Odisha news

ନବ.ବର୍ଷରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ଉନ୍ନୟନ କାର୍ଯ୍ୟର ସଫଳତା ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ଦେଲେ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି

0
ଛତ୍ରପୁର ତା.୦୨.୦୧.୨୦୨୪   ଜିଲ୍ଲାପାଳଙ୍କ ଓସ୍ବାନ ହଲ ଠାରେ ମଙ୍ଗଳବାର ସମସ୍ତ ଉନ୍ନୟନ କାର୍ଯ୍ଯର ସଦ୍ ବିନିଯୋଗ ଓ ଲୋକଙ୍କ ଉନ୍ନତି କଳ୍ପେ କରାଯାଉଥିବା ସରକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ଜିଲ୍ଲାପାଳ  ଦିବ୍ୟ ଜ୍ଯୋତି ପରିଡା ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇ ପ୍ରେରଣା ଯୋଗାଇଥିଲେ  । ନବବର୍ଷର ଦ୍ବିତୀୟ ଦିନରେ ଆଗାମୀ ଦୁଇ ମାସର କାର୍ଯ୍ୟ ଖସଡା କିଭଳି ପ୍ରସ୍ତୁତ କରିବେ ସେ ସମ୍ପର୍କରେ ଅବଗତ କରାଇଥିଲେ  । ବିଶେଷ ଭାବେ ଲକ୍ଷ୍ମୀ ବସ୍ ଯୋଜନା , ଆମ ଓଡିଶା ନବୀନ ଓଡିଶା ଯୋଜନା,  ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନା , ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନା, ଗ୍ରାମାଞ୍ଚଳରେ ଖୋଲିବାକୁ ଥିବା ବ୍ୟାଙ୍କ ଯୋଜନା, ନିର୍ବାଚନ ସଂକ୍ରାନ୍ତୀୟ କାର୍ଯ୍ୟ କଳାପ, ଜନହିତକାରୀ ଯୋଜନା ଗୁଡିକର ସଫଳ ରୂପାୟନ ଦିଗରେ ଲୋକଙ୍କ ଅବଗତି ନିମନ୍ତେ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ( ଆଇ.ଇ.ସି) ଇତ୍ଯାଦି ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରିଥିଲେ  । ନିଜ କାର୍ଯ୍ୟାଳୟରେ ବିଭିନ୍ନ ଦଳ କରି ସେମାନଙ୍କୁ ନିର୍ଦ୍ଦିଷ୍ଟ କାର୍ଯ୍ୟର ଦାୟୀତ୍ବ ଦେବାକୁ କହିଥିଲେ  । ଯଦ୍ବାରା କାର୍ଯ୍ୟର ସଫଳତା ଦିଗରେ ସୁ ବିନିଯୋଗ ହୋଇ ପାରିବ  । ସମସ୍ତ ଜନହିତକଳ୍ପେ କାର୍ଯ୍ୟ ଗୁଡିକ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସହଯୋଗ ନେଇ କରାଗଲେ ସମସ୍ତ କାର୍ଯ୍ୟ ସୁବିଧାରେ ହୋଇ ପାରିବ ଏବଂ ପ୍ରକୃତ ହିତାଧିକାରୀଗଣ ଉପକୃତ ହୋଇ ପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ମତବ୍ୟକ୍ତ କରିଥିଲେ  । ଜିଲ୍ଲାରେ ଅନେକ ସରକାରୀ ଯୋଜନା କାର୍ଯ୍ୟକାରି କରାଯାଉଛି  । ଏହାର ସଠିକ ପ୍ରଚାର ପ୍ରସାର କରାଯାଇ ଲୋକଙ୍କ ଅବଗତି ନିମନ୍ତେ ଜଣାଗଲେ ପ୍ରତ୍ୟେକ ହିତାଧିକାରୀ ନିଶ୍ଚିତ ରୂପେ ଉପକୃତ ହୋଇ ପାରିବେ  । ତେଣୁ ସରକାରୀ ଯୋଜନାର ହୋର୍ଡିଂ, ଅଡିଓ ଭିଡିଓ ଡକ୍ୟୁମେଣ୍ଟେସନ କରି ସାମାଜିକ ଗଣ ମାଧ୍ୟମରେ ପ୍ରଚାର କରିବାକୁ ପରାମର୍ଶ ଦେଇଥିଲେ  ।
     ଗଞ୍ଜାମ ଜିଲ୍ଲାରେ ୪୨ ଲକ୍ଷ କ୍ବିଣ୍ଟାଲ ଧାନ ଜିଲ୍ଲାର ଚାଷୀଙ୍କ ଠାରୁ ସଂଗ୍ରହ କରିବାର ଯୋଜନା ରହିଛି  । ପ୍ରତ୍ୟେକ ସପ୍ତାହରେ ଧାନ ସଂଗ୍ରହ କରିବା ସମ୍ପର୍କିତ ବୈଠକ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହାୟତାରେ ବୈଠକ କରି କିଭଳି ଧାନ କିଣା ପ୍ରକ୍ରିୟାକୁ ତ୍ବରାନ୍ବୀତ କରାଯିବ ସେ ସମ୍ପର୍କରେ ଆଲୋଚନା କରି ଧାନକିଣା ପ୍ରକ୍ରିୟାକୁ ତ୍ବରାନ୍ବୀତ କରିବାକୁ ପରାମର୍ଶ  ଦେଇଥିଲେ  । ଗତ ଦଶ ଦିନ ମଧ୍ୟରେ ଏଯାବତ୍ ୩୬ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇଥିବା ଏକ ଆକଳନରୁ ଜଣା ପଡିଛି  । ଧାନ ସଂଗ୍ରହ ପ୍ରକ୍ରିୟା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ  । ଏଣୁ ଏଥି ପ୍ରତି ଗୁରୁତ୍ବ ଦେଇ ଫେବୃୟାରୀ ମାସ ୨୦ ସୁଦ୍ଧା ଜିଲ୍ଲାର ସମସ୍ତ ଚାଷୀଙ୍କ ଠାରୁ କିଭଳି ଧାନ ସଂଗ୍ରହ କରାଯାଇ ପାରିବ ସେହି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ  । ଧାନ ସଂଗ୍ରହ ପ୍ରକ୍ରିୟାକୁ ବିଳମ୍ବ ନ କରିବା ପାଇଁ ପରାମର୍ଶ ଦେଇ ଜିଲ୍ଲାର ଧାନ ଯେଭଳି ପଡୋଶୀ ବେପାରୀ ନେବେ ନାହିଁ ସେଥିପ୍ରତି ନଜର ରଖିବା ପାଇଁ କହିଥିଲେ  । ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ଅଭାବ ଜନିତ ଧାନ ଚାଷ କ୍ଷୟକ୍ଷତି ହୋଇଛି  । ସେଗୁଡିକର ଆକଳନ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ  । ଫସଲ ବୀମା ନିମନ୍ତେ ଅନେକ ଆବେଦନ ଦରଖାସ୍ତ ପଡିଛି  । ସେଗୁଡିକର ଭରଣା ଦିଗରେ ପଦକ୍ଷେପ ନେବାପାଇଁ ଜଣାଇଥିଲେ  ।
        ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନା ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନର ସୌନ୍ଦର୍ଯ୍ୟୀକରଣ, ଶୌଚାଳୟ ପ୍ରସ୍ତୁତି, ସ୍ମାର୍ଟ କ୍ଲାସ ରୁମ୍, ପାଠାଗାର, ଲାବୋରେଟେରୀ, ପାନୀୟ ଜଳର ବ୍ୟବସ୍ଥା, ରଙ୍ଗ ଦେବା  ଏବଂ ଅନ୍ୟାନ୍ୟ କାର୍ଯ୍ୟ ଗୁଡିକ ଯେଭଳି ଫେବୃୟାରୀ ମାସ ଶେଷ ସୁଦ୍ଧା ଶେଷ ହୋଇ ଉଦଘାଟନ ହେବ ସେଥି ସକାଶେ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇଥିଲେ  । ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାର ଅନ୍ୟତମ ଧାର୍ମିକ ପୀଠ ସ୍ଥଳୀ, କମ୍ୟୁନିଟି କେନ୍ଦ୍ର ଗୁଡିକର ସୌନ୍ଦର୍ଯ୍ୟୀକରଣ ରକ୍ଷଣା ବେକ୍ଷଣ କାର୍ଯ୍ୟ ଗୁଡିକ ମଧ୍ୟ ଫେବୃୟାରୀ ଶେଷ ସୁଦ୍ଧା ସାରିବାକୁ ଜଣାଇଥିଲେ  । ଯେହେତୁ ଫେବୃୟାରୀ ମାସ ଶେଷ ଏହି ଯୋଜନାର ଶେଷ ଧାର୍ଯ୍ୟ ସମୟ  ।
      ଗଞ୍ଜାମ ଜିଲ୍ଲାରେ ଚଳିତ ମାସରେ ଲକ୍ଷ୍ମୀ ବସ୍ କାର୍ଯ୍ୟକ୍ରମ ଆରମ୍ଭ ହେବ  । ତା ପୂର୍ବରୁ ସମସ୍ତ ନିର୍ମାଣାଧୀନ କାର୍ଯ୍ୟ ଆସନ୍ତା ୩୦ ଦିନ ମଧ୍ୟରେ ଶେଷ କରିବାକୁ କହିଥିଲେ  । ଲୋକଙ୍କର ଯାତାୟତରେ ଅନେକ ଅସୁବିଧା ହେଉଛି  । ଲକ୍ଷ୍ମୀ ବସ୍ ଯୋଜନା କାର୍ଯ୍ୟକାରୀ ହେଲେ ଗ୍ରାମାଞ୍ଚଳର ଲୋକେ ସ୍ବଳ୍ପ ମୂଲ୍ୟରେ ଯାତାୟତ କରିପାରିବେ  ।
        ବିଜୁ ସ୍ବାସ୍ଥ୍ୟ କଲ୍ଯାଣ ଯୋଜନାର ନବୀନ କାର୍ଡର ବ୍ୟବସ୍ଥା କରାଯିବ  । ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ନିମନ୍ତେ ଆବଶ୍ୟକ ପଡୁଥିବା ରୋଗୀଙ୍କର ଚିକିତ୍ସା ବିନା ମୂଲ୍ୟରେ ହୋଇ ପାରିବ  । ଜିଲ୍ଲାର ଶତକଡା ୭୫ ପ୍ରତିଶତଲୋକଙ୍କର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା  ରେ ନାମ ଅନ୍ତର୍ଭୁକ୍ତ ହୋଇ ସାରିଛି  । ବଳକା ରହିଯାଇଥିବା ଲୋକଙ୍କୁ ପଞ୍ଜିକରଣ କରାଯାଇ ନବୀନ କାର୍ଡ ପ୍ରଦାନ କରାଯିବ  । ଏଥି ନିମନ୍ତେ ଗ୍ରାମଞ୍ଚଳର ପ୍ରତ୍ୟେକ ଗୃହର ଯାଂଚ୍ କାର୍ଯ୍ୟ ପରିବାରର ମୁଖ୍ୟ ସଦସ୍ୟଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ପାଇଁ କୁହାଯାଇଛି  । ବୁଥ୍ ସ୍ତରୀୟ ଅଧିକାରୀ ଗଣ ଏଥି ପୂର୍ବରୁ ତଥ୍ୟ ସଂଗ୍ରହ କରିଛନ୍ତି  । ସେମାନଙ୍କ ତଥ୍ୟ କୁ ଆଧାର କରି ପଞ୍ଜିକରଣ କରାଗଲେ କାର୍ଯ୍ୟଟି ସୁଗମ ହେବ  । ଦ୍ବିତୀୟ ପ୍ରକାର ପଞ୍ଜିକରଣରେ ହିତାଧିକାରୀଗଣ ନିଜେ ମଧ୍ୟ ଅନଲାଇନ୍ ପଞ୍ଜିକରଣ କରିପାରିବେ କିମ୍ବା ମୋ ସେବା କେନ୍ଦ୍ରରେ ପଞ୍ଜିକରଣ କରିପାରିବେ  । ଚଳିତ ବର୍ଷ ଏକକ ନିର୍ବାଚନ ଅନୁଷ୍ଠିତ ହେବ  । ଏଥି ସକାଶେ  ପୂର୍ବରୁ ପ୍ରସ୍ତୁତ ହେବା ନିହାତି ଜରୁରୀ  । ବିଶେଷ ଭାବେ ଭୋଟର ତାଲିକାର ସମ୍ପୂର୍ଣ୍ଣ ସଂଶୋଧନ, କୌଣସି ଭୋଟରଙ୍କ ନାମ ଯେମିତି ଭୋଟର ତାଲିକାରୁ ବାଦ ଯିବ ନାହିଁ ଏବଂ ନିର୍ବାଚନ ମଣ୍ଡଳୀରେ ଉପସ୍ଥିତ ଥାଇ ଯେଉଁ ମାନଙ୍କର ନାମ ଭୋଟର ତାଲିକାରୁ ବାଦ ପଡିଛି ସେମାନଙ୍କ ନାମ ପଞ୍ଜିକରଣ କରି ସଠିକ ଭୋଟର ତାଲିକା ପ୍ରକାଶନ କରିବାକୁ ନିର୍ଦ୍ଦେଶ ଦେଇଥିଲେ  । ବିଶେଷ ଭାବେ ପୋଷ୍ଟାଲ ବ୍ୟାଲଟ୍ ର ଆବଶ୍ୟକତା, ନିର୍ବାଚନ ସମ୍ପର୍କିତ ପ୍ରଶିକ୍ଷଣ, ଇଭିଏମ୍  ମେସିନ୍ ର ବ୍ୟବହାର ଜନିତ ପ୍ରଶିକ୍ଷଣ ଇତ୍ଯାଦି ସମ୍ପର୍କରେ ଅବଗତ କରାଇଥିଲେ  । ପ୍ରଶିକ୍ଷଣ ଯେପରି ସଠିକ୍ ହେବ ସେ ଦିଗରେ ପଦକ୍ଷେପ ନେଲେ ନିର୍ବାଚନ ସମୟରେ କୌଣସି ଅସୁବିଧା ହେବନାହିଁ  । ନିର୍ବାଚନ କାର୍ଯ୍ୟ ସୁରୁଖୁରୁରେ ହେବ ବୋଲି ଜଣାଇବା ସହ ଆଗାମୀ ଦିନ ମାନଙ୍କରେ ଜନ ସାଧାରଣ କିଭଳି ଇଭିଏମ୍ ମେସିନ୍ ରେ ଭୋଟଦାନ କରିବେ ସେଥି ନିମନ୍ତେ ହେବାକୁ ଥିବା କାର୍ଯ୍ୟକ୍ରମର ରୁଟ୍ ଚାର୍ଟ ପ୍ରସ୍ତୁତ କରିବାକୁ ଅବଗତ କରାଇଥିଲେ  ।
     ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଞ୍ଜାମ ଭି. କୀର୍ତ୍ତି ଭାସନ୍ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ପ୍ରତ୍ୟେକ ଯୋଜନାର ସମୀକ୍ଷା କରି ସେଗୁଡିକର କିଭଳି ସଫଳତା ହାସଲ କରିବ ଏବଂ କୌଣସି ଠାରେ ଅସୁବିଧା ଦେଖାଗଲେ ସେ ସମ୍ପର୍କରେ ପଚାରି ବୁଝିବାକୁ ମତବ୍ୟକ୍ତ କରିଥିଲେ  ।  ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସଂପୃକ୍ତ ଅଧିକାରୀ ଗଣ ଉପସ୍ଥିତ ଥିଲେ  ।
Govt
Leave A Reply