Odisha news

ସକଳ ଯୁକ୍ତିତର୍କର ଉର୍ଦ୍ଧ୍ଵରେ ଗାନ୍ଧୀ ଦର୍ଶନ

0
ଅଧ୍ୟାପକ ଶରତ କୁମାର ଦାସ  : ସମଗ୍ର ପୃଥିବୀରେ ବିଶେଷକରି ବିଗତ ଶତାବ୍ଦୀରେ ଜଣେ ମାତ୍ର ମଣିଷ ଥିଲେ ଯାହାଙ୍କୁ ସମଗ୍ର ବିଶ୍ବ ମହାତ୍ମା ଗାନ୍ଧୀ ନାମରେ ଜାଣେ । ସତ୍ୟ ଓ ଅହିଂସାର ଆଜୀବନ ପୂଜାରୀ ଗାନ୍ଧୀଜୀଙ୍କୁ ଶତାବ୍ଦୀର ସର୍ବକାଳୀନ ଶ୍ରେଷ୍ଠ  ମହାମାନବ ବୋଲି କହି ତାଙ୍କୁ ସମ୍ମାନର ସୁମନ ଅଜାଡି ଦିଆଯାଏ ଅବାଧରେ । ସେ ଏ ଭଳି ଜଣେ ବ୍ୟକ୍ତିତ୍ବ ଯିଏକି ସକଳ ତର୍କ ବିତର୍କ , ବିଚାରଧାରା ଏବଂ  ସର୍ବୋପରି ସକଳ ଶତ୍ରୁତା ଓ ମିତ୍ରତାରୁ ଥିଲେ ବହୁ ଉର୍ଦ୍ଧ୍ବରେ। ସବୁ ସମାଲୋଚନା ଓ ମତଭେଦର ସୀମା ବାହାରେ ଥିଲେ ସେ। ସେ ହିଁ ଜଣେ ମାତ୍ର ବାପୁଜୀ ଯିଏକି ସମସ୍ତଙ୍କର  ପ୍ରିୟ ଓ ଆଦର୍ଶ ।
ଏପରିକି ତାଙ୍କ ବିଚାରଧାରା ଓ ଆଦର୍ଶକୁ  ବିରୋଧ କରୁଥିବା ଲୋକମାନେ ମଧ୍ୟ କେଉଁଠି ନା କେଉଁଠି ଗାନ୍ଧୀଜୀଙ୍କ ନିକଟରେ ନତମସ୍ତକ କରିଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ବୈଚାରିକ ଭାବରେ ଗାନ୍ଧୀଙ୍କୁ ବିରୋଧ କରିଆସୁଥିବା ସଂଗଠନଗୁଡିକ ମଧ୍ୟ ତାଙ୍କ ଆଦର୍ଶ ନିକଟରେ ଶରଣାପନ୍ନ ।ଯଥାର୍ଥରେ ଆଲବର୍ଟ ଆଇନଷ୍ଟାଇନଙ୍କ ଉକ୍ତିକୁ ଉଦ୍ଧାର କରି କୁହାଯାଇପାରେ ଯେ-” ଆଗାମୀ ବଂଶଧରମାନେ କ୍ବଚିତ ବିଶ୍ବାସ କରିବେ କି ଗାନ୍ଧୀଜୀଙ୍କ ପରି ଜଣେ ରକ୍ତମାଂସଧାରୀ ଏପରି ଏକ ମନୁଷ୍ୟ ଏକଦା ପୃଥିବୀ ପୃଷ୍ଠରେ ବିଚରଣ କରୁଥିଲେ” ।
ମହାତ୍ମା ଗାନ୍ଧୀ କେବଳ ଭାରତୀୟ ସ୍ବାଧୀନତା ସଂଗ୍ରାମର ମହାରଥୀ ନଥିଲେ, ସ୍ବଦେଶୀ, ସ୍ବାଭିମାନ ଓ ସ୍ବାବଲମ୍ବନଶୀଳତାର ସେ ଥିଲେ ଚିର ଜାଜ୍ବଲ୍ଯମାନ ପ୍ରତୀକ । ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ପଥ ପ୍ରଦର୍ଶନ କରିବା ସହିତ ସେ ଆରମ୍ଭ କରିଥିଲେ ଆଜୀବନ ସଂଗ୍ରାମ । ନାରୀ ସ୍ବାଧୀନତା ଓ ଜାଗରଣର ସେ ଥିଲେ ଜଣେ ଅମ୍ଳାନ ବାର୍ତ୍ତାବହ । ସ୍ବଦେଶୀ ମନ୍ତ୍ରର ସେ ଥିଲେ ଶାଶ୍ଵତ ପ୍ରଚାରକ । ସମାଜରୁ ଛୁଆଁ ଅଛୁଆଁ ଭେଦଭାବ ଦୂର କରି ସାମ୍ୟ, ମୁକ୍ତି ଓ ମୈତ୍ରୀର ଦୂରଦର୍ଶୀ ସନ୍ଦେଶ ଦେଇଥିଲେ ସେ । ମାନବବାଦର ଅମୃତ ରାଗିଣୀରେ ସମଗ୍ର ବିଶ୍ବକୁ ଆହ୍ଲାଦିତ କରିଥିଲେ ମହାତ୍ମା ଗାନ୍ଧୀ ।
ସମୟାନୁବର୍ତ୍ତିତା ଓ ସ୍ବଚ୍ଛତାର ପକ୍ଷଧର ରୂପେ ସମଗ୍ର ବିଶ୍ବକୁ ଗାନ୍ଧୀଜୀ  ଅଜାଡି ଦେଇଥିଲେ ମୂଲ୍ୟବୋଧଯୁକ୍ତ ଏକ ପୁଷ୍ପିତ ସକାଳର ନବ ଆଲୋକ । ଜାତି,ଧର୍ମ, ବର୍ଣ୍ଣ, ଓ ଭାଷାକୁ ନେଇ ସୃଷ୍ଟି ହୋଇଥିବା ଅସହିଷ୍ଣୁତାର ସେ ଥିଲେ ଜଣେ କଠୋର ସମାଲୋଚକ । ନୈତିକତା ଓ ମୂଲ୍ୟବୋଧ ସମ୍ବଳିତ  ରାଜନୀତିର ସେ ଥିଲେ ଦୃଢ ସମର୍ଥକ । ନୀତିହୀନ ରାଜନୀତିକୁ ସେ ସର୍ବାଗ୍ରେ ଘୃଣା କରୁଥିଲେ । ସେ ରାଜନୀତି ଓ ଆଧ୍ୟାତ୍ମିକତା ମଧ୍ୟରେ ସମ୍ବନୟ ସ୍ଥାପନ କରିଥିଲେ । ଯଥାର୍ଥରେ କହିଲେ ରାଜନୀତିକୁ ଆଧ୍ୟାତ୍ମିକୀକରଣ କରି ଏହାକୁ ସତ୍ୟ ଓ ନ୍ୟାୟ ମାର୍ଗରେ ପରିଚାଳନା କରିବା ପାଇଁ ଗାନ୍ଧୀଜୀ ଚାହୁଁଥିଲେ ।
ଗାନ୍ଧୀଜୀ  ଥିଲେ ସେହି ବ୍ୟକ୍ତି ଯିଏ କି ଲକ୍ଷ୍ୟ ଅପେକ୍ଷା ମାଧ୍ୟମ ଉପରେ ଯଥେଷ୍ଟ  ଗୁରୁତ୍ୱ ଦେଉଥିଲେ । ତାଙ୍କ ମତରେ ଯଥାର୍ଥ ମାଧ୍ୟମ ହିଁ ଯଥାର୍ଥ ଲକ୍ଷ୍ୟ ଧାର୍ଯ୍ୟ କରେ । ମାଧ୍ୟମ ନୀତିହୀନ ହେଲେ ଲକ୍ଷ୍ୟ ମଧ୍ୟ ନୀତିହୀନ ହୁଏ । ପାପାର୍ଜିତ ଧନରେ ମନ୍ଦିର ପ୍ରତିଷ୍ଠା କଲେ ସେ ମନ୍ଦିରରେ ଦେବତା ରୁହନ୍ତି ନାହଁ ବୋଲି ସେ କହୁଥିଲେ ।  କୌଣସି ହିଂସାତ୍ମକ ପନ୍ଥାରେ ସମାଜରୁ ଅନୀତି ବା ଅନ୍ୟାୟ ଦୂର କରାଯାଇ ପାରେ ନାହିଁ ।ତେଣୁ ସେ ସମଗ୍ର ବିଶ୍ବକୁ ଆଦର୍ଶ ଓ ଉତ୍ତମ ଲକ୍ଷ୍ୟ ନିମନ୍ତେ  ଆଦର୍ଶ, ସତ୍ ଓ ଉତ୍ତମ ମାଧ୍ୟମ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।
ଗାନ୍ଧୀଜୀ ସମଗ୍ର ମାନବ ଜାତିର ସେବକ ଥିଲେ ଓ ସମଗ୍ର ମାନବ ଜାତି ପ୍ରତି ତାଙ୍କର ଅଗାଧ ସ୍ନେହ ଓ ଶ୍ରଦ୍ଧା ଥିଲା ।ଭଗବତ୍ ସତ୍ତାକୁ ଅନୁସରଣ କରିବା ଓ ସମସ୍ତ ପ୍ରତିବନ୍ଧକକୁ ଜୟ କରିବା ତଥା ଏଥିପାଇଁ  ପ୍ରେମ ଓ ଅହିଂସା ମାର୍ଗ ଗ୍ରହଣ କରିବାକୁ ସମଗ୍ର ମାନବ ସମାଜକୁ ସେ ପରାମର୍ଶ ଦେଇଥିଲେ ।”ଭଗବାନ ହିଁ ସତ୍ୟ ” ପରିବର୍ତ୍ତେ ”ସତ୍ୟ ହିଁ ଭଗବାନ” ବୋଲି କହୁଥିଲେ । ସତ୍ୟ ଓ ନୈତିକତା ବଳରେ ମଣିଷକୁ ପରିବର୍ତ୍ତନ କରାଯାଇପାରିବ ବୋଲି ସେ କହୁଥିଲେ ।ମଣିଷର ଶକ୍ତି ଉପରେ ତାଙ୍କର ଅଗାଧ ବିଶ୍ବାସ ଥିଲା । କିଛି  ମଣିଷ ଖରାପ ହେଲେ ଯେ ସମସ୍ତ ମାନବ ସମାଜ ଖରାପ ଏଭଳି ଭାବିବା ଆଦୌ ଠିକ୍ ନୁହେଁ ବୋଲି ସେ ମତପୋଷଣ କରିଥିଲେ ।
ଗାନ୍ଧୀଜୀ ଜଣେ ସର୍ବକାଳୀନ ସତ୍ୟାଗ୍ରହୀ ଥିଲେ ।ତେଣୁ ସେ ସତ୍ୟାଗ୍ରହ ବା ସତ୍ୟ ପ୍ରତି ଆଗ୍ରହ ରଖିବାକୁ ସମଗ୍ର ମାନବ ସମାଜକୁ ବାର୍ତ୍ତା ପ୍ରେରଣ କରିଥିଲେ । ସାମାଜିକ ସମସ୍ୟାବଳୀର ଯଥାର୍ଥ ସମାଧାନ ପାଇଁ ସଂଗଠିତ ଭାବରେ ସତ୍ୟାଗ୍ରହ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । ସତ୍ୟାଗହୀ ଜଣେ ସାଧୁ ଓ ସଂଯମୀ । ଏହା ଦୁର୍ବଳର ଅସ୍ତ୍ର ନୁହେଁ ।ବରଂ,ସବଳର ଅସ୍ତ୍ର ବୋଲି ସେ କହୁଥିଲେ । ଦକ୍ଷିଣ ଆଫ୍ରିକାରେ ସେ ସର୍ବ ପ୍ରଥମେ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରି ଗୋରା ସରକାରଙ୍କୁ ମୁହଁ ତୋଡ୍ ଜବାବ ଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଭାରତୀୟ ସ୍ବାଧୀନତା ସଂଗ୍ରାମରେ ମଧ୍ୟ ସତ୍ୟାଗ୍ରହର କୌଶଳ ପ୍ରୟୋଗ କରି ସଫଳ ହୋଇଥିଲେ । ସଂକ୍ଷେପରେ କହିଲେ ଗାନ୍ଧୀଜୀ ଜାତୀୟ ଜୀବନକୁ ସତ୍ୟ ଓ ଅହିଂସା ମାର୍ଗରେ ପ୍ରତିଷ୍ଠିତ କରିବାକୁ ଚାହିଁଥିଲେ।
ଅହିଂସା ତାଙ୍କ ଜୀବନର ଅନନ୍ୟ ବ୍ରତ ଥିଲା । ତାଙ୍କ ମତରେ ବିପ୍ଳବର ଧାରା ଅହିଂସା ମାର୍ଗରେ ପରିଚାଳିତ ହେବା ଉଚିତ । ସେ କଥା ,କାର୍ଯ୍ୟରେ ଓ ଚିନ୍ତାରେ ସଂପୂର୍ଣ୍ଣ ହିଂସାର ବିରୋଧୀ ଥିଲେ । ସତ୍ୟ ଓ ଅହିଂସା ବଳରେ ରାଜନୈତିକ, ସାମାଜିକ, ଓ ଅର୍ଥନୈତିକ ପରିବର୍ତ୍ତନ ଆଣି ଏକ ନୂଆ ସମାଜର ସ୍ବପ୍ନ ଦେଖିଥିଲେ ଗାନ୍ଧୀଜୀ ।  ଏହି ଅହିଂସାର ପଥ ଅନୁକରଣ କରି ପ୍ରବଳ ପରାକ୍ରମୀ ବ୍ରିଟିଶ ଶାସନକୁ ଭାରତରୁ ହଟାଇ ପାରିଥିଲେ । ସ୍ବରାଜ ଓ ସ୍ବଦେଶୀ ମନ୍ତ୍ରକୁ ଆକୁମାରୀ ହିମାଚଳ ପର୍ଯ୍ୟନ୍ତ ପ୍ରଚାର କରି ସେ ନବ ଉନ୍ମାଦନା ସୃଷ୍ଟି କରିଥିଲେ । ସ୍ବଦେଶୀ ବାର୍ତ୍ତା ମାଧ୍ୟମରେ ସ୍ବବଲମ୍ବନଶୀଳତା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇଥିଲେ ସେ । ତାଙ୍କ ରଚିତ ପୁସ୍ତକ “ହିନ୍ଦୁ  ସ୍ବରାଜ୍ଯ” ରେ ସ୍ବରାଜକୁ ଏକ ଜାତିର ଆତ୍ମା ବୋଲି ପ୍ରକାଶ କରିଥିଲେ ।
ସର୍ବୋଦୟ ଗାନ୍ଧୀ ଦର୍ଶନର ଅନ୍ୟ ଏକ ମୌଳିକ ଉପାଦାନ ।ସର୍ବ ଓ ଉଦୟର ମିଶ୍ରଣରେ ସର୍ବୋଦୟ ସୃଷ୍ଟି ।ସମସ୍ତଙ୍କ ଉଦୟ ବା ଉତ୍ଥାନ ଏହାର ଲକ୍ଷ୍ୟ ।ଗାନ୍ଧୀଜୀ ସର୍ବପ୍ରଥମେ ୧୯୦୪ ମସିହାରେ ସର୍ବୋଦୟ ଶବ୍ଦ ବ୍ୟବହାର କରିଥିଲେ ।ସମସ୍ତଙ୍କର ଭଲ ବା ମଙ୍ଗଳ ଏହାର ଲକ୍ଷ୍ୟ ଥିଲା ଗାନ୍ଧୀ ସର୍ବୋଦୟ ମାଧ୍ୟମରେ ସମାଜର ସମସ୍ତଙ୍କର ମଙ୍ଗଳ ଚାହୁଁଥିଲେ । ସର୍ବୋଦୟ ସମଗ୍ର ମାନବ ଜାତିକୁ ନୈତିକ ନ୍ୟାୟ ପ୍ରଦାନ କରିବ ବୋଲି ତାଙ୍କର ଧାରଣା ଥିଲା ।ତାଙ୍କର ସର୍ବୋଦୟ ମାନବବାଦ ଓ ସମାଜବାଦର ଏକ ସମିଶ୍ରଣ ଥିଲା ।
 ଆଜି ଆମେ ଗଣତନ୍ତ୍ରର ଏକ ସୀମିତ ଅର୍ଥ ରେ ରହିଯାଇଛୁ । ଯାହାକି ଜନସାଧାରଣ ନିଜ ପସନ୍ଦରେ ସରକାର ବାଛିବେ ଏବଂ ସରକାର ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ସମ୍ମାନ ଦେଇ କାର୍ଯ୍ୟ କରିବେ । କିନ୍ତୁ ମହାତ୍ମା ଗଣତନ୍ତ୍ରର ଅସଲ ଶକ୍ତି ଉପରେ ଗୁରୁତ୍ୱ ଦେଇଥିଲେ । ସେ ସେହି ମାର୍ଗ ଦେଖାଇଥିଲେ ଯେଉଁଥିରେ ଲୋକମାନେ ଶାସନ ଉପରେ ନିର୍ଭରଶୀଳ ନହୋଇ ସ୍ବାବଲମ୍ବନଶୀଳ ହୋଇପାରିବେ । ଗାନ୍ଧୀ ଜୀ ଏପରି ଏକ ସାମାଜିକ ବ୍ୟବସ୍ଥା ସଂପର୍କରେ ମତବ୍ଯକ୍ତ କରିଥିଲେ ଯାହା ସରକାରଙ୍କ ଉପରେ ନିର୍ଭରଶୀଳ ହୋଇନଥିବ। ଗାନ୍ଧୀ ପରିବର୍ତ୍ତନ କଥା କହିଥିଲେ । ଲୋକମାନଙ୍କ  ଅନ୍ତର୍ଶକ୍ତିକୁ ଜାଗ୍ରତ କରି ସେମାନଙ୍କୁ ନିଜ ଭିତରେ ପରିବର୍ତ୍ତନ ଆଣିବାକୁ ସଚେତନ କରାଇଥିଲେ  ।ସ୍ବାବଲମ୍ବନଶୀଳତାର ମୂଳତତ୍ତ୍ବକୁ ନେଇ ଆଗକୁ ବଢିବାକୁ ଚାହିଁଥିଲେ ।
ମହାତ୍ମା ଗାନ୍ଧୀ କହୁଥିଲେ ତାଙ୍କ ଜୀବନ ହିଁ ତାଙ୍କର ବାର୍ତ୍ତା । ସେ କେବେ ହେଲେ ନିଜ ଜୀବନ ଦ୍ବାରା ପ୍ରଭାବ ବିସ୍ତାର କରିବାକୁ ଚାହୁଁ ନଥିଲେ । କିନ୍ତୁ  ତାଙ୍କ ଜୀବନ ହିଁ ପ୍ରେରଣାର ଉତ୍ସ ସାଜିଥିଲା । ଆଜି ଆମେ କିଭଳି ଅନ୍ୟକୁ ପ୍ରଭାବିତ କରିବା ନ୍ୟାୟରେ ବଂଚୁଛୁ ,କିନ୍ତୁ ଗାନ୍ଧୀଜୀଙ୍କ ଦର୍ଶନ ଥିଲା-“କିଭଳି ଅନ୍ୟକୁ ପ୍ରେରଣା ଯୋଗାଇବା “।ଆତ୍ମନିର୍ଭରଶୀଳତା ତାଙ୍କ ଦର୍ଶନର ଏକ ଅନନ୍ୟ ବିଭବ ।
ମଣିଷକୁ ଆତ୍ମନିର୍ଭରଶୀଳ କରିବାପାଇଁ ସେ କୁଟୀରଶିଳ୍ପ ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଥିଲେ। ଏହାଦ୍ୱାରା ଅର୍ଥନୈତିକ ବିକାଶ ସମ୍ଭବ ହୋଇପାରିବ ବୋଲି ସେ ମତପୋଷଣ କରିଥିଲେ  ।
ଗାନ୍ଧୀଜୀ ଭାରତରେ ଜନ୍ମ ହୋଇଥିଲେ ସତ ମାତ୍ର ନିର୍ଦ୍ଦିଷ୍ଟ  ସୀମିତ ଭୌଗୋଳିକ ସୀମାରେଖା ତାଙ୍କୁ ବାନ୍ଧି ପାରିନଥିଲା।ସେ ଥିଲେ ସମଗ୍ର ବିଶ୍ବର ଆତ୍ମା ଓ ମାନବବାଦର ଶ୍ରେଷ୍ଠ ପୃଷ୍ଠପୋଷକ ।  ଆମେରିକାର ରାଷ୍ଟ୍ରପତି ଜର୍ଜ ମାର୍ଶଲଙ୍କ  ମତରେ-” ମାହାତ୍ମା ଗାନ୍ଧୀ ମାନବ ସମାଜର ବିବେକର ପ୍ରତୀକ ଅଟନ୍ତି ” ।  ଇତିହାସରେ ଏହା ବିରଳ ଯେ ଶାସନ ସହିତ କୌଣସି ସମ୍ପର୍କ ନଥିବା ଜଣେ ବ୍ୟକ୍ତି ସତ୍ୟ ଅହିଂସାର ଶକ୍ତିରେ
ଶହ ଶହ ବର୍ଷର ପୁରୁଣା ସାମ୍ରାଜ୍ୟକୁ କେବଳ ଦୋହଲାଇ ଦେଇନଥିଲେ,ବରଂ ଅନେକ ଲୋକଙ୍କ ମଧ୍ୟରେ ଦେଶଭକ୍ତିର ଭାବ ଜାଗ୍ରତ କରିବାରେ ସକ୍ଷମ ହୋଇ ପାରିଥିଲେ । ଯଥାର୍ଥରେ ସେ ଜଣେ ଏଭଳି ବ୍ୟକ୍ତିତ୍ବ ଥିଲେ ଯେ କ୍ଷମତା ଠାରୁ ବହୁ ଦୂରରେ ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ଲୋକଙ୍କ ହୃଦୟରେ ଅଛନ୍ତି ଓ ଆସନ୍ତା କାଲି ବି ରହିବେ । ତାଙ୍କୁ ଯେତେ ଆକ୍ଷେପ ଓ ସମାଲୋଚନା କଲେ ବି ତାଙ୍କ ଆଦର୍ଶର ନା ମୃତ୍ୟୁ ଅଛି ନା ହୋଇପାରିବ । ତାଙ୍କ ଦର୍ଶନ ଚିର ଦେଦୀପ୍ୟମାନ ।
ଗାନ୍ଧୀବାଦ ସାର୍ବଜନୀନ ଓ ସର୍ବକାଳୀନ । ତାଙ୍କ ଚିନ୍ତାର ଆଧାର ଥିଲା ଭାରତୀୟ ଆଧ୍ୟାତ୍ମିକତା ଓ  ଆଦର୍ଶବୋଧ । ତାଙ୍କ ଆଚରଣ ଓ ଉଚ୍ଚାରଣରେ ସମଂଜସ୍ୟ ଥିଲା ବୋଲି ତ ସେ ମହାତ୍ମା । ସତ୍ୟ, ଶାନ୍ତି, ଅହିଂସା, ଦୟା, କ୍ଷମା ପ୍ରଭୃତି ଦିବ୍ୟ ଗୁଣାବଳୀଗୁଡିକୁ ପ୍ରଥମେ ସେ ନିଜ ଜୀବନର ପ୍ରତିଟି କ୍ଷେତ୍ରରେ ପ୍ରୟୋଗ କରିଥିଲେ । ବିଶ୍ବାସ ଯୋଗ୍ୟ ନହେଲେ ବି  ସତ୍ୟ ଏହି କି ଯେ ବିଶ୍ବରେ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ଗାନ୍ଧୀଜୀ କେବେ ବି ଭେଟି ନାହାଁନ୍ତି, ତଥାପି ସେମାନେ ମହାତ୍ମା ଗାନ୍ଧୀଙ୍କୁ ନିଜ ନିଜ ଜୀବନରେ ଆଦର୍ଶ ରୂପେ ଗ୍ରହଣ କରିଥିଲେ । ମାର୍ଟିନ ଲୁଥର କିଙ୍ଗ ଜୁନିୟର ହୁଅନ୍ତୁ ବା ନେଲସନ ମଣ୍ଡେଲା ହୁଅନ୍ତୁ ସେମାନଙ୍କ ଚିନ୍ତା ଓ ଚେତନାର ଆଧାର ଥିଲେ ମହାତ୍ମା ଗାନ୍ଧୀ । ବିଶ୍ବାର ଅନେକ ରାଷ୍ଟ୍ର ମଧ୍ୟ ଗାନ୍ଧୀ ଦର୍ଶନ ସାହାଯ୍ୟରେ ଅନେକ ସମସ୍ୟାର ସମାଧାନ କରିପାରୁଛନ୍ତି । ଗାନ୍ଧୀଜୀଙ୍କ ଦୂରଦୃଷ୍ଟି  ଭାରତକୁ ଅନେକ ବଡ ବଡ ଆହ୍ୱାନ ସମାଧାନରେ ମାଧ୍ୟମ ହୋଇପାରିଛି ।
ଗାନ୍ଧୀଙ୍କ ସମ୍ପର୍କରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ତାଙ୍କ ଦର୍ଶନକୁ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ  ମତବାଦ ରୂପେ ଗ୍ରହଣ କରାଯାଇପାରେ ନାହିଁ । ବରଂ ଜୀବନଯାପନ ପାଇଁ ଏହା ହେଉଛି ଏକ ଚିରନ୍ତନ ମାର୍ଗ । ସେ ବି କୌଣସି ମତବାଦର ପ୍ରବର୍ତ୍ତନ କରିନଥିଲେ । ସମସାମୟିକ ସମସ୍ୟା ନିମନ୍ତେ ସେ ଯାହା ତାଙ୍କର ମତବ୍ଯକ୍ତ କରିଥିଲେ ।ପୁରାତନ ମୂଲ୍ୟବୋଧକୁ ଏକ ନୂତନ ଯୁଗୋପଯୋଗୀ ଦୃଷ୍ଟିରୁ ବିଚାର କରିବା ଗାନ୍ଧୀଙ୍କର ଲକ୍ଷ୍ୟ ଥିଲା । ସୁତରାଂ ଗାନ୍ଧୀଙ୍କ ଦର୍ଶନ ସମଗ୍ର ବିଶ୍ବରେ ଆଦୃତ। ବିଶ୍ବରେ ଶାନ୍ତି ପ୍ରତିଷ୍ଠା ଓ ପ୍ରଗତି ନିମନ୍ତେ ଗାନ୍ଧୀଙ୍କ ଦର୍ଶନ ଏକମାତ୍ର ପନ୍ଥା ରୂପେ ଆଜି ସର୍ବଜନ ସ୍ବୀକୃତ । ସତ୍ୟ,ଶାନ୍ତି, ପ୍ରେମ,  ଅହିଂସା, ନୈତିକତା, ମାନବବାଦ,ସ୍ବାଭିମାନ,ସ୍ବାବଲମ୍ବନଶୀଳତା ଇତ୍ୟାଦି ମହନୀୟ ଗୁଣାବଳୀ ଯେ ହିଂସା ,ଧ୍ବଂସ, ଈର୍ଷା, ପରଶ୍ରୀକାତରତା ଇତ୍ୟାଦି କୁଗୁଣାବଳୀକୁ ଆପଣାଉଥିବା ଆଜିର ଏ ସ୍ବାର୍ଥପର ବିଶ୍ବ ପାଇଁ ଏକାନ୍ତ  ଅପରିହାର୍ଯ୍ୟ । ଗାନ୍ଧୀଜୀଙ୍କ ପ୍ରଦର୍ଶିତ ମାର୍ଗ ଏକ ଉନ୍ନତ ବିଶ୍ବ ନିର୍ମାଣରେ ଯେ ସହାୟକ ହୋଇପାରିବ । ଯଥାର୍ଥରେ  ଓଡିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଥରେ କହିଥିଲେ – “ମହାତ୍ମା ଗାନ୍ଧୀ ହେଉଛନ୍ତି ବିଶ୍ବର ସକଳ ସମସ୍ୟାର ସମାଧାନ ପାଇଁ ଭାରତୀୟ ସୂତ୍ର” ।
ଆଜି ସମଗ୍ର ବିଶ୍ବରେ ଅନିଶ୍ଚିତତାବାଦ ମୁଣ୍ଡ ଟେକିଛି । ଏହି ପରିପ୍ରେକ୍ଷୀରେ ଗାନ୍ଧୀବାଦର ପ୍ରାସଙ୍ଗିକତା ବୃଦ୍ଧିପାଇବାରେ ଲାଗିଛି ।  ଏହାକୁ ଅଧିକ ଉଜ୍ଜୀବିତ କରିବା ପାଇଁ ହେଲେ ଆଗାମୀ ବଂଶଧରମାନଙ୍କୁ ଗାନ୍ଧୀଙ୍କର ମହନୀୟ ଆଦର୍ଶ ବିଷୟରେ ସଚେତନ କରିବାର ଆବଶ୍ୟକତା ରହିଛି । ପୁନଶ୍ଚ  ସାଂପ୍ରତିକ ପରିସ୍ଥିତିରେ ଗାନ୍ଧୀଜୀଙ୍କ ବିଚାରଧାରାର ବ୍ୟାପକ ପ୍ରଚାର ଓ ପ୍ରସାର କରାଯିବା ବାଂଛନୀୟ । ଏହାଦ୍ବାରା ଆଗାମୀ ପିଢି ସେହି ଯୁଗଶ୍ରେଷ୍ଠ ମହାମାନବଙ୍କ ବିଷୟରେ ଅନେକ ଉପାଦେୟ ତଥ୍ୟ ଜାଣି ପାରିବା ସହିତ ସତ୍ୟ,ଶାନ୍ତି ,ଦୟା,ଧର୍ମ, କ୍ଷମା, ନ୍ୟାୟ, ନୈତିକତା,ଏକାତ୍ମବୋଧ ପ୍ରତି ଅଙ୍ଗୀକାରବଦ୍ଧ ହୋଇପାରିବେ ।ଫଳରେ, ବିଶ୍ବରୁ ହିଂସା,ମିଥ୍ୟା, ଛଳନା,ଦୁର୍ନୀତି ,ଅନ୍ୟାୟ,ଅନୀତି ଇତ୍ୟାଦିର ତାଣ୍ଡବ ନିଶ୍ଚୟ ପ୍ରଶମିତ ହୋଇପାରିବ । ସମଗ୍ର ବିଶ୍ବ ସତ୍ୟ ଓ ପ୍ରେମର ବଳିଷ୍ଠ ମୂଳଦୁଆ ଉପରେ ଦଣ୍ଡାୟମାନ ହୋଇ ଗାନ୍ଧୀଜୀଙ୍କ କଳ୍ପିତ ”ରାମରାଜ୍ୟ” ସ୍ବପ୍ନକୁ ସାକାର କରିପାରିବ । ଏହା ନିଃସନ୍ଦେହ ।
Leave A Reply