Odisha news

ପୋଷ୍ୟ ବିଦ୍ୟାଳୟର କାହାଣୀ : ବଲୁରିଆରୁ ଟାଟା ନଗର

0

ବାଦଲ ଭୂୟାଁ : ରାଜ୍ୟ ସରକାରଙ୍କ ପୋଷ୍ୟ ବିଦ୍ୟାଳୟ ଯୋଜନା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ରାଜନେତା, ପ୍ରଶାସକ, ବିଚାରପତି ଓ ପୋଲିସ ଅଧିକାରୀ । ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ରାପଡ଼ାର ଝିଅ ମିଶନ ଶକ୍ତି ନିଦେ୍ର୍ଦଶିକା ତଥା ଜଣେ ସୁଦକ୍ଷ ଓ ଲୋକପ୍ରିୟ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ୍ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନ ବଲୁରିଆ ସ୍କୁଲକୁ ଏହି ଲୋକପ୍ରିୟ ଆଇଏଏସ୍ ପୋଷ୍ୟ ଭାବେ ଗ୍ରହଣ କରିବା ପରେ ଏହାର ମହକ ବଲୁରିଆରୁ ଝାଡ଼ଖଣ୍ଡର ଟାଟା ନଗର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି । ବଲୁରିଆ ବିଦ୍ୟାଳୟଟି ରାତାରାତି ଚର୍ଚ୍ଚାକୁ ଆସିଛି ଏଇଥିପାଇଁ ଏହା ପଛରେ ରହିଛି ଜଣେ ଲୋକପ୍ରିୟ ଓ ଭଗବାନ ସଦୃଶ ଶିଶୁରୋଗ ବିଶେଷଜ୍ଞଙ୍କ ଅବଦାନ, ତ୍ୟାଗ ଓ ସ୍ୱୀକୃତି । ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନ ବଲୁରିଆ ସରକାରୀ ହାଇସ୍କୁଲ ସ୍ଥାନୀୟ ଅଞ୍ଚଳର ଏକ ଗରିମାମୟ ପୁରାତନ ହାଇସ୍କୁଲ ଭାବେ ପରିଚିତ । ଚବିଶ ଡେସିମିଲ ପରିମିତ ଜାଗାରେ ବି୍ରଟିଶ ଶାସନ ସମୟରେ ଆତ୍ମ ପ୍ରକାଶ କରିଥିବା ଏହି ବିଦ୍ୟାଳୟରେ ପ୍ରଥମେ ଚତୁର୍ଥରୁ ସପ୍ତମ ଓ ପରେ ହାଇସ୍କୁଲ ଶିକ୍ଷା ଆରମ୍ଭ ହୋଇଥିଲା ।

୧୯୪୫ ମସିହାରେ ଏଠାରେ ପ୍ରଥମେ ଚତୁର୍ଥରୁ ସପ୍ତମ ଶ୍ରେଣୀ ଯାଏ ପାଠପଢ଼ା ଆରମ୍ଭ ହୋଇଥିଲା । ୧୯୫୭ ମସିହାରେ ଅଷ୍ଟମ, ନବମ ଓ ଦଶମ ତିନୋଟି ଶ୍ରେଣୀ ଖୋଲିବା ପରେ ସ୍ଥାନୀୟ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇବାର ସୁଯୋଗ ପାଇଲେ । ଏହି ଅଞ୍ଚଳଟି ନଦୀନାଳ ଓ ଦୁର୍ଗମ ରାସ୍ତାଘାଟର ଦୁରାବସ୍ଥା ଭିତରେ ଛାତ୍ରଛାତ୍ରୀଙ୍କ ପାଇଁ ଅତି କଷ୍ଟକର ହେଉଥିଲା ଦୂର ବିଦ୍ୟାଳୟକୁ ଯାଇ ପାଠ ପଢ଼ିବା ନିମିତ୍ତ । ଏହି ବିଦ୍ୟାଳୟରୁ ପାଠ୍ୟକ୍ରମ ଶେଷକରି ଅନେକ କୃତୀତ୍ୱ ବିମଣ୍ଡିତ ଛାତ୍ରଛାତ୍ରୀ ବର୍ତ୍ତମାନ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ମର୍ଯ୍ୟଦା ଦାୟକ ପଦପଦବୀରେ ବିମଣ୍ଡିତ ହୋଇଛନ୍ତି । ଏହା ସହ ସେମାନେ ନିଜ ଅଞ୍ଚଳର ଗୌରବ ବଢ଼ାଇବା ସହ ପ୍ରଗତିରେ ନିଜକୁ ସାମିଲ କରିଛନ୍ତି ।

ଅନେକ ଓଡ଼ିଆ ବା ସହୃଦୟ ପାଠକ ଜାଣିନଥିବେ ଯେ ମିଶନ ଶକ୍ତିର ନିଦେ୍ର୍ଦଶିକା ଥିବା ଲୋକପ୍ରିୟ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କର ବାପା ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅକ୍ଷୟ ରାଉତ ଏହି ବିଦ୍ୟାଳୟରେ ତାଙ୍କ ପାଠ୍ୟପଢ଼ା ଖଡ଼ି ଜୀବନର ଅୟାମାରମ୍ଭ ହୋଇଥିଲା । ଏହିଠାରୁ ସେ ବିଦ୍ୟା ଆରମ୍ଭ କରି ହାଇସ୍କୁଲ ଶିକ୍ଷା ଶେଷ କରିଥିଲେ । ତୁଳସୀ ଦୁଇ ପତ୍ରରୁ ବାସିବା ପରି ପିଲାଟି ଦିନରୁ ତାଙ୍କ ମେଧାଶକ୍ତି ଓ ଅଧ୍ୟବସାୟ ଜଣାପଡ଼ିଥିଲା । ତାଙ୍କ ଅସାଧାରଣ ପ୍ରତିଭା ସେ ସମୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିମୋହିତ କରିଥିଲା । ବିଦ୍ୟାଳୟର ପ୍ରତିଟି ଶ୍ରେଣୀରେ କୃତୀତ୍ୱର ସହ ଭଲ ମାର୍କ ରଖିବା ସହ ତାଙ୍କ ବିନମ୍ର ଓ ସହପାଠୀଙ୍କ ସହ ଅନ୍ତରଙ୍ଗ ବନ୍ଧୁତ୍ୱ ଅନ୍ୟମାନଙ୍କୁ ଆନନ୍ଦର ମହକ ଯୋଗାଉଥିଲା । ସେ କେବଳ ନିଜ ପାଠ୍ୟ ସାଥୀ ନୁହେଁ ବରଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଆଦର ଓ ସ୍ନେହର ଯୋଗ୍ୟ ହୋଇପାରିଥିଲେ ।

କେନ୍ଦ୍ରାପଡ଼ାର ଅଗମ୍ୟ ମଫସଲ ସେ ସମୟର ବଲୁରିଆରୁ ଝାଡ଼ଖଣ୍ଡର ଟାଟା ନଗର ପର୍ଯ୍ୟନ୍ତ ପହଞ୍ଚôବା ପାଇଁ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅକ୍ଷୟ ରାଉତଙ୍କ ଯାତ୍ରା ଅନେକ ପ୍ରତିବନ୍ଧକ ଭିତରେ ଆଗେଇଥିଲା । ନିଜ ମାଟି ମୂଲକ ପାଇଁ ସେବା କରିବା ନିଜ ରାଜ୍ୟର ଗରିବ, ଅସହାୟ ଶିଶୁମାନଙ୍କ ଚିକିତ୍ସା କରିବାର ବ୍ରତକୁ ସେ ଜୀବନର ଧର୍ମ କରିଥିଲେ । ସେ ସମୟରେ ଉଚ୍ଚଶିକ୍ଷା ପାଇଁ ଅନେକ ଅନ୍ତରାୟ ସବୁ ଉପୁଜୁଥିଲା । ଆଜିକା ସମୟ ପରି ପାଠ୍ୟକ୍ରମର ଏତେ ସୁଲଭତା ଉପଲବ୍ଧ ହେଉନଥିଲା । ହେଲେ ତୀକ୍ଷ୍ଣ ମେଧାସମ୍ପନ୍ନ ବୌଧିକ ଗୌରବର ପ୍ରତୀକ ଡାକ୍ତର ଅକ୍ଷୟ ରାଉତ ନିଜ ଜୀବନକୁ ସମାଜର ସେବା ପାଇଁ ବ୍ରତ ରୂପେ ପଣ କରିଥିଲେ । ଓଡ଼ିଶା ସହ ଝାଡ଼ଖଣ୍ଡର ଟାଟାନଗର ହେଉଛି ତାଙ୍କର କର୍ମସ୍ଥଳୀ । ଏହି ଟାଟାନଗରରେ ସେ ଜଣେ ଶିଶୁରୋଗ ବିଶେଷଜ୍ଞ ଓ ଜଣେ ସମାଜ ସେବକ ଭାବେ ବେଶ ପ୍ରତିଷ୍ଠିତ । ତେବେ ବଲୁରିଆ ବିଦ୍ୟାଳୟ ସରକାରୀ ମାନ୍ୟତା ପାଇଥିଲେ ମଧ୍ୟ ଅନେକ ସମସ୍ୟାକୁ ସାମ୍ନା କରୁଥିଲା ।

ଏହି ବିଦ୍ୟାଳୟରେ ମଞ୍ଜୁର ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ପାଖାପାଖି ୫୦ ପ୍ରତିଶତ କମ୍ ରହିଛନ୍ତି । ଗୁରୁତ୍ୱପୂର୍ଣ୍ଣ ନବମ ଓ ଦଶମ ଶ୍ରେଣୀ ପାଇଁ ମାତ୍ର ଚାରିଜଣ ଶିକ୍ଷକ ଶିକ୍ଷୟିତ୍ରୀ ଦାୟିତ୍ୱରେ ରହିଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରଲେଖା ବେଉରାଙ୍କ ବ୍ୟତୀତ କଳା ଓ ବିଜ୍ଞାନରେ ଜଣେ ଓ ଜଣେ ମାତ୍ର ହିନ୍ଦୀ ଶିକ୍ଷୟିତ୍ରୀ ଅଛନ୍ତି । ଏହି ବିଦ୍ୟାଳୟରେ କଳା, ବିଜ୍ଞାନ, ସଂସ୍କୃତ ଓ ଖେଳ ଶିକ୍ଷକ ନଥିବାରୁ ପିଲାମାନେ ଅସୁବିଧା ସାମ୍ନା କରିବା ସହ ବିଦ୍ୟାଳୟର କିରାଣୀ ନଥିବାରୁ ଅନେକ ଅସୁବିଧା ସୃଷ୍ଟି ହୋଇଥାଏ । ଯାହାପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଫିସ କାଗଜପତ୍ର ବୁଝିବାକୁ ବାଧ୍ୟ ହୁଅନ୍ତି । ସେହିପରି ବିଦ୍ୟାଳୟରେ ପାନୀୟଜଳ, ପରିମଳ ଅସୁବିଧା ସହ ଶ୍ରେଣୀ ଗୃହର ଅଭାବ ରହିଥିଲା । ଏସବୁ ଜାଣିବା ପରେ ଆଇଏଏସ୍ ଶ୍ରୀମତୀ ପାଣ୍ଡିଆନ ମୋ ସ୍କୁଲ ଅଭିଯାନ ଅଧୀନରେ ନିଜ ଗାଁର ଏହି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବା ପରେ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସହ ସର୍ବାଙ୍ଗୀନ ଉନ୍ନତିର ଆଶା ସୃଷ୍ଟି ହୋଇଛି । ଏ ନେଇ ସ୍ଥାନୀୟ ପ୍ରଶାସନ ମଧ୍ୟ ତତ୍ପର ହୋଇଛନ୍ତି ।

ସୂଚନାଥାଉକି ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୭୩ଜଣ ଛାତ୍ରଛାତ୍ରୀ ଓ ନବମ ଓ ଦଶମ ଶ୍ରେଣୀରେ ୧୨୫ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଞ୍ଚଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିବାବେଳେ ପ୍ରାଥମିକ ସ୍କୁଲ ପାଇଁ ତିନିଜଣ ଓ ହାଇସ୍କୁଲ ପାଇଁ ବିଷୟଭିତ୍ତିକ ଶିକ୍ଷକ, କିରାଣୀ ଓ ପିଅନଙ୍କ ଆବଶ୍ୟକତା ରହିଛି । ଜଳ, ପରିମଳ, ଟୟଲେଟ, ରିଡିଂରୁମ୍, ଉନ୍ନତ ଖେଳପଡ଼ିଆ ସହ ଷ୍ଟାଡିୟମ୍ର ଆବଶ୍ୟକତା ମଧ୍ୟ ରହିଛି । ସୁଦକ୍ଷ ଆଇଏଏସ୍ ଶ୍ରୀମତୀ କାର୍ତ୍ତିକେୟଙ୍କ ପିତା ସ୍ୱର୍ଗତଃ ଡାକ୍ତର ଅକ୍ଷୟ କୁମାର ରାଉତଙ୍କ ସ୍ମୃତିରେ ତାଙ୍କ ସୁକନ୍ୟା ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରିପାରିଲେ ବହୁ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି ହେବାସହ ତାଙ୍କ ପିତାଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସ୍ଥାନୀୟ ଅଧିବାସୀ ଓ ଶିକ୍ଷାବିତ୍ମାନେ ମତ ଦିଅନ୍ତି । ନିଜ ଜନ୍ମମାଟି ପିଲାଦିନର ଖଡ଼ି ଛୁଇଁ ଥିବା ବିଦ୍ୟାଳୟ ପ୍ରତି ଆଗ୍ରହ ରଖିବା ଓ ଏହାର ସର୍ବାଙ୍ଗୀନ ଉନ୍ନତି ପାଇଁ ଓଡ଼ିଶା ସରକାରଙ୍କ ଏହି କାର୍ଯ୍ୟକ୍ରମ ପ୍ରଶଂସନୀୟ ନିଶ୍ଚୟ ।

Leave A Reply