Odisha news

ନିରାଶ… ଭୟ… ମାନସିକ ଚାପ….

0

ଡାକ୍ତର ବିରଞ୍ଚି ନାରାୟଣ ମଲ୍ଲିକ : ଦେଶ ବିଦେଶରେ ବେଶ ସୁନାମ ଅର୍ଜନ କରିଥିବା ବିଶିଷ୍ଟ ସର୍ଜନ ଡା. ଡେଭିସ୍ ଏକ କରୋନା ୱାର୍ଡ଼ରେ ଡୁ୍ୟଟି ତୁଲାଉ ଥାଆନ୍ତି । ସେ ରୋଗୀମାନଙ୍କ ପ୍ରେସକୁ୍ୟସନ ସବୁ ତଦାରଖ କରୁଥିବାବେଳେ ଚାଳିଶ ବର୍ଷ ବୟସର ଜଣେ ଯୁବକ ହୁଇଲ ଚେୟାରରେ ତାଙ୍କ ପାଖରେ ପହଞ୍ଚି କାକୁତିଭରା କଣ୍ଠରେ ବାରମ୍ବାର ଗୋଟିଏ ଜିଦ୍ଖୋର ପ୍ରଶ୍ନ ପଚାରୁଥାନ୍ତି “ସାର୍ ମୁଁ ବଞ୍ଚି ପାରିବତ’? ନିଜ ଜୀବନକୁ ନେଇ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଥିବା ଏହି ରୋଗୀ ଜଣଙ୍କ କାକୁତି ମିନତୀ ହୋଇ ଶ୍ୱତଃ କହୁଥାନ୍ତି “ମୋତେ ବଞ୍ଚାଇ ଦିଅନ୍ତୁ, ମୁଁ ଜିଇଁବାକୁ ଚାହୁଁଛି । ମୋ ଉପରେ ମୋ ବଡ଼ ସଂସାରଟି ନିର୍ଭର କରୁଛି ।’ ଆପଣଙ୍କୁ ବଞ୍ଚାଇ ରଖିବା ପାଇଁ ଡାକ୍ତରୀ ବ୍ୟବସ୍ଥା ଦ୍ୱାରା ଏବଂ ମୋ ଦାୟିତ୍ୱ ନିର୍ବାହ ଭିତରେ ଯାହା ସମ୍ଭବ ମୁଁ ନିଶ୍ଚୟ କରିବି ।

ଦୁଇ ତିନିଦିନ ପରେ ସେହି ରୋଗୀ ଜଣଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ପରେ ପରେ ତାଙ୍କ ଜୀବନ ଦୀପ ଲିଭିଗଲା । କେବଳ ଭାରତ ନୁହେଁ ବିଶ୍ୱର କୋଣେ ଅନୁକୋଣରେ କରୋନା ରୋଗୀ ମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ମୁର୍ମୁଷୁ ରୋଗୀ ମାନଙ୍କ ଭିତରେ ଭୟ ଓ ଯନ୍ତ୍ରଣାକୁ ଦେଖୁଥିଲେ । କ୍ରିଟିକାଲ କେୟାର ୱାର୍ଡ଼ରେ ରୋଗୀଙ୍କ ମୃତୁ୍ୟ ଦେଖିବା ଜଣେ ଡାକ୍ତରଙ୍କ ପାଇଁ କିଛି ନୂଆ କଥା ନୁହେଁ କିନ୍ତୁ କରୋନା ୱାର୍ଡ଼ରେ କାମ କରିବାର ମାନସିକ ଚାପ ଅନ୍ୟ ଚାପ ତୁଳନାରେ ଢ଼େର ବେଶି । ଅଧିକାଂଶ କରୋନା ଭୂତାଣୁ ରୋଗୀଙ୍କୁ ଆଇସୋଲେସନରେ ରଖାଯାଇଥାଏ । ଯାହାର ଅର୍ଥ ହେଉଛି ଯଦି ସେମାନେ ଗୁରୁତର ଅସୁସ୍ଥ ହୋଇପଡ଼ନ୍ତି ତେବେ ନିଜର ଶେଷ ମୁହୂର୍ତ୍ତରେ କେବଳ ଡାକ୍ତର ଓ ନର୍ସଙ୍କୁ ଦେଖିପାରିବେ ।

କଥା ହେଉଛି ସାଧାରଣତଃ ଭାବେ ସେମାନେ ଚିକିତ୍ସା କରୁଥିବା ରୋଗୀଙ୍କର ଆବେଗ ବୋଝକୁ ରୋଗୀର ପରିବାର ସଦସ୍ୟଙ୍କ ସହ ସେୟାର କରିଥାନ୍ତି । କିନ୍ତୁ କରୋନା ଭୂତାଣୁ ଚିକିତ୍ସାରେ ଏହାକୁ ଅନୁମତି ଦିଆଯାଇ ପାରିବ ନାହିଁ । ବର୍ତ୍ତମାନର କରୋନା ସଂକ୍ରମଣର ପ୍ରକୋପ ଦ୍ୱାରା ଅଧିକାଂଶ ଡାକ୍ତର ନିଜ ପରିବାର ସଦସ୍ୟଙ୍କ ସୁରକ୍ଷା ଦୃଷ୍ଟିରୁ ନିଜେ ଆଇସୋଲେସନରେ ରହୁଥିବାବେଳେ ରୋଗୀ ମାନଙ୍କର ଏଭଳି ଭାବନାତ୍ମକ ସ୍ଥିତି ସେମାନଙ୍କ ଅବସ୍ଥାକୁ ଅଧିକ ଖରାପ କରିଦେଉଛି । ଅନେକ ଡାକ୍ତର ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକେ ଦେଖିବାକୁ ସୁଯୋଗ ପାଇପାରୁ ନାହାଁନ୍ତି । ସେଭଳି କରୋନା ଦ୍ୱାରା ସଂକ୍ରମଣ ହେବାର ଭୟ ବି ରହିଛି । ଏଣୁ ଡାକ୍ତରମାନେ କେଉଁଭଳି ସ୍ଥିତିରେ ରହିଥିବେ ଏଥିରୁ ବୁଝାପାରୁଥିବ । ମୁର୍ମୁଷୁ ରୋଗୀ ମାନଙ୍କ ଆବେଗ ସହ ଡାକ୍ତରମାନେ ଅଭ୍ୟସ୍ତ ହୋଇପଡ଼ିଛନ୍ତି । ସେମାନଙ୍କ ଭୟ ଓ କୋହକୁ ଶାନ୍ତ କରିବାକୁ ପଡ଼ୁଛି । ଲୋକମାନଙ୍କ ଜୀବନ ରକ୍ଷା କରିବା ଡାକ୍ତରଙ୍କ ମୁଖ୍ୟ କର୍ତ୍ତବ୍ୟ ।

ଯେକୌଣସି ପ୍ରତିବନ୍ଧକ ହେଉନା କାହିଁକି ସେମାନଙ୍କୁ ତାହା ସାମ୍ନା କରିବାକୁ ପଡ଼ିବ କିନ୍ତୁ ସେମାନେ ବି ଜଣେ ମଣିଷ ଓ ସେମାନଙ୍କୁ ବି ଭୟ ଲାଗେ । କରୋନାରେ ଆକ୍ରାନ୍ତ ଜଣେ ରୋଗୀ ଶେଷ ମୁହୂର୍ତ୍ତରେ ବି ତା ସମ୍ପର୍କୀୟ ମାନଙ୍କୁ ଦେଖିବାର ସୁଯୋଗଟି ପାଇପାରୁ ନାହିଁ । କିନ୍ତୁ ସବୁଲୋକ ନିଜ ପ୍ରୟୋଜନର ଶେଷ ମୁହୂର୍ତ୍ତର ହସ ପଦେ ଅଥବା ଶେଷ କଥାକୁ ମନେ ରଖିବାକୁ ଚାହାଁନ୍ତି । କିନ୍ତୁ କରୋନା ସେ ସୁଯୋଗ ଦେଉନାହିଁ । ଏପରିକି ସେମାନଙ୍କୁ ଉପଯୁକ୍ତ ଦାହ ସଂସ୍କାରର ସୁଯୋଗ ବି ମିଳୁନି । କେବଳ କରୋନା ୱାର୍ଡ଼ ନୁହେଁ କରୋନା ହଟସ୍ପଟରେ ଘର ଘର ବୁଲି କଣ୍ଟାକ୍ଟ ଟ୍ରେସିଂ ଓ ସନ୍ଧିଗ୍ଧଙ୍କ ସ୍କ୍ରିନିଂରେ ଜଡ଼ିତ ଥିବା ଡାକ୍ତର, ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ ଓ ଅଧିକାରୀ ବି କରୋନା ଯୋଦ୍ଧା । ବର୍ତ୍ତମାନ ସମୟଟି ହେଉଛି ଡାକ୍ତରମାନଙ୍କ ଜୀବନକାଳର ସବୁଠାରୁ ସୁଦୀର୍ଘ ଲଢ଼େଇ ।

ଅନେକ ଡାକ୍ତର ମେଡ଼ିକାଲ ଗ୍ରେଡ଼ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ମିଳିନଥାଏ । ସଂକ୍ରମଣର ଭୟ ସବୁବେଳେ ରହିଛି ଓ ଏହାସହ ହିଁ ଜିଇଁବାକୁ ପଡ଼ୁଛି । ଏହା ସବୁବେଳେ ଡାକ୍ତରମାନଙ୍କ ମସ୍ତିଷ୍କକୁ ଆସୁଛି ଓ ଏହି ନକରାତ୍ମକ ଚିନ୍ତାଧାରାକୁ ଦୂରେଇବା ପାଇଁ ସେମାନଙ୍କୁ ନିଜ ସହ ଲଢ଼େଇ କରିବାକୁ ପଡ଼ୁଛି । କରୋନା ବିରୋଧୀ ଲଢ଼େଇରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ନଥିବା ଡାକ୍ତର ଓ ନର୍ସ ମାନଙ୍କ ପ୍ରତି ଯେ ବିପଦ ନାହିଁ ତାହା ଭାବିବା ଭୁଲ । ଅନ୍ୟ ରୋଗ ଥିବା ଲୋକମାନେ ଡାକ୍ତରଖାନାଙ୍କୁ ଯିବା ଆସିବା କରୁଛନ୍ତି । କରୋନା ଭୂତାଣୁ ଭଳି ଲକ୍ଷଣ ଥିବା ବହୁ ରୋଗୀ ଏବେ ଡାକ୍ତରଖାନା ଆସୁଛନ୍ତି । କରୋନା ଭୂତାଣୁ ମଣିଷଣ ଜୀବନକୁ ବଦଳାଇ ଦେଇଛି । ପିପିଇ ପିନ୍ଧିଥିବା ସତ୍ତ୍ୱେ କୌଣସି ଡାକ୍ତର ସଂକ୍ରମଣ ହୋଇଥିବା ଖବର ପାଇବା ପରେ କରୋନା ଚିକିତ୍ସାରେ ସାମିଲ ହୋଇଥିବା ଡାକ୍ତରମାନଙ୍କ ଚିନ୍ତା ଓ ଉଦ୍ବେଗ ବଢ଼ି ଯାଉଛି । ଭାରତରେ ଅନେକ ଡାକ୍ତର କରୋନା ଯୋଗୁଁ ମୃତୁ୍ୟମୁଖରେ ପଡ଼ିଲେଣି ।

ପ୍ରାଥମିକ ସ୍ତରରେ କରୋନା ଲକ୍ଷଣ ଥିବା ଜଣେ ରୋଗୀର ଚିକିତ୍ସା କରିବା ପାଇଁ କେତେକ କ୍ଷେତ୍ରରେ ଯୁବଡାକ୍ତରମାନେ ମାନସିକ ଭାରସାମ୍ୟ ହରାଇ ଡାକ୍ତରଖାନା ଯିବାକୁ ଉଚିତ ମନେ କରୁନାହାଁନ୍ତି । ତେବେ ଏପରି ସମୟରେ ସବୁଠାରୁ ବେଦନାଦାୟକ କଥା ହେଉଛି ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଦ୍ୱିତୀୟ ଭଗବାନ କୁହାଯାଉଥିବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମରଣାତ୍ମକ ଆକ୍ରମଣ କରିବାକୁ ଭୁଲୁ ନାହାଁନ୍ତି । ଡାକ୍ତରମାନେ ନିଜର ଜୀବନକୁ ବିପଦରେ ପକାଇ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଯେଉଁ ମହତ୍ ଧର୍ମ ଓ ଦାୟିତ୍ୱ ତୁଲାଉଛନ୍ତି ପ୍ରତିବଦଳରେ ସେମାନେ କେବଳ ଏକ ଭଳ ଆଶ୍ୱାସନା, ଭଲପାଇବା ଓ ଆଶୀର୍ବାଦ ହିଁ ଚାହାଁନ୍ତି । ଏହା ହିଁ ସେମାନଙ୍କ ନିରାଶ, ଅଜଣା ଭୟ ଓ ମାନସିକ ଚାପକୁ ଦୂରେଇ ଦେଇପାରିବ

Nalco
Leave A Reply