Odisha news

ନିଜ ମାତୃଭାଷା ଆଗରେ ରଖ : ୨୧ ଫେବୃଆରୀ, ଆନ୍ତର୍ଜାତିକ ମାତୃଭାଷା ଦିବସ ଉପଲକ୍ଷେ ……..

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଆଜି ଆନ୍ତର୍ଜାତିକ ମାତୃଭାଷା ଦିବସ । ମାତୃଭାଷାର ସୁରକ୍ଷା ପାଇଁ ସଂକଳ୍ପ ନେବାର ଦିନଟିଏ । ଏହି ଦିବସ ଆମକୁ ଭାଷାର ଆବଶ୍ୟକତା ବିଶେଷ କରି ମାତୃଭାଷାର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଇଥାଏ । ଭାଷାହିଁ ଜାତିର ପରିଚୟ । ଭାଷା ମରିଗଲେ ଜାତି ମରିଯିବ । ଏହି କଥାକୁ ହୃଦୟଙ୍ଗମ କରି ୧୯୯୯ ମସିହା ନଭେମ୍ବର ୧୭ତାରିଖରେ ୟୁନେସ୍କୋ ୨୦୦୦ମସିହା ଫେବୃଆରୀ ୨୧ ତାରିଖକୁ ଆନ୍ତର୍ଜାତିକ ମାତୃଭାଷା ଦିବସରୂପେ ପାଳନ କରିବାକୁ ଘୋଷଣା କଲା ।

ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ସାରା ବିଶ୍ୱରେ ଏହି ତାରିଖକୁ ଆନ୍ତର୍ଜାତିକ ମାତୃଭାଷାଦିବସରୂପେ ପାଳନ କରାଯାଉଛି । ଉଦେ୍ଦଶ୍ୟ ହେଲା ଭାରତ ପରି ବହୁଭାଷାଭାଷୀ ଦେଶରେ ପ୍ରତ୍ୟେକ ରାଜ୍ୟ ତା’ର ମାତୃଭାଷାକୁ ସମଭାବରେ ସମ୍ମାନ ଦେଲେ ରାଜ୍ୟରାଜ୍ୟ ମଧ୍ୟରେ ତଥା ଦେଶରେ ସ୍ନେହ, ଭାଇଚାରା ଓ ସ୍ୱଦେଶପ୍ରେମ ଜାଗ୍ରତ ହେବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଆଜକୁ ୬୯ ବର୍ଷ ତଳେ ୧୯୫୨ ମସିହା ଫେବୃଆରୀ ୨୧ ତାରିଖରେ ବାଂଗଲା ଦେଶରେ ବଙ୍ଗଳାଭାଷାକୁ ରାଷ୍ଟ୍ରଭାଷାର ମାନ୍ୟତା ଦେବାପାଇଁ ଆନେ୍ଦାଳନକୁ ବାହାରିଥିବା ଢାକା ବିଶ୍ୱବିଦ୍ୟାଳୟର ୪ ଜଣ ଛାତ୍ର ଅବ୍ଦୁସ ସାଲେମ୍, ରଫିକୁଦ୍ଦିନ ଅହମ୍ମଦ, ଅବଦୁଲ ବରକତ୍ ଓ ଅବଦୁଲ ଜବର ଭାଷା ପାଇଁ ପୋଲିସ ଗୁଳିରେ ସହିଦ ହୋଇଗଲେ । ତେଣୁ ଏହି ତାରିଖ ସହିତ ସେହି ସ୍ମୃତି ଜଡିତ ହୋଇ ରହିଛି ।

କୁହାଯାଏ ମାତୃଭାଷା ମା’ର ଭାଷା – ପ୍ରାଣର ଭାଷା । ମାତୃଭାଷା ସହିତ ପ୍ରତ୍ୟେକ ମଣିଷର ନାଡିର ସମ୍ପର୍କ ରହିଛି । ଏଣୁ ମାତୃଭାଷାର ପ୍ରସାର ଓ ପ୍ରଚାର ସ୍ନେହ, ଶ୍ରଦ୍ଧା ଓ ସଂପ୍ରୀତିର ବାତାବରଣ ସୃଷ୍ଟି କରିଥାଏ । ବିଶେଷତଃ ଭାରତ ଭଳି ବହୁଭାଷାଭାଷୀ ଦେଶ ପାଇଁ ମାତୃଭାଷାର ସୁରକ୍ଷା ଅପରିହାର୍ଯ୍ୟ । ତା ନହେଲେ ଭବିଷ୍ୟତରେ ଭାଷା ସଙ୍କଟ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ଯେଭଳି ଭାରତ ପାଇଁ ପ୍ରଯୁଜ୍ୟ, ପୃଥିବୀର ଅନ୍ୟ ଦେଶମାନଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ପ୍ରଯୁଜ୍ୟ ।

ସମୀକ୍ଷକମାନଙ୍କ ମତରେ ଏବେ ବିଶ୍ୱରେ ପ୍ରାୟ ୬ ରୁ ୭ ହଜାର ଭାଷା ରହିଛି । କିନ୍ତୁ ଆଗାମୀ ଏକବିଂଶ ଶତାବ୍ଦୀ ଶେଷ ସୁଦ୍ଧା ହୁଏତ ଏଥିରୁ ୯୦ ଭାଗ ଭାଷାର ଅସ୍ତିତ୍ୱ ଲୋପ ପାଇବ । କାରଣ ଅଧୁନା ବିଶ୍ୱର ଶତକଡା ୯୫ ଭାଗ ଲୋକ ମାତ୍ର ୧୦୦ଟି ଭାଷାରେ କଥାବାର୍ତ୍ତା ହେଉଛନ୍ତି । ଆହୁରି ଆଶ୍ଚର୍ଯ୍ୟର କଥା ଯେ ବିଶ୍ୱରେ ପ୍ରାୟ ଅଦେ୍ର୍ଧକ ଲୋକ ମାତ୍ର ୮ଟି ଭାଷାରେ କଥାବାର୍ତ୍ତା ହେଉଛନ୍ତି ଯଥା – ଚୀନ,ହିନ୍ଦୀ, ଇଂରାଜୀ,ସ୍ପେନିଶ୍, ରୁଷ୍, ବଙ୍ଗଳା, ଆରବୀ ଓ ପର୍ତ୍ତୃଗୀଜ । କିନ୍ତୁ ଆଜି କେବଳ ଆମର ମାତୃଭାଷା ଓଡିଆ ନୁହେଁ, ଭାରତର ପ୍ରତ୍ୟେକ ଭାଷା ତଥା ପୃଥିବୀର ଅନେକ ଭାଷା ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ଆଜି ପ୍ରତ୍ୟେକ ଦେଶ ଏ ସଙ୍କଟରୁ ମୁକ୍ତି ପାଇବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ।

ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳନ କରାଯିବା ଅବସରରେ ଆମ ମାତୃଭାଷା ଓଡିଆର ସ୍ଥିତି କେଉଁଠି ତାହା ନକହିବା ଭଲ । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠିତ ହେବା ଏକ ଐତିହାସିକ ଘଟଣା । ବହୁ ଘାତ ପ୍ରତିଘାତ ମଧ୍ୟରେ ଉକ୍ରଳ ଗୌରବ ମଧୁସୂଦନ ଦାସ, ଉକ୍ରଳମଣି ଗୋପବନ୍ଧୁ ଦାସ, ପାରଳା ରାଜା କୃଷ୍ଣଚନ୍ଦ୍ର ଦେବ ପ୍ରମୁଖ ମହାନ୍ ବରପୁତ୍ରମାନଙ୍କ ଉଦ୍ୟମ ଫଳରେ ଓଡିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଏକ ସ୍ୱପ୍ନ ସାକାର ହେଲା । ମାତ୍ର ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନର ୮୪ ବର୍ଷ ପରେ ବି ଦିନକୁ ଦିନ ଆମ ଭାଷାର ଅବକ୍ଷୟ ଘଟୁଛି । ଆମ ଭାଷା ପ୍ରତି ଆମର ମମତା ନାହିଁ, ନାହିଁ ମଧ୍ୟ ଆନ୍ତରିକତା । ଭାଷାର ପ୍ରସାର ପ୍ରଚାର ଦୂରର କଥା, ଓଡିଆ ଭାଷାରେ ପ୍ରକାଶିତ ଦୁର୍ଲଭ ଗ୍ରନ୍ଥ ସବୁ ପଢିବାରେ ଆମର ଆଗ୍ରହ ନାହିଁ ।

ପତ୍ରପତ୍ରିକା, ନାଟକ, ଉପନ୍ୟାସ, ଗଳ୍ପ ଓ କବିତା କଥା ପଚାରେ କିଏ? ହିନ୍ଦୀ, ବଙ୍ଗଳା, ଇଂରାଜୀ ପତ୍ରପତ୍ରିକା ପ୍ରେମରେ ଆମେ ପଡିଯାଇଛୁ । ଅଥଚ ଓଡିଆ ସାହିତ୍ୟ ଭାରତବର୍ଷର ଅନ୍ୟତମ ପ୍ରାଚୀନ ସାହିତ୍ୟ । ଏ ମାଟିର କବି ସାରଳା ଦାସ ମହାଭାରତ ଲେଖି ବେଦବ୍ୟାସ ପାଲଟି ଯାଇଛନ୍ତି । କବି ସମ୍ରାଟ ଉପେନ୍ଦ୍ରଭଞ୍ଜ, ଦୀନକୃଷ୍ଣ, ଅଭିମନୁ୍ୟ, ବଳରାମ ଦାସଙ୍କ ସୃଷ୍ଟି ସମ୍ଭାର ଭାରତୀୟ ଭାଷା ସାହିତ୍ୟରେ ଦୁର୍ଲଭ । ଏମାନେ ହିଁ ଓଡିଆ ସାହିତ୍ୟର ରକ୍ଷାକାରୀ । କଥା ସମ୍ରାଟ ଫକୀରମୋହନ, କବିବର ରାଧାନାଥ, ଭକ୍ତକବି ମଧୁସୂଦନ, ପଦ୍ମଭୂଷଣ ଗୋପୀନାଥ ମହାନ୍ତି, ସ୍ୱଭାବ କବି ଗଂଗାଧର ମେହେରଙ୍କ ସୃଷ୍ଟି ସମ୍ଭାର ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି, ଏହା ଅନସ୍ୱୀକାର୍ଯ୍ୟ ।

ଏସବୁ ସତ୍ତ୍ୱେ ଆଧୁନିକ ଭାରତରେ ଅନ୍ୟାନ୍ୟ ରାଜ୍ୟ ଓ ଭାଷା ତୁଳନାରେ ଆମ ଭାଷାର ପ୍ରଚାର ଓ ପ୍ରସାର ଆଶାନୁରୂପ ହୋଇପାରିନାହିଁ । ଏହାର ମୂଳ କାରଣ ହେଉଛି ଏ ପର୍ଯ୍ୟନ୍ତ ଓଡିଆ ଭାଷା ସମ୍ପୂର୍ଣ୍ଣ ଭାବେ ସରକାରୀ ଭାଷାର ପୂର୍ଣ୍ଣ ମାନ୍ୟତା ପାଇନାହିଁ । ୧୯୫୪ ମସିହାରେ ତତ୍କାଳୀନ ରାଜ୍ୟ ସରକାର ଓଡିଆ ଭାଷାକୁ ସରକାରୀ ଭାଷା କରିବା ପାଇଁ ଅଧିନିୟମ ପ୍ରଣୟନ କରିଥିଲେ । ଏଥିପାଇଁ ଶବ୍ଦକୋଷ ସଙ୍କଳନ କରାଯାଇଥିଲା । ମାତ୍ର ତାହା ଅଧାପନ୍ତରିଆ ହୋଇରହିଗଲା ।

ପୁନଶ୍ଚ ୧୯୮୫ ମସିହାରେ ଓଡିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେବାପାଇଁ ତକ୍ରାଳୀନ ସରକାର ନିଷ୍ପତି ଗ୍ରହଣ କରିଥିଲେ । ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ନିଆଯାଇଥିଲା । ଏପରିକି ଓଡିଆ ଟାଇପ୍ ମେସିନ୍ କିଣାଯାଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯୋଗାଇ ଦିଆଯାଇଥିଲା । କିନ୍ତୁ ଆନ୍ତରିକତା ଓ ଇଚ୍ଛାଶକ୍ତି ଅଭାବରୁ ତାହା ମଧ୍ୟ ଆଗେଇପାରିଲା ନାହିଁ । ଇତି ମଧ୍ୟରେ ଓଡିଆ ଭାଷା ୬ଷ୍ଠ ଭାରତୀୟ ଭାଷା ଓ ପ୍ରଥମ ଆର୍ଯ୍ୟଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ପାଇଛି । ଯେଉଁ ଭାଷାକୁ ଦିନେ ଅନ୍ୟମାନେ ଆଡନଜରରେ ଦେଖୁଥିଲେ ଓ ଓଡିଆ ଭାଷା ଏକ ଭାଷା ନୁହେଁ ବୋଲି କହୁଥିଲେ ସେ ଭାଷା ଆଜି ଜାତୀୟ ସ୍ୱୀକୃତି ଲାଭ କରିଛି ।

ଇତି ମଧ୍ୟରେ ରାଜ୍ୟ ସରକାର ୧୯୫୪ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତି ନେବାସହିତ ଗତ ୨୦୧୮ ମସିହା ଏପ୍ରିଲ ପହିଲା ଉକôଳ ଦିବସରୁ ସାରା ରାଜ୍ୟରେ ଓଡିଆ ଭାଷାରେ ସବୁ ସରକାରୀ କାର୍ଯ୍ୟକ୍ରମ ହେବ ବୋଲି ସେହି ବର୍ଷ ଡିସେମ୍ବର ୨୬ ତାରିଖରେ ପୁରୀ ଠାରେ ମୁଖ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବ୍ୟଠକରେ ଗୁରୁତ୍ୱ ପୁର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଓଡିଆ ଭାଷାର ବ୍ୟାପକ ପ୍ରସାର ଓ ପ୍ରଚାର ପାଇଁ ବିଂଶ ସୂତ୍ରୀ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ନିକଟରେ ରାଜ୍ୟ ସରକାର ପର୍ଯ୍ୟଟନ ବିଭାଗରୁ ସଂସ୍କୃତି ବିଭାଗକୁ ଅଲଗା କରିଛନ୍ତି । ବାସ୍ତବରେ ଏହା ଏକ ସ୍ୱାଗତଯୋଗ୍ୟ ଓ ସମୟୋପଯୋଗୀ ପଦକ୍ଷେପ । ଏସବୁ ସତ୍ତ୍ୱେ ଏଦିଗରେ ଆଶା ଜନକ ସଫଳତା ମିଳିପାରି ନାହିଁ ।

ଏକ ତଥ୍ୟ ମୁତାବକ, ସମଗ୍ର ଓଡିଶାରେ ୫୮ ପ୍ରକାର କଥିତ ଭାଷା ପ୍ରଚଳିତ ଅଛି । ତେବେ ଓଡିଶାରେ ଓଡିଆ ଭାଷା ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ସର୍ବାଧିକ । ରାଜ୍ୟର ପ୍ରାନ୍ତୀୟକ୍ଷେତ୍ର ପଶ୍ଚିମ ଓଡିଶାରେ ସମ୍ବଲପୁରୀ (କୋଶଳି) ଓ ମିଶ୍ର ହିନ୍ଦୀ ଭାଷା, ଦକ୍ଷିଣ ଓଡିଶାରେ ବ୍ରହ୍ମପୁରୀ ଓ ମିଶ୍ର ତେଲଗୁ ଭାଷା, ଉତ୍ତର ଓଡିଶାରେ ମିଶ୍ର ବଙ୍ଗଳା ଭାଷାର ପ୍ରଚଳନ ଦେଖାଯାଏ । ରାଜ୍ୟରେ ଥିବା ଆଦିବାସୀମାନଙ୍କର ନିଜସ୍ୱ ଭାଷା ଯଥା – ସାନ୍ତାଳି, ମୁଣ୍ଡା, କନ୍ଧ, କୋୟା, ବଣ୍ଡା ଇତ୍ୟାଦି ରହିଛି । ଏତଦ୍ବ୍ୟତୀତ ଅନ୍ୟାନ୍ୟ ଭାଷା ମଧ୍ୟରେ ଅସମୀୟ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲୁଗୁ ଆଦି ଭାଷା ମଧ୍ୟ ବ୍ୟବହୃତ ହୁଏ । ପରିବର୍ତ୍ତିତ ପରିସ୍ଥିତିରେ ଭାଷାର ପ୍ରସାର ପ୍ରଚାର ତ ଦୂରର କଥା ଓଡିଆ ଭାଷାରେ କଥାବାର୍ତ୍ତା ହେଉଥିବା ଲୋକଙ୍କ ସଂଖ୍ୟା ବେଳକୁ ବେଳ କମିବାରେ ଲାଗିଛି ।

ମା’ର ଭାଷା, ମାଟିର ଭାଷା ଆମପାଇଁ ଅଲୋଡା ହୋଇଯାଇଛି । ମାହାତ୍ମାଗାନ୍ଧୀ କହିଥିଲେ, “ଜଣେ ଭାରତବାସୀ ନିଜ ମାତୃଭାଷା ଭୁଲିଯିବା, ଅବହେଳା କରିବା ବା ନିଜର ମାତୃଭାଷା ବ୍ୟବହାର କରୁଛି ବୋଲି ଲଜ୍ଜା ଅନୁଭବ କରିବା, ନିଜ ମାତୃଭାଷାରେ ଶ୍ରେଷ୍ଠ ଚିନ୍ତା ପ୍ରକାଶ କରିବାକୁ ଅସମର୍ଥ ହେବା ଏକଥା ମୁଁ ସେମାନଙ୍କୁ ଅନୁଭବ କରିବାକୁ ଦେବିନାହିଁ” । ଜାପାନ ଓ ଚୀନ ଦେଶରେ ମାତୃଭାଷାରେ ସବୁକାର୍ଯ୍ୟ ଚାଲିଛି । ସେହି ଦୁଇଦେଶ ଆଜି ବିଜ୍ଞାନ, ଅର୍ଥ, ପ୍ରଯୁକ୍ତି ବିଦ୍ୟା, ସାହିତ୍ୟ ସବୁଦିଗରେ ବିଶ୍ୱ ଦରବାରରେ ନିଜକୁ ପ୍ରତିଷ୍ଠା କରିସାରିଲେଣି । ସେମାନଙ୍କ ଠାରୁ ଆମକୁ ବହୁତ କିଛି ଶିଖିବାର ଅଛି ।

ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳନ ଅବସରରେ ଏ ବିଷୟରେ ଗଭୀର ଭାବେ ଅନୁଶୀଳନ କରିବାର ଅଛି । ଆମ ଭିତରେ ଥିବା ହୀନମନ୍ୟତାକୁ ଦୂର କରିବାକୁ ହେବ । ଅନ୍ୟ ଭାଷା ଶିଖିବାକୁ ମନାନାହିଁ । କିନ୍ତୁ ଆମକୁ ପ୍ରଥମେ ଆମ ମାତୃଭାଷାରେ ଦକ୍ଷତା ହାସଲକରି ଆମ ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଚିହ୍ନି ବହୁଭାଷୀ ଶିକ୍ଷା ଦ୍ୱାରା ଆମର ଜ୍ଞାନର ପରିସରକୁ ବିସ୍ତାରିତ କରିବାକୁ ହେବ । ଯଦ୍ୱାରା ଆମେ ପାରସ୍ପରିକ ବୁଝାମଣା,ଭାବବିନିମୟ,ସହଯୋଗ,ସହନଶୀଳତା ଓ ସଂପ୍ରୀତିର ବାତାବରଣ ମାଧ୍ୟମରେ ଆମେ ନିଜକୁ ବିଶ୍ୱବ୍ୟାପି କରିବା ସହ ଏକ ସମ୍ଭାବନାମୟ ଭବିଷ୍ୟତ ଆଡକୁ ଅଗ୍ରସର ହୋଇପାରିବା । ଫକୀର ମୋହନଙ୍କ ଭାଷାରେ- ‘ଆଉ ଯେତେ ଭାଷା ପାରୁଛ ଶିଖ, ନିଜ ମାତୃଭାଷା ଆଗରେ ରଖ’ ।

Leave A Reply