Odisha news

ଗୁପ୍ତ ଚାମ୍ବରରେ ଗଞ୍ଜେଇ ଚାଲାଣ, ୫ ଗିରଫ : ବ୍ରିଜା ଗାଡ଼ି, ୫ ମୋବାଇଲ ଓ ନଗଦ ଟଙ୍କା ଜବତ

0
ବାଲିଗୁଡା , ତା, ୨୫/୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳରୁ ବିହାରକୁ ଗଞ୍ଜେଇ ଚାଲାଣ ଉଦ୍ୟମ ବେଳେ କୋଟଗଡ଼ ପୋଲିସ ୫୨ କେଜି ଗଞ୍ଜେଇ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ଗଞ୍ଜେଇ ଚାଲାଣରେ ବ୍ୟବହୃତ ଏକ ମାରୁତି ବ୍ରିଜା ଗାଡ଼ି, ୫ଟି ମୋବାଇଲ ଫୋନ ଓ ନଗଦ ୪୩୦୦ ଟଙ୍କା ମଧ୍ୟ ଜବତ ହୋଇଛି। ପୋଲିସ ସୂଚନା ଅନୁଯାୟୀ, କୋଟଗଡ଼ ଥାନା କେସ୍‌ ନଂ-୧୭୯/୨୬, ଧାରା ୨୦(ବି)(ii)(C)/୨୯ NDPS ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଛି। ଗଞ୍ଜେଇ ପ୍ୟାକେଟ ଗୁଡ଼ିକୁ ଗାଡ଼ିର ସିଟ୍‌ ତଳେ ଥିବା ଗୁପ୍ତ ଚାମ୍ବରରେ ଲୁଚାଇ ବିହାରକୁ ଚାଲାଣ କରାଯାଉଥିବା ବେଳେ ପୋଲିସ ଖବର ପାଇଥିଲା। ଏହାକୁ ଆଧାର କରି କେଶରଗୁଡ଼ା ଛକ ନିକଟରେ ଗାଡ଼ି ନଂ. ଜେଏଚ-୦୧-ଇଇ-୯୭୦୪ କୁ ଅଟକାଇ ଯାଞ୍ଚ କରାଯାଇ ଥିଲା। ଯାଞ୍ଚ ସମୟରେ ଗୁପ୍ତ ଚାମ୍ବରରୁ ଗଞ୍ଜେଇ ମିଳିବା ପରେ ପୋଲିସ ୫ ଜଣଙ୍କୁ କାବୁ କରିଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ବିହାର ରୋହତାସ ଜିଲ୍ଲା ନୋଖା ଥାନା ଦୁଧାର ଅଞ୍ଚଳର ଆୟୁଧ ଚୌଧୁରୀଙ୍କ ପୁଅ ସନ୍ତୋଷ କୁମାର ଓ ସୂରଜ ଚୌଧୁରୀଙ୍କ ପୁଅ ସଞ୍ଜୟ ଚୌଧୁରୀ। ସେହିପରି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଲାଇନପଡ଼ାର ସୁରେନ୍ଦ୍ର ପରାସେଠଙ୍କ ପୁଅ ବୈକୁଣ୍ଠ ପରାସେଠ, ପିତାମ୍ବର ମାନସେଠଙ୍କ ପୁଅ ବୈଷ୍ଣବ ମାନସେଠ ଏବଂ କୋଟଗଡ଼ ଥାନା ରଡ଼ିଗୁମା ଗ୍ରାମର ସ୍ୱର୍ଗତ ସୁନା ବଡ଼ସେଠଙ୍କ ପୁଅ ଅଜୁ ବଡ଼ସେଠ। ପୋଲିସ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରି ଆଇନଗତ ପ୍ରକ୍ରିୟା ପରେ କୋର୍ଟକୁ ପଠାଇଛି। ଗଞ୍ଜେଇର ଉତ୍ସ, ଚାଲାଣର ନେଟୱର୍କ ଓ ଏଥିରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।
Nalco
Leave A Reply