Odisha news

ଅମାନିଆଙ୍କୁ କରୋନା ପାହାର

0

Editorial: କରୋନା ପାଇଁ ବିଶ୍ୱସ୍ଥିତି ସଂଗୀନ । ସୁପର ପାୱାର ଆମେରିକାରେ ପ୍ରତିଦିନ ଯାଉଛି ୨ହଜାର ଜୀବନ । ସମଗ୍ର ବିଶ୍ୱରେ ମୃତୁ୍ୟ ସଂଖ୍ୟା ଛୁଇଁଲାଣି ୨ଲକ୍ଷ । ଆମ ଦେଶରେ ସ୍ଥିତି ଦିନକୁ ଦିନ ବିଗୁଡୁଛି । ଏକ୍ଡାଉନ୍ ଅବଧି ବଢି ବଢି ଚାଲିଛି । ଚିନ୍ତାର କାରଣ ହୋଇଛି ଐତିହାସିକ ଦିଲ୍ଲୀ ଏବଂ ଅର୍ଥନୀତିର ସହର ମୁମ୍ବାଇ । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତଥାପି ଚେତୁ ନାହାଁନ୍ତି ଅମାନିଆ । ଲକ୍ଡାଉନ୍କୁ ମାନିବାକୁ ନାରାଜ । ସାମାଜିକ ଦୂରତାକୁ ଫୁ କରି ଉଡାଇ ଚାଲିଛନ୍ତି । ପ୍ରତିଦିନ ଘେରେ ମଟର ସାଇକେଲରେ ବୁଲି ନ ଆସିଲେ ମନ ଶାନ୍ତ ହେଉନାହିଁ । ସମଗ୍ର ବିଶ୍ୱକୁ କରୋନା ଯେ ତଳିତଳାନ୍ତ କରିଛି ତାହା ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଆମ ଦେଶ ଏବଂ ରାଜ୍ୟର ସ୍ଥିତି ସେତେ ବେକାବୁ ହୋଇ ନାହିଁ ବୋଲି ମନରେ ଧାରଣା ରହିଛି ।

ସେମାନଙ୍କ ପାଇଁ ଯାହା ଖେଳ ଅନ୍ୟମାନଙ୍କ ପାଇଁ ତାହା କାଳ, ତାହା ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଏପରି ଅମାନିଆମାନଙ୍କୁ ସାବାଡ କରିବାକୁ ପ୍ରଶାସନ ଏବଂ ପୋଲିସ ମାନଙ୍କୁ କ୍ଷମତା ଦିଆଯାଇଥିଲେ ମଧ୍ୟ ପୋଲିସ ନାଚାର । ପ୍ରଥମେ ଅମାନିଆମାନଙ୍କୁ କାରଣ ନଥାଇ ବଜାରରେ ବୁଲିବା ସମୟରେ ଶାରୀରିକ ଦଣ୍ଡ ଦେବାର ବେଶ୍ ରୋଚକ ଦୃଶ୍ୟ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ କିଛି ମାତ୍ରାରେ କମିଲା । ମାତ୍ର ମାନବିକ ଅଧିକାର କମିଶନଙ୍କ ଆକଟ ପରେ ପୋଲିସ ଏବଂ ପ୍ରଶାସନ ଏଥିରୁ ନିବୃତତ୍ତ ରହିବା ପରେ ପୁଣି ସ୍ଥିତି ଯେସାକୁ ତେସା । ପୋଲିସ ଏବଂ ସାମାଜିକ କର୍ମୀମାନେ ଲୋକଙ୍କୁ ସଚେତନ କରିବା ଆବଶ୍ୟକ । ଏହା ଅମାନିଆ ଯୁବ ବର୍ଗଙ୍କୁ ବେଶ୍ ସୁହାଇଲା । କୌଣସି ପ୍ରକାର ପାସ୍ ଯୋଗାଡ କରି ହାତରେ ମେଡିସିନ୍ ବିଲଟିଏ ଧରି ମନଇଛା ବଜାରରେ ଘୁରିବୁଲିଲେ ।

କୁମ୍ଭୀର ନେଇ ମଝି ନଈରେ ହେଲାଣି ଏକଥା ବୁଝିବାକୁ ନାରାଜ । ବାଉନ ବଜାର ତେପନ ଗଳିରେ ଥରେ ବୁଲି ନ ଆସିଲେ ସତେ ଯେପରି ଭାତ ହଜମ ହେଉନି । ନିଜେ ଚେତିବା ଦରକାର । ବିଶ୍ୱର ବାସ୍ତବ ଚିତ୍ରର କାହାଣୀ ସେମାନଙ୍କୁ ପଢିବାକୁ ବା ଦେଖିବାକୁ ବେଳ ନାହିଁ । ପ୍ରକୃତ ଚିତ୍ର ଯାହା ଆସୁଛି ତାହା ଠାରୁ କ୍ଷୟକ୍ଷତି ଯେ ଢେର ଅଧିକ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ଟୋକା ଟାକଳିଆ ବେଳ ତେଣୁ ବୁଝୁ ନାହାନ୍ତି । ମଟର ସାଇକେଲ ବାରମ୍ବାର ଘିରି ଘିରି ହୋଇ ବୁଲି ଆସିଲେ ସତେ ଯେମିତି ପୃଥିବୀ ବୁଲି ଆସିବା ପରି ଲାଗୁଛି । ସାଥି ମେଳରେ ଛାତି ଫୁଲାଇ କହୁଛନ୍ତି ମୁଁ ପୋଲିସକୁ ଚକମା ଦେଇ ବଜାର ବୁଲି ଆସିଲି । କିଛଇ ହେଲାନି ।

ପ୍ରତିଦିନ ବଜାରରେ ଖଟି କରିବା, ତାସ ଖେଳିବା ଏବଂ ଗୁଲିଖଟି ନକଲେ ସତେ ଯେପରି ଖାଦ୍ୟ ହଜମ ହୁଏନି । ହୋଟେଲ, ସେଲୁନ, ସ୍ୱା ଏବଂ ନାମୀଦାମୀ ମଲ ଗୁଡିକ ବନ୍ଦ ରହିବା ଯୋଗୁଁ ମନ ଆମ୍ବିଳା ଲାଗୁଛି । ସେଲୁନ୍ ଗୁଡିକ ବନ୍ଦ ଯୋଗୁଁ ରଙ୍ଗବେରଙ୍ଗ ହେୟାର ଷ୍ଟାଇଲ୍ ବନ୍ଦ ସେପଟେ ସୋସିଆଲ ମିଡିଆରେ ଫଟୋ ତଥା ଆପତ୍ତିଜନକ ପୋଷ୍ଟି କରିବାରେ କଟକଣା ଯୋଗୁଁ ମନ ଭଲ ନାହିଁ । ହୀରୋ ଚେହେରା ପୁରା ଭିଲିଏନ୍ ପରି ଲାଗୁଛି । ଲମ୍ବା ଦାଢି, ସାଙ୍ଗକୁ ଅସଜଡା ଚୁଟି ନିଦ ହଜାଇ ଦେଇଛି । ଫାଷ୍ଟଫୁଡ୍ ଦୋକାନ ଗୁଡିକ ବନ୍ଦ ରହିବା ଯୋଗୁଁ ଆମର ଗଜା ଟୋକାମାନଙ୍କୁ ଘର ତିଆରି ଚୁଡା, ଦହି, କଦଳୀ ଚକଟା ଆଉ ଛତୁଆ ଭଲ ଲାଗୁନି । ଖାଇବା ସହିତ ଗାର୍ଲଫ୍ରେଣ୍ଡମାନଙ୍କୁ ରେସିଙ୍ଗ ବାଇକ୍ ପଛରେ ବସାଇ ସହରରେ ଚକ୍ର କାଟିବା ବନ୍ଦ ହେବା ଯୋଗୁଁ ମୁହଁ ଆମ୍ବିଳା କରି ଘରେ ଗରଗର ହେଉଛନ୍ତି ।

ହେ ଭଗବାନ ଏ କରୋନା କେବେ ଯିବ ସ୍କୁଲ କଲେଜ, ମଲ, ରେଷ୍ଟୁରାଁ କେବେ ଖୋଲିବ ମାଳି ଜପୁଛନ୍ତି । ତେଣେ ଅବକାରୀ ଦୋକାନ ଉପରେ ଲଗାମ ଯୋଗୁଁ ଗୁଡେ ନାଲିପାଣି ପାଇଁ ଯେଉଁ ଡହଳ ବିକଳ ହେଉଛନ୍ତି ତାହା ଦେଖିବା ଭଳି ଦୃଶ୍ୟ ସୃଷ୍ଟି କରିଛି । ତେଣେ ମନ୍ଦିର ସବୁ ବନ୍ଦ ଥିବା ବେଳେ ବିଭିନ୍ନ ପର୍ବପର୍ବାଣୀ ବନ୍ଦ ହେବା ଯୋଗୁଁ ମୁଣ୍ଡକୁ ପିମ୍ପୁଡି କାମୁଡୁଛି । ଠାକୁର ଭକ୍ତ ହୋଇନଥିଲେ ମେଳା ଏବଂ ମନ୍ଦିର ପାଖରେ ଚକର ମାରିବା ବନ୍ଦ ଯୋଗୁଁ ମନଟା କେମିତି ପିତାପିତା ଲାଗୁଛି ।
ସମଗ୍ର ବିଶ୍ୱ ପାଇଁ ଯେ ଅଗ୍ନୀପରୀକ୍ଷାର ବେଳ ଏବଂ ଲୋକମାନେ ପଇସା ଥାଇ ମଧ୍ୟ ପୋକମାଛି ପରି ମରୁଛନ୍ତି ତାହା ଜାଣିବା ପାଇଁ ଆଦୌ ଆଗ୍ରହ ନାହିଁ । ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ ପରି କହିବୁଲୁଛନ୍ତି ଆମ ପାଖେ ରୋଗ ପ୍ରତିରୋଧକ ଶକ୍ତି ଢେର ଅଧିକ । ନାଲିପାଣି ଆଗରେ କରୋନା ହାରିବ । ଏପରି କରିବା ଦ୍ୱାରା କିଳାକୁ ହୁଇସିଲ ମାରି ଡାକିବା ସହିତ ସମାନ । ଖଜୁରୀ ଗଛର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ ପରି ପୋଲିସ ଅମାନିଆଁଙ୍କୁ ଆଦୌ ପାରୁନାହିଁ ।

ପୋଲିସ ଭାଇ ଓ ଭଉଣୀମାନଙ୍କୁ ନାକେଦମ କରି ରଖିଛନ୍ତି । ଫାଇନ କଲେ ମଧ୍ୟ କିଛି ପ୍ରଭାବ ପଡୁନି । ବାପା ପଇସାରେ ଫାଇନ ଦେଲେ କିଛି କଷ୍ଟ ହେଉନି । ଘର ଭିତରେ ମାସାଧିକ କାଳ ରହି ନିଦ ହେଉନାହିଁ । ସୋସିଆଲ ମିଡିଆର ଅପବ୍ୟବହାର ସହିତ ଏପରିକି ୧୦୪ ନଂ ହେଲପଲାଇନ୍କୁ ଫୋନ କରି ଆନନ୍ଦ ନେଉଛନ୍ତି । ସତେ ଯେପରି ବିଲେଇ ଲୁଚି ଲୁଚି କ୍ଷୀର ପିଉଛି । କେହି ଯାଣିପାରୁ ନାହାଁନ୍ତି କେଉଁଠୁ ପୋଷ୍ଟ କଲ ଆସୁଛି? ବନ୍ଧା ହେବା ପରେ ଏବେ ମାମୁଁ ଘରେ କିଛି ଦିନ କାଟୁଛନ୍ତି ।
ଏପରି ଅବସ୍ଥାରେ ଗୁଡାଏ ଅମାନିଆ ଚାନ୍ଦା ଆଦାୟ କରି ସମାଜସେବା ନାଆଁରେ ବଜାରରେ ଘାଏଁ ଘାଏଁ ଘଉରିବୁଲି ବିପଦକୁ ହୁଇସିଲ୍ ମାରି ଡାକିବାକୁ ପଛାଉ ନାହାନ୍ତି । ଅବଶ୍ୟ ଅନେକ ସାମାଜିକ ଅନୁଷ୍ଠାନ ନିଷ୍ଠାପର ଭାବରେ ସେମାନଙ୍କର ସେବା ଅବ୍ୟାହତ କରୁଛନ୍ତି । ସେମାନଙ୍କୁ ଧନ୍ୟବାଦ । ଚାହିଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ ନ୍ୟାୟ ପରି ବେକାବୁ ଅମାନିଆ ମାନଙ୍କୁ ଲାଇନକୁ ଆଣିବାକୁ ପ୍ରଶାସନକୁ ନାକେ ଦମ ହେଲାଣି । ମୋତେ ଯେତେ ମାଠିବୁ ମାଠ ମୁଁ ସେହି ଦରପୋଡା କାଠ । ଯେତେ କହିଲେ ମଧ୍ୟ ଶୁଣିବାକୁ ନାରାଜ । ସାମାଜିକ ଦୂରତାକୁ ଫୁ । ଏତେ ସଚେତନ କଲେ ମଧ୍ୟ ମୁହଁରେ ତୁଣ୍ଡି ବାନ୍ଧିବାକୁ ନାରାଜ । ଆମେ କ’ଣ ବଳଦ । ମାସ୍କ ପିନ୍ଧିବୁ ନାହିଁ । ଏହା କି ପ୍ରକାର ମାନସିକତା ସେମାନଙ୍କୁ ବେଶ୍ ଜଣା । ଏମାନେ ଯୁବଶକ୍ତି । ଦେଶର ଭବିଷ୍ୟତ । ଯାହା ବୁଝିଥିବେ ସେଇଆ ।

ତୁ ତ ମୁତୁରି ମୁଁ ତ ମୁତୁରି ଶେଯ କାହିଁ ପାଇଁ ଧୋଇବା ପରି କାହାକୁ ବୁଝାଇଲେ ମଧ୍ୟ ବୁଝିବା ପାଇଁ ନାରାଜ । ସେମାନଙ୍କୁ କରୋନାର ଭୟଭୟତା କଥା ବୁଝାଇବା କାଲା ଆଗରେ ମୂଳା େଚାବାଇବା ପରି ଲାଗୁଛି । ଭାରି ଅମାନିଆ । ଯେତିକି ଲଜ୍ଜାଜନକ ସେତିକି କଷ୍ଟଦାୟକ । କରୋନା ଗୋଟେ ପରେ ଗୋଟେ ମୁଣ୍ଡ ନେବା ସେମାନଙ୍କୁ ସିନେମାର ଦୃଶ୍ୟ କରି ଲାଗୁଛି । ବାହୁସ୍ପଟ ମାରି କହୁଛନ୍ତି ସେମିତି କିଛି ହେବନି । ପ୍ରବଳ ଖରା ହେଲାଣି କରୋନା ଚାଲିଯିବ । ସହର ଠାରୁ ଦୂରରେ ଖଟି କରିବା, ମଟରସାଇଲେରେ ଘୁରି ବୁଲିବା ନିତିଦିନିଆ ଅଭ୍ୟାସ ହୋଇଛି । ପୋଲିସ ଗାଡି ଦେଖିଲେ କିଲବିଲି ହୋଇ ଲୁଚିବାର ଦୃଶ୍ୟ ମଧ୍ୟ ବେଶ୍ ଉପଯୋଗ୍ୟ । ବିରାଡି ସହିତ ମୂଷାର ଖେଳ ପରି ଲାଗୁଛି । ଘରର ଗୁରୁଜନମାନଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି । ରାମାୟଣ, ମହାଭାରତ, ଗୀତା ପାଠ କରିବା ପାଇଁ ଆଦୌ ମନ ହେଉନାହିଁ । ଘରୋଇ ହିଂସା ଆରମ୍ଭ କରିଦେଲେଣି । ରୋଜଗାର ନାହିଁ । ମୁଣ୍ଡ କାମ କରୁନି ।
ବର୍ତ୍ତମାନ ସରକାର କେତେକ କ୍ଷେତ୍ରରେ କଟକଣା ଉଠାଇ ଦେବା ଫଳରେ ମନରେ ଅପୁରନ୍ତ ଆନନ୍ଦ । ମୁକ୍ତ ଆକାଶର ବିହଙ୍ଗ ପରି ମଟର ସାଇକେଲରେ ମନଇଛା ବୁଲିବାକୁ ଆରମ୍ଭ କଲେଣି । ଏବେ ମଧ୍ୟ ପିଞ୍ଜରାରେ ରହିବାର ବେଳ ସରିନି । ତଥାପି ପୋଲିସ ସହ ଲୁଚକାଳି ଖେଳିବାରେ ବ୍ୟସ୍ତ । ବନ୍ଧୁ ବାନ୍ଧବ ମାନେ ଘରେ ପୁରାଇ ଦେଉନଥିବାରୁ କ୍ଲବ ଘର ଏବଂ ବଜାର ହୋଇଛି ଖଟି ସ୍ଥଳ ।

ଏକାଠି ହୋଇ କରୋନାର ମନଗଢା କପୋଳକଳ୍ପିତ କାହାଣୀ ବଖାଣି ଆନନ୍ଦ ଉଠାଇବାରେ ବ୍ୟସ୍ତ । ଆରେ ଅମାନିଆ ଟିକିଏ ଧ୍ୟ÷ର୍ଯ୍ୟଧର । ସାମାଜିକ ଦୂରତା ବଜାଇ ରଖ । ମୁହଁରେ ମାସ୍କ ପିନ୍ଧ । ନିଜକୁ ସଙ୍ଗରୋଧ କର । ବାରମ୍ବାର ହାତ ଧୂଅ । ଚାତକ ପରି ଚାହିଁ ରହିଛନ୍ତି କେତେବେଳେ ସଂପୂର୍ଣ୍ଣ ରୂପେ ଲକ୍ଡାଉନ୍ ଉଠିବ । ଷଣ୍ଢ ମାର୍କ ଟୋକା ପରି ସହର ସାରା ଖେଦି ବୁଲିବେ । ମଲରେ ଘଣ୍ଟା ଘଣ୍ଟା ବସି ଆନନ୍ଦ ଉଠାଇବେ । ମନଇଛା ଫାଷ୍ଟଫୁଡ୍ ଖାଇବେ ।
ସରକାରଙ୍କ ସମସ୍ତ ନୀତି ନିୟମ ମାନିଲେ ଖୁବଶୀଘ୍ର କରୋନା ଅପସରିଯିବ । ତୁମେ ତୁମର ନଖରାମୀ ଆରମ୍ଭ କରିବ । ନହେଲେ ମାମୁଁ ଘରକୁ ଯିବ ।

Leave A Reply