି । ଫଳରେ ଦୁଗ୍ଧ ଚାଷୀମାନେ ଅନେକ ସମୟରେ ଅଭାବି ବିକ୍ରିର ଶିକାର ହେଉଛନ୍ତି ଏବଂ ଉପଯୁକ୍ତ ମୂଲ୍ୟ ପାଇ ପାରୁ ନାହାନ୍ତି । ଯଦି ସରକାରଙ୍କ ପକ୍ଷରୁ ଶିଶୁମାନଙ୍କର ପୁଷ୍ଟିସାର ପାଇଁ ରାଜ୍ୟର ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରରେ ଛୋଟ ପିଲାମାନଙ୍କୁ ମାଗଣାରେ ଦୁଗ୍ଧପାନ ପାଇଁ ବ୍ୟବସ୍ଥା କରାଯାଇ ପାରିବ, ଚାଷୀମାନେ ସରକାରଙ୍କଠାରୁ ଦୁଇ ପଇସା ଅଧିକ ପାଇ ପାରିଲେ ସେମାନଙ୍କ କ୍ଷତି ଭରଣାରେ ସହାୟକ ହୋଇ ପାରିବ ।

ସରକାରଙ୍କ ଘୋଷିତ ନୂତନ ସଂଶୋଧିତ ସମୃଦ୍ଧି କୃଷିନୀତିରେ ବହୁତଗୁଡ଼ିଏ ସକାରାତ୍ମକ ଆଭିମୁଖ୍ୟ ରହିଅଛି । ସେଗୁଡ଼ିକୁ ଆମ ଚାଷୀଭାଇମାନେ ଅଧିକରୁ ଅଧିକ ଜାଣିବା ଉଚିତ୍ । ଆଗ କାଳରେ କଥା ଥିଲା ବନ୍ଦର କଉଡ଼ି ପନ୍ଦର ଦିନକୁ ଚାକିରୀ ପଇସା ମାସେ । ହିଡ଼ ମାଟି ଯଦି ହିଡ଼େ ଲଦୁଥିବ ବସି ଖାଇବ ବରଷେ । ଅର୍ଥାତ- ବାହାର ରାଜ୍ୟରେ ରହି ନିଜକୁ ପ୍ରବାସୀ ଓଡ଼ିଆ ପରିଚୟ ଦେବା ଅପେକ୍ଷା ନିଜ ଚାଷ କ୍ଷେତ୍ରରେ ନିୟୋଜିତ ରହି ସ୍ୱାଭିମାନ ହେବାର ସୁଯୋଗ ସୃଷ୍ଟି କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ।

କିନ୍ତୁ ଅନେକ ସମୟରେ ସରକାରଙ୍କ ଯୋଜନାଗୁଡ଼ିକ ସାଧାରଣ ଚାଷୀଟିଏ ପାଖରେ ପହଞ୍ଚôବା କ୍ଷେତ୍ରରେ ବାଧକ ସୃଷ୍ଟି କରିଥାଏ । ଫଳରେ ଚାଷୀ ଆଶାଶୂନ୍ୟ ହୋଇ ବାହାରକୁ ଯିବା ପାଇଁ ଦାଦନ ଶ୍ରମିକ ରୂପେ ବାଟ ଖୋଜେ । ତେଣୁ ଏହାର ନିରାକରଣ ବ୍ୟବସ୍ଥା ପ୍ରତି ଜନସାଧାରଣ ଓ ସରକାର ଶତତ ଉଦ୍ୟମ କରିବା ବା‚ନୀୟ ।

Leave A Reply