Odisha news

ଫିଟୁଛି କାଳିଆ ଗୁମର : ପ୍ରଥମେ ଯୋଗ୍ୟ ହୋଇ ସହାୟତା ପାଇଥିବା ଚାଷୀ, ଅଯୋଗ୍ୟ ହେଲେ କିପରି ?

0

ମାହାଙ୍ଗା  : ଲଘୁଚାପ ଜନିତ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା ବେଳେ କାଳିଆ ଯୋଜନାରେ ପ୍ରଥମ କିସ୍ତି ଓ କେନ୍ଦ୍ର ସରକାରଙ୍କ ପିଏମ୍ କିସାନ ଯୋଜନାରେ ଥରେ ୨ ହଜାର ଟଙ୍କା ପାଇ ମାହାଙ୍ଗା ଅଂଚଳରେ ଅନେକ ଚାଷୀ ସରକାରୀ ସହାୟତା ପାଇବାକୁ ଆଶାବାନ୍ଧି ବସିଛନ୍ତି । କେତେକ ଚାଷୀ ବାରମ୍ବାର ବ୍ୟାଙ୍କରୁ ନିରାଶ ହୋଇ ଫେରିଲେଣି । ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ସୂଚନା ତଥ୍ୟ ନମ୍ବର ୧୫୮ ତା. ୧୮.୯.୧୯ ରିଖରେ ପ୍ରଦାନ କରାଯାଇଥିବା ସୂଚନା ଅନୁସାରେ ମାହାଙ୍ଗା ବ୍ଲକରେ କାଳିଆ ଯୋଜନାରେ ସରକାରୀ ସହାୟତା ପାଇବାକୁ ୩୯୭୪୩ ଜଣ ଯୋଗ୍ୟ ହୋଇଥିବା ବେଳେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ୫୪ ହଜାର ୧୦୯ ଜଣ ଆବେଦନ କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ କାଳିଆ ଯୋଜନାରେ ଯୋଗ୍ୟ ଦର୍ଶାଯାଇ କାଳିଆ ଯୋଜନାରେ ଅର୍ଥ ପାଇ ଥିବା ବେଳେ ୨ୟ ଥର କାଳିଆ ଯୋଜନାରେ ଯୋଗ୍ୟ ଚାଷୀ ଅଯୋଗ୍ୟ ହେଲେ କିପରି ? କିପରି ଯୋଗ୍ୟ ଚାଷୀମାନେ କେନ୍ଦ୍ର ସରକାରଙ୍କ କିସାନ ଯୋଜନାରେ ସହାୟତା ପାଇବାର ବଂଚିତ ହେଲେ । ଏ ସଂପର୍କରେ ମାହାଙ୍ଗା ବ୍ଲକ କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ସୂଚନା ଦେଇ କହିଛନ୍ତି ଯେ ଯେଉଁମାନେ କାଳିଆ ଯୋଜନାରେ ଅର୍ଥ ଥରେ ପାଇଛନ୍ତି କିମ୍ବା ପାଇନାହାଁନ୍ତି ସେମାନେ ଜନସେବା କେନ୍ଦ୍ରକୁ ଯାଇ ଅନ୍ଲାଇନ୍ ମାଧ୍ୟମରେ କାଳିଆ ଯୋଜନାରେ ନିଜର ନାମ ପଂଜିକରଣ କରନ୍ତୁ । ସେମାନଙ୍କୁ କାଳିଆ ଯୋଜନାରେ ଅର୍ଥ ମିଳିବ ।

କେବେ ଅର୍ଥ ମିଳିବ ସେ ସଂପର୍କରେ କୃଷି ଅଧିକାରୀ କହି ନଥିଲେ । ମାହାଙ୍ଗା ବ୍ଲକର ହଜାର ହଜାର ଚାଷୀ ଜନସେବା କେନ୍ଦ୍ରରେ ୫୦ ରୁ ୧୦୦ ଟଙ୍କା ଖର୍ଚ୍ଚ କରି କାଳିଆ ଯୋଜନାରେ ନାମ ପଂଜିକରଣ କରିଥିଲେ ମଧ୍ୟ ସେମାନେ ୭ ମାସ ବିତିଯାଇଥିଲେ କାଳିଆ ଯୋଜନାର ଅର୍ଥ ଦେଖାନାହିଁ । କି କେନ୍ଦ୍ର ସରକାରଙ୍କ ଅର୍ଥ ମିଳିଲା ନାହିଁ । ଏଠାରେ ପ୍ରଶ୍ନ ଉଠେ ଯେ କୃଷି ବିଭାଗ ମାହାଙ୍ଗା ବ୍ଲକରେ ପ୍ରଥମେ ଯୋଗ୍ୟ ଚାଷୀଙ୍କ ନାମ ଓ ତାଲିକା ୩୯୭୪୩ ଜଣଙ୍କ ନାମ ୩୭ ଟି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଟାଙ୍ଗିଥିଲା ବେଳେ ସେମାନଙ୍କମଧ୍ୟରୁ ଅଧିକାଂଶ ଅଯୋଗ୍ୟ ହେଲେ କିପରି । ସାଧାରଣରେ ଚର୍ଚ୍ଚା ହେଉଛି ଯେ ନିର୍ବାଚନ ଆଖି ଆଗରେ ରଖି ସରକାର କାଳିଆ ଯୋଜନା ସହାୟତା ପ୍ରଦାନ କରିଥିଲେ । ନିର୍ବାଚନ ପରେ ସରକାର ଚାଷୀଙ୍କୁ ଭଣ୍ଡେି ଦେଲେ । ଏଣୁ ମାହାଙ୍ଗା ଅଂଚଳରେ ସୃଷ୍ଟି ହୋଇଥିବା ଚାଷୀଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରି ସେମାନଙ୍କୁ ଉଭୟ ସରକାରଙ୍କ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

Leave A Reply