ଭୁବନେଶ୍ୱର,(ନି.ପ୍ର): ପୁଣି କଳା ପଲସର ଆତଙ୍କ । କିଛି ଦିନର ବ୍ୟବଧାନ ପରେ ରାଜଧାନୀରେ କଳା ପଲସର ଲୁଟ୍ ଘଟଣା ଦେଖିବାକୁ ମିଳିଛି । ଖଣ୍ଡଗିରି ଅଞ୍ଚଳରେ କଳା ପଲସରରେ ଆସି ଲୁଟ୍ କରୁଥିବା ଦୁଇ ଜଣ ଲୁଟେରାକୁ ଖଣ୍ଡଗିରି ଥାନା ପୋଲିସ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ୍ ନାମଞ୍ଜୁର ହୋଇଯିବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।ଗିରଫ ଦୁଇ ଲୁଟେରା ହେଲେ ଖାରବେଳନଗର ଶାସ୍ତ୍ରୀ ନଗର ପ୍ଳଟନମ୍ବର ୨୩୮ର ପ୍ରମୋଦ ବେହେରା(୩୭) ଓ ଗଞ୍ଜାମ ଜିଲ୍ଲା ବୁଗୁଡାର ସୋନୁ ନାୟକ(୧୯) । ଦୁହିଁଙ୍କଠାରୁ ପୋଲିସ ଟଙ୍କା ସହ ଗୋଟିଏ ମୋବାଇଲ ଫୋନ ଜବତ କରିଛି ।
ଅଭିଯୁକ୍ତ ଦ୍ୱୟ ଜନୈକ ଯୁବକଙ୍କଠାରୁ ଟଙ୍କା ଓ ମୋବାଇଲ ଫୋନ ଝାମ୍ପି ନେଇ ଚମ୍ପଟ ମାରିଥିଲେ । ଖଣ୍ଡଗିରି ଥାନା ଶ୍ରୀ ରାମ ନଗର ପ୍ଳଟ ନମ୍ବର ୧୮୦୬/୪୦୦୯ରେ ରୁହନ୍ତି ଚନ୍ଦ୍ରଶେଖର ମିଶ୍ର(୫୫) । ନଭେମ୍ବର ୩୦ ତାରିଖ ଦିନ ଚନ୍ଦ୍ରଶେଖରର ସୋ÷ଭାଗ୍ୟନଗର ଦେଇ ଯାଉଥିବା ସମୟରେ ଗୋଟିଏ ପଲ୍ସର ବାଇକ୍ରେ ଦୁଇ ଜଣ ଅଜଣା ଯୁବକ ଆସି ତାଙ୍କୁ ମାଡ ମାରିବା ସହ ତାଙ୍କଠୁ ମୋବାଇଲ ଫୋନ ସହ ୨୮ଶହ ଟଙ୍କା ଛଡାଇ ନେଇ ପଳାଇଥିଲେ । ଦୁର୍ବୃତ୍ତମାନେ ତାଙ୍କୁ ଠେଲି ଦେବା ଫଳରେ ସେ ଆହତ ହୋଇଥିଲେ । ଏ ନେଇ ଚନ୍ଦ୍ରଶେଖରପୁର ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି । ଗିରଫ ଲୁଟେରାମାନଙ୍କ ନାମରେ ରହିଛି ଅନେକ ଅପରାଧୀକ ମାମଲା ।