Odisha news

(ଏଲ୍‌ସି) ଅଂଚଳରେ ଭାରତ-ଚୀନ୍‌ ସେନା ମୁହାଁମୁହିଁ ସ୍ଥିତିରେ : ଭାରତର ପ୍ରାୟ ୪୫ ହଜାର ସୈନିକ ଏଲ୍‌ଏସିରେ ମୁତୟନ ଅଛନ୍ତି , ଚୀନ୍‌ର ଯେ କୌଣସି ଚାଲ୍‌କୁ ପଣ୍ଡ କରିବା ପାଇଁ ସେନା ସର୍ବାଧିକ ସତର୍କ

0

ନୂଆଦିଲ୍ଲୀ : ପୂର୍ବ ଲଦାଖ୍‌ରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ସି) ଅଂଚଳରେ ଭାରତ-ଚୀନ୍‌ ସେନା ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଚୀନ୍‌ ନିଜର ସେନା ମୁତୟନ ଲଗାତାର ବଢ଼ାଇ ଚାଲିଥିବାରୁ ଭାରତ ମଧ୍ୟ ଏହା ସହିତ ତାଳଦେଇ ବ୍ୟାପକ ପ୍ରସ୍ତୁତି ଚଳାଇଛି। ଭାରତର ପ୍ରାୟ ୪୫ ହଜାର ସୈନିକ ଏଲ୍‌ଏସିରେ ମୁତୟନ ଅଛନ୍ତି। ଚୀନ୍‌ର ଯେ କୌଣସି ଚାଲ୍‌କୁ ପଣ୍ଡ କରିବା ପାଇଁ ସେନା ସର୍ବାଧିକ ସତର୍କ ରହିଛି। ସୀମାରେ ଆକାଶ କ୍ଷେପଣାସ୍ତ୍ର ସୁରକ୍ଷା ବ୍ୟବସ୍ଥା ମୁତୟନ ସହ ଟ୍ୟାଙ୍କ୍‌ ବିଧ୍ବଂସୀ କ୍ଷେପଣାସ୍ତ୍ର ମଧ୍ୟ ମୁତୟନ କରାଯାଇଛି। ଅତ୍ୟାଧୁନିକ ସାମରିକ ଡ୍ରୋନ୍‌ ବ୍ୟବହାର କରି ଚୀନ୍‌ର ଗତିବିଧି ଉପରେ ଅହରହ ନଜର ରଖାଯାଉଛି। ସୀମାରେ ସେନାର ପ୍ରସ୍ତୁତି ତଦାରଖ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତା ଶୁକ୍ରବାର ଦିନ ଲେହ ଗସ୍ତରେ ଯିବେ। ରାଜନାଥଙ୍କ ସହିତ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ମଧ୍ୟ ଲେହ ଯାଉଥିବା ଜଣାପଡ଼ିଛି।

ଚୀନ୍‌ ଏବେ ପୂର୍ବ ଲଦାଖ୍‌ରେ ୨୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିଥିବା ବେଳେ ସେଠାରୁ ୧ ହଜାର କିମି ଦୂରରେ ଆଉ ୧୦-୧୨ ହଜାର ସୈନିକଙ୍କୁ ମହଜୁଦ୍‌ ରଖିଛି। ଏହି ଚୀନ୍‌ ସୈନିକମାନେ ୪୮ ଘଣ୍ଟା ମଧ୍ୟରେ ଏଲ୍‌ଏସିରେ ପହଞ୍ଚିପାରିବେ।

ପୂର୍ବ ଲଦାଖ୍‌ର ଗଲୱାନ ଘାଟି, ପେଙ୍ଗୋଙ୍ଗ୍‌ ହ୍ରଦ ଏବଂ ଡେପ୍‌ସାଂଗ ପ୍ଲେସ୍‌ରେ ଚୀନ୍‌ସେନା ବାରମ୍ବାର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଉଛି। ଭାରତ ମଧ୍ୟ ଚୀନ୍‌ ସହିତ ତାଳଦେଇ ନିଜର ସୁରକ୍ଷା ବ୍ୟବସ୍ଥା ବଢ଼ାଇଥିବାରୁ ଚୀନ୍‌ ଅତିକ୍ରମଣ ପାଇଁ ସାହସ କରିପାରୁନି। ଅନ୍ୟପକ୍ଷରେ ଗତକାଲି ୧୩ ଘଣ୍ଟା ଧରି ଭାରତ-ଚୀନ୍‌ କମାଣ୍ଡର ଜେନେରାଲସ୍ତରୀୟ ଆଲୋଚନା ହୋଇଥିଲା ଏବଂ ଚୀନ୍‌ ଭାରତ ଉପରେ ଦୋଷ ଲଦିବାକୁ ପ୍ରୟାସ କରି ପ୍ରଥମେ ଭାରତୀୟ ସେନା ସୀମାରୁ ପଛକୁ ହଟିବା ପାଇଁ ସର୍ତ୍ତ ରଖିଥିଲା। ଭାରତ ଏହି ସର୍ତ୍ତକୁ ପ୍ରତ୍ୟାଖ୍ୟାନ କରିଛି। ତେବେ ଚୀନ୍‌ ଏପ୍ରିଲ୍‌ର ସ୍ଥିତିକୁ ଫେରିଯିବା ପାଇଁ ପ୍ରସ୍ତୁତ ହେଲେ ପର୍ଯ୍ୟାୟକ୍ରମେ ସେନା ପ୍ରତ୍ୟାହାର ହୋଇପାରିବ ବୋଲି ଭାରତ ସ୍ପଷ୍ଟ କରିଛି। ଉତ୍ତେଜନା ହ୍ରାସ ପାଇଁ ଦୁଇ ଦେଶ ମଧ୍ୟରେ ପ୍ରଥମେ ଯେଉଁ ବିଶ୍ବାସ ସୃଷ୍ଟି ହେବା ଆବଶ୍ୟକ ତାହା ଚୀନ୍‌ର କାର୍ଯ୍ୟକଳାପ ଯୋଗୁଁ ବାଧାପ୍ରାପ୍ତ ହେଉଛି ବୋଲି ଭାରତ ସ୍ପଷ୍ଟ କରିଛି। ପୂର୍ବରୁ ସୀମା ସ୍ଥିତି ନେଇ ଯେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ରହିଥିଲା ତାହାକୁ ଚୀନ୍‌ ନଷ୍ଟ କରିବା ପଛରେ ଉଦ୍ଦେଶ୍ୟ କ’ଣ ବୋଲି ଭାରତ ପ୍ରଶ୍ନ କରିଛି।

Nalco

Leave A Reply