ଭୁବନେଶ୍ୱର,(ନି.ପ୍ର): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଗଞ୍ଜେଇ ସପ୍ଳାୟୀ କରୁଥିବାବେଳେ ଚାରି ନିଶା ବେପାରୀଙ୍କୁ ମଙ୍ଗଳବାର ଦିନ ପୋଲିସ ଗିରଫ କରିଛି । ଗିରଫ ନିଶା ବେପାରୀମାନେ ହେଲେ ଝାରପଡା ମୁସଲିମ ସାହିର ସେକ୍ ବାଶ୍ରୀ(୨୫), ଝାରପଡାର ସାଗରୀ ଖାଁ(୨୫), ଝାରପଡା ମୁସଲିମ ସାହିର ମିନର ଖାଁ(୨୬) ଓ ମୁସଲିମ ସାହିର ସେକ୍ ସବିର(୨୭) । ଗିରଫ ନିଶା ବେପାରୀମାନଙ୍କଠାରୁ ୮୩ କେଜି ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଏହାସହ ଅଭିଯୁକ୍ତଙ୍କଠାରୁ ପୋଲିସ ୨ଟି ବାଇକ, ୩ ଫୋନ ଏବଂ ୪୭୦ ଟଙ୍କା ଜବତ କରିଛି ।
ସୂଚନାନୁସାରେ, ଦୁର୍ବୃତ୍ତମାନେ ମୋଟର ସାଇକେଲରେ ଗଞ୍ଜେଇ ଲୋଡ କରି ଲକ୍ଷ୍ମୀସାଗର ଥାନା କେନାଲ ରୋଡ ଦେଇ ଯାଉଥିବା ଲକ୍ଷ୍ମୀସାଗର ଥାନା ପୋଲିସ ଓ କୁ୍ୟଏଟି ବିଶେଷ ସୂତ୍ରରୁ ଖବର ପାଇଥିଲେ । ପରେ ପୋଲିସ ନିଶା ବେପାରୀଙ୍କୁ ପିଛା କରି କେନାଲ ରୋଡରେ ଧରିବାରେ ସଫଳ ହୋଇଥିଲା । ୪ ନିଶା ବେପାରୀଙ୍କୁ ଗାଡି ସହ ପୋଲିସ ଥାନାକୁ ଆଣି ଜେରା କରିବା ପରେ ସେମାନେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସ୍ୱୀକାର କରିଥିଲେ । ପରେ ସେମାନଙ୍କଠାରୁ ପୋଲିସ ୮୩ କେଜି ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ବୁଧବାର ଦିନ ଗିରଫ ନିଶା ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି ।
