ନାଟ୍ୟସାରଥି ଅଭୟ କୁମାର ଦାସ : ସତ୍ୟର ମହାନାୟକ ତଥା କୋଟି କୋଟି ଭାରତୀୟ ଜନଗଣଙ୍କ ପୂଜ୍ୟ ସମସ୍ତଙ୍କ ପ୍ରିୟ ମୋହନଦାସ କରମ ଚାନ୍ଦ ଗାନ୍ଧୀ ବା ମହାତ୍ମା ଗାନ୍ଧୀଙ୍କୁ ନେଇ ରୂପେଲି ପରଦାରେ ସେତେ ବେଶି ସିନେମା ତିଆରି ନ ହୋଇଥିଲେ ବି ଯେଉଁ କ୍ୱଚିତ୍ ଗାନ୍ଧୀ ଚଳଚ୍ଚିତ୍ର ତିଆରି ହୋଇଛି ତାହା ସମଗ୍ର ବିଶ୍ୱବ୍ୟାପୀ ଜନାଦୃତ ହୋଇଛି । ବିଶିଷ୍ଟ ଇଂରାଜୀ ଚଳଚ୍ଚିତ୍ର ପ୍ରଯୋଜକ ତଥା ଅଭିନେତା ଏକାଧାରାରେ ଜଣେ ଶିଳ୍ପପତି ଓ ଖ୍ୟାତନାମା ନିଦେ୍ର୍ଦଶକ ରିଚାର୍ଡ଼ ଆଟେନ୍ବରୋ ସର୍ବ ପ୍ରଥମେ ଗାନ୍ଧିଜୀଙ୍କ ଜୀବନ କାହାଣୀକୁ ନେଇ ଏକ ଚଳଚ୍ଚିତ୍ର ପ୍ରସ୍ତୁତି ପାଇଁ ଆଗ୍ରହ ପ୍ରଦର୍ଶନ କରିଥିଲେ କାରଣ ସେ ଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଜଣେ ବହୁତ ବଡ଼ ପ୍ରଶଂସକ । ଗାନ୍ଧିଜୀଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର କରିବା ପାଇଁ ରିଚାର୍ଡ଼ ବହୁତ କଷ୍ଟ ସ୍ୱୀକାର କରିଥିଲେ । ସର୍ବପ୍ରଥମେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ଲର୍ଡ ଲୁଇସ୍ ମାଉଣ୍ଟ ବେଣ୍ଟନ୍ଙ୍କ ସହାୟତାରେ ସାକ୍ଷାତ କରିଥିଲେ । ଯାହାଦ୍ୱାରା ନେହେରୁ ଏହି ଚଳଚ୍ଚିତ୍ର ପ୍ରସ୍ତୁତି ପାଇଁ ଅନୁମତି ଦେବା ସହ ଆବଶ୍ୟକୀୟ ସାହାଯ୍ୟ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେବେ ନେହେରୁଙ୍କ ମହାପ୍ରୟାଣ ଘଟିବାରୁ ତଥା ଏହି ଗାନ୍ଧିପ୍ରକଳ୍ପର ମୁଖ୍ୟ ଉଦ୍ୟୋକ୍ତା କୋଠାରୀ ସାହେବଙ୍କ ବିୟୋଗ କାରଣରୁ ଏହି ଚଳଚ୍ଚିତ୍ର ପ୍ରସ୍ତୁତି ଘୁଞ୍ଚô ଯାଇଥିଲା । ଚଳଚ୍ଚିତ୍ରର ସଂଳାପ ଲେଖିଥିଲେ ଜନ୍ ବ୍ରେଲି । ତେବେ ପରବର୍ତ୍ତୀ ସମୟରେ ଅନେକ ଘାତ ପ୍ରତିଘାତ ଭିତରେ ୨୬ ନଭେମ୍ବର ୧୯୮୦ରେ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇ ୧୦ ମଇ ୧୯୮୧ରେ ଏହାର ପ୍ରସ୍ତୁତି ଶେଷ ହୋଇଥିଲା ।
ଗାନ୍ଧିଜୀଙ୍କୁ ନେଇ ଏହି ଚଳଚ୍ଚିତ୍ର ସର୍ବପ୍ରଥମେ ବଡ଼ ପ୍ରତିବନ୍ଧକକୁ ସାମ୍ନା କରିଥିଲା ତାହାଥିଲା କଳାକାର ଚୟନ । ବିଶିଷ୍ଟ ଅଭିନେତା ବେନ୍ କିଙ୍ଗସ୍ଲେ ଗାନ୍ଧିଜୀଙ୍କ ଭୂମିକାରେ ଅଭିନୟ କରିବା ପାଇଁ ରାଜି ହୋଇଥିଲେ । ତେବେ କୁହାଯାଏ ଗାନ୍ଧିଜୀଙ୍କ ଚେହେରା ସହ କିଙ୍ଗସ୍ଲେଙ୍କ ଚେହେରା ଅନେକାଂଶରେ ମିଶୁଥିବାରୁ ତଥା ଜଣେ ଖ୍ୟାତନାମା ଅଭିନେତା ହୋଇଥିବାରୁ ସେ ଏହି ଗୁରୁଦାୟିତ୍ୱ ପାଇଁ ମନୋନୀତ ହୋଇଥିଲେ । ପରବର୍ତ୍ତୀ ସମୟରେ ଏହି ଅଭିନୟ ପାଇଁ ସେ ପୃଥିବୀ ସ୍ତରର ସମ୍ମାନ ଜନକ ଓସ୍କାର, ଗ୍ରାମୀ, ବାଗ୍ତା, ଗୋଲଡେନ ଗ୍ଲୋବ ପୁରସ୍କାର ପାଇଥିଲେ । ଏହି ଗାନ୍ଧିଜୀଙ୍କ ଚଳଚ୍ଚିତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କସ୍ତୁରବା ଗାନ୍ଧୀଙ୍କ ଭୂମିକାରେ ରୋହିଣୀ ହତାଙ୍ଗଡ଼ି, ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଭୂମିକାରେ ରୋଶନ ସେଠ୍, ସର୍ଦ୍ଦାର ବଲ୍ଲଭଭାଇଙ୍କ ଭୂମିକାରେ ବୀରେନ୍ଦ୍ର ଜାଫ୍ରି, ମୌଲାନା ଆଜାଦ୍ଙ୍କ ଭୂମିକାରେ ବୀରେନ୍ଦ୍ର ରାଜଦାନ, ଗୋପାଳକୃଷ୍ଣ ଗୋଖଲେଙ୍କ ଭୂମିକାରେ ଶ୍ରୀରାମ ଲାଗୁ, ନାହାରୀ ଭୂମିକାରେ ଓମ୍ପୁରୀ, ଗାନ୍ଧିଜୀଙ୍କ ବ୍ୟକ୍ତିଗତ ସଚିବ ମହାଦେବ ଦେଶାଇଙ୍କ ଭୂମିକାରେ ପଙ୍କଜ ମୋହନ, ଗାନ୍ଧିଜୀଙ୍କ ଦ୍ୱିତୀୟ ସଚିବ ପ୍ୟାରେଲାଲ ନାୟାରଙ୍କ ଭୂମିକାରେ ପଙ୍କଜ କପୁର, ଆଚାର୍ଯ୍ୟ କୃପାଳିନୀଙ୍କ ଭୂମିକାରେ ଅନଙ୍ଗ ଦେଶାଇ, ଖାନ୍ ଅବଦୁଲ୍ ଗଫର ଖାଁଙ୍କ ଭୂମିକାରେ ଦିଲ୍ଶେର୍ ସିଂ, ମନୁ ଓ ଆଭାଙ୍କ ଭୂମିକାରେ ଯଥାକ୍ରମେ ସୁପ୍ରିୟା ପାଠକ ଓ ନୀନା ଗୁପ୍ତା, ନାଥୁରାମ ଗଡ଼୍ସେଙ୍କ ଭୂମିକାରେ ହର୍ଷ ନାୟାର୍, ଆଗା ଖାଁ ପେଲେସ୍ର ଡାକ୍ତରଙ୍କ ଭୂମିକାରେ ଟମ୍ ଅଲ୍ଟର୍ଙ୍କ ସମେତ ବିଭିନ୍ନ ଇଂରେଜଙ୍କ ଚରିତ୍ରରେ ଇଂରେଜ କଳାକାର ଅଭିନୟ କରିଥିଲେ । ତିନିଘଣ୍ଟା ତିନିମିନିଟ୍ର ଏହି ଚଳଚ୍ଚିତ୍ରର ପ୍ରଥମ ଝଲକ୍ ରହିଛି ଗାନ୍ଧିଜୀଙ୍କ ମୃତୁ୍ୟ ଦିବସ ଅର୍ଥାତ୍ ୩୦ ଜାନୁୟାରୀ ୧୯୪୮ରୁ ।
ଏହି ବିଶ୍ୱ ପ୍ରସିଦ୍ଧ ଚଳଚ୍ଚିତ୍ର ୩୦ ନଭେମ୍ବର ୧୯୮୨ରେ ନୂଆଦିଲ୍ଲୀରେ ମୁକ୍ତିଲାଭ କରିଥିଲା । ଏବଂ ଏହାର ଦୁଇଦିନ ପରେ ଅର୍ଥାତ୍ ୨ ଡିସେମ୍ବରରେ ଲଣ୍ଡନର ଓଡେନ୍ଲିସେଷ୍ଟର ସ୍କୋୟାର ସ୍ଥିତ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ତେବେ ଗାନ୍ଧିଜୀ ବା ଗାନ୍ଧୀବାଦକୁ ନେଇ ଭାରତର ବିଭିନ୍ନ ସମୟରେ ତିଆରି ହୋଇଥିବା ଚଳଚ୍ଚିତ୍ର ବେଶ୍ ଜନାଦୃତ ହୋଇଛି । ୧୯୯୬ରେ ତିଆରି ହୋଇଥିବା ଦି ମେକିଙ୍ଗ ଅଫ୍ ଦ ମହାତ୍ମା, ୨୦୦୫ରେ ମେନେ ଗାନ୍ଧୀକୋ ନେହିଁ ମାରା, ୨୦୦୬ରେ ଲଗେ ରହୋ ମୁନ୍ନା ଭାଇ ଓ ୨୦୦୭ରେ ଗାନ୍ଧୀ ମାଇଁ ଫାଦର ଅନ୍ୟତମ ।
୧୯୬୮ରେ ଗାନ୍ଧୀ ନ୍ୟାସନାଲ ମେମୋରିଆଲ୍ ଫଣ୍ଡ ଓ ଫିଲ୍ମସ୍ ଡିଭିଜନର ମିଳିତ ଉଦ୍ୟମରେ ମହାତ୍ମା ଲାଇଫ୍ ଅଫ୍ ଗାନ୍ଧୀ ଶୀର୍ଷକ ଏକ ଡକୁ୍ୟମେଣ୍ଟାରୀ ପ୍ରସ୍ତୁତ ହୋଇଥିଲା । ଯାହାର ନିଦେ୍ର୍ଦଶନା ଦେଇଥିଲେ ବିଠଲ୍ ଭାଇ ଜାଭେରୀ । ତେବେ ବିଭିନ୍ନ ସମୟରେ ବିଭିନ୍ନ ଚଳଚ୍ଚିତ୍ରରେ ମହାତ୍ମା ଗାନ୍ଧୀଙ୍କ ଭୂମିକାରେ କିଛି ଅଭିନେତା ସେମାନଙ୍କର ଅଭିନୟର ଯାଦୁ ପ୍ରଦର୍ଶିତ କରିଥିଲେ । ୧୯୯୩ରେ ସର୍ଦ୍ଦାର ଚଳଚ୍ଚିତ୍ରରେ ଅନୁକାପୁର, ୧୯୯୮ରେ ଜିନା ଚଳଚ୍ଚିତ୍ରରେ ଶାମ୍ ଦସ୍ତୁର୍, ୨୦୦୦ରେ ଡକ୍ଟର ବାବା ସାହେବ ଆମ୍ବଦକର ସିନେମାରେ ମୋହନ ଗୋଖଲେ । ୨୦୦୦ରେ ହେରାମ ଚଳଚ୍ଚିତ୍ରରେ ନାସିରୁଦ୍ଦିନ୍ ଶାହା, ୨୦୦୨ରେ ଦିଲିଜେଣ୍ଡ ଅଫ୍ ଭଗତ୍ ସିଂହରେ ସୁରେନ୍ଦ୍ର ରାଜନ୍, ୨୦୦୫ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ ଫରଗଟନ୍ ହିରୋ ସିନେମାରେ ସୁରେନ୍ଦ୍ର ରାଜନ୍ ଗାନ୍ଧିଜୀଙ୍କ ଭୂମିକାରେ ଅଭିନୟ କରିଥିଲେ ।
ମହାତ୍ମା ଗାନ୍ଧୀଙ୍କ ନୀତି, ଆଦର୍ଶ, ଜୀବନଚର୍ଯ୍ୟା ଓ କର୍ମଶୈଳୀ ସବୁକିଛି ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ । ବିଭିନ୍ନ ଭାରତୀୟ ପ୍ରାନ୍ତୀୟ ଭାଷାରେ ଗାନ୍ଧିଜୀଙ୍କୁ ନେଇ ସିନେମା ତିଆରି ହୋଇଥିଲେ ବି ଓଡ଼ିଆ ଭାଷାରେ ଗାନ୍ଧିଜୀଙ୍କୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରି କୌଣସି ଚଳଚ୍ଚିତ୍ର ଏଯାବତ୍ ତିଆରି ହୋଇନାହିଁ ।