Odisha news

ନିର୍ବାଚନ ପୂର୍ବରୁ ଜମିଲା ଭୋଜି ଭାତର ଆସର : ବେସରକାରୀ କାର୍ଯ୍ୟକ୍ରମରେ ସରକାରୀ ଗାଡ଼ି ବ୍ଯବହାର ନେଇ ଚର୍ଚ୍ଚା

0
ହିଞ୍ଜିଳିକାଟୁ,୧୨/୩ :  ସାଧାରଣ ନିର୍ବାଚନ ତାରିଖ ଘୋଷଣା ଯେକୌଣସି ମୁହର୍ତରେ। ଏହାକୁ ନେଇ ଭୋଟରଙ୍କ ମନରେ ଉତ୍ସୁକତା କ୍ରମଶଃ ବୃଦ୍ଧି ପାଇଛି। ରାଜ୍ୟ ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି। ରାଜ୍ୟ ସରକାରଙ୍କ ସାଧାରଣ ନିର୍ବାଚନ  ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ସମ୍ପ୍ରତି ମେଣ୍ଟ  ପ୍ରସଙ୍ଗ ଏବେ ରାଜ୍ୟ ରାଜନୀତି ପାଣିପାଗକୁ ଆଉ ପାଦେ ଚର୍ଚ୍ଚାର ଖୋରାକ ଯୋଗାଇଛି। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଯେତିକି ସଂଶୟ ପ୍ରକାଶ ପାଇଛି ତା ଠାରୁ ଅଧିକ ଦ୍ଵନ୍ଦ ଓ ଚାପ ନେତା ଓ କର୍ମୀ ମାନଙ୍କ ମଧ୍ୟରେ ବୃଦ୍ଧି ପାଇଛି। ସକାଳୁ ରାତି ଯାଏଁ ମେଣ୍ଟ କମ୍ପନ ଗାଁ ଓ ସହରର ଗଳି କନ୍ଦି,ପାନ ଦୋକାନ, ଚା ଖଟି ଏଵଂ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପରିସରରେ ଚର୍ଚ୍ଚାକୁ ବହୁଗୁଣିତ କରିଛି। ଏଇ  ଅବସରରେ ଆଉ ଏକ ରୋଚକ ଖବର   ହିଞ୍ଜିଳିକାଟୁ ଅଞ୍ଚଳରେ ଆଲୋଚ୍ୟ ପ୍ରସଙ୍ଗ ହୋଇଛି। କଥା ହେଲା  , ନିର୍ବାଚନ ଉଷ୍ମତା ଦେଖା ଦେଇଥିଲା ବେଳେ ଭୋଜି ଭାତ ଆସରରେ ଜଣେ ରାଜନୈତିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି । ରବିବାର ଛୁଟି ଦିବସ ଥିବାରୁ ଭୋଜି ଭାତର ଆସର ବେଶ ଜାକ ଜମକରେ ହୋଇଥିଲା ବୋଲି ଜଣାପଡିଛି। ଜଣେ ସରକାରୀ ଅଧିକାରୀ ଓ ତାଙ୍କ କିଛି ଘନିଷ୍ଠ ସହଯୋଗୀଙ୍କ ସମେତ ପଞ୍ଚାୟତର ମଙ୍ଗ ଧରିଥିବା ଜଣେ ଜନ ପ୍ରତିନିଧି ଏଥିରେ ସାମିଲ ଥିବା ଜଣା ପଡିଛି। ଅନ୍ୟ କୌଣସି ଜନ ପ୍ରତିନିଧିଙ୍କ ସମ୍ପୃକ୍ତି ନ ଥିଲା ବେଳେ ବ୍ଲକ ମୁଖ୍ୟ ଦପ୍ତର ଠାରୁ କିଛି ଦୂରରେ ଥିବା ଏକ ମନ୍ଦିରର ଅତିଥି ଭବନରେ ଭୋଜି ଭାତ ସହିତ ଅନ୍ୟାନ୍ୟ ମନୋରଞ୍ଜନ ବ୍ୟବସ୍ଥା ହୋଇଥିବା ଜଣାପଡିଛି। କେଉଁ ଉଦ୍ଦେଶ୍ୟ ନେଇ ଭୋଜି ଭାତର ଆସର ଜମିଥିଲା ତାହା ବାହାରେ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଜଣେ ନିର୍ଦ୍ଧିଷ୍ଟ ଜନ ପ୍ରତିନିଧିଙ୍କ ଭୂମିକା,ଗତିବିଧି ଉପରେ ଆଲୋଚନା ଜୋର୍ ଧରିଛି । ସେ କୁଆଡେ ସରକାରୀ ଅଧିକାରୀଙ୍କୁ ଖୁସି ଓ ଆପ୍ୟାୟିତ କରି କିଛି ବଡ ଧରଣର ଲାଭ ହାତେଇବା ଚକ୍କରରେ ଭୋଜି ଭାତ ଆଦି ସବୁ ପ୍ରକାର  ଆୟୋଜନର  ସୁବନ୍ଦୋବସ୍ତ କରିଥିବା ଶୁଣିବାକୁ ମିଳିଛି। ଏପରିକି ଛୁଟି ଦିବସ ହୋଇଥିଲେ ମଧ୍ୟ ଅଧିକାରୀ ଜଣକ ବ୍ଲକ କାର୍ଯ୍ୟଳୟରେ ନିୟୋଜିତ ହୋଇଥିବା ଭଡା ଗାଡ଼ିରେ ଯାଇ ବେସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା କେତେ ଗ୍ରହଣୀୟ ତାହା ଲୋକଙ୍କ ନଜରକୁ ଆସିଛି। ବିଭିନ୍ନ ବିବାଦୀୟ କାର୍ଯ୍ୟକଳାପରେ ଜଡିତ ଥିବା ଜନ ପ୍ରତିନିଧିଙ୍କ ପ୍ରତି ସରକାରୀ ଅଧିକାରୀଙ୍କ ଏଭଳି ଦରଦ ଓ ଅନୁକମ୍ପା ପ୍ରଦର୍ଶନ କାହିଁକି ତାକୁ ନେଇ ଏବେ ଜାଣିବା ଶୁଣିବା ମହଲରେ ଭୃକୁଞ୍ଚନ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ନିର୍ବାଚନ ପୂର୍ବରୁ ଭୋଜି ଭାତ ଆସର ଜମିବାକୁ ଲାଗିଲାଣି ବୋଲି ସଚେତନ ନାଗରିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
Leave A Reply