Odisha news

ଆଜି ଦିନରେ ଛାତ୍ର ଓ ଯୁବସମାଜର ଦାୟିତ୍ୱ

0

sakalakhabar.com:କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ବିଶ୍ୱରୁ ଲକ୍ଷଉପରେ ଲୋକ ଆରପାରିକୁ ଚାଲିଗଲେଣି । ଆମଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ସାତ ହଜାର ଉପରେ ଏବଂ ମୃତୁ୍ୟ ସଂଖ୍ୟା ଦୁଇଶହ ଉପରେ । ସେମାନଙ୍କ ଭିତରୁ ଅନେକ ତାଙ୍କ ପରିବାର ପାଇଁ ହୁଏତ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇ ଥାଇପାରନ୍ତି । ଟିକେ ଚିନ୍ତା କରି ଦେଖନ୍ତୁ ତ! ଅତିକମ୍ରେ ବିଶ୍ୱର ଲକ୍ଷ ମୃତଲୋକଙ୍କ ଉପରେ ତିନି ଚାରି ଲକ୍ଷ ଲୋକ ନିଶ୍ଚିତ ଭାବରେ ନିର୍ଭର କରୁଥିବେ । ସେମାନେ ସମସ୍ତେ ଏବେ ନିରାଶ୍ରୟ । ଏ’ସବୁ ଆଲୋଚନା କରି ଆପଣଙ୍କୁ ଭୟଭୀତ କରେଇବା ଲକ୍ଷ୍ୟ ମୋର ଆଦୌ ନୁହେଁ ବରଂ ସରକାରଙ୍କ ପ୍ରତିଟି ଜନହିତକାରୀ ପଦକ୍ଷେପଗୁଡିକ ପଛରେ ଦୃଢଭାବରେ ଛିଡାହୋଇ ସହଯୋଗ କରିବାକୁ ଅନୁରୋଧ । ପୋଲିସ୍ଦଳ ଦୁଇଚକିଆ ଯାନକୁ କଡାକଡି ଭାବରେ ଚେକ୍କରି ଚାଲାଣ କରିବାରୁ ରାସ୍ତାଘାଟରେ ଭିଡ ବହୁତ କମିଥିଲା, କିନ୍ତୁ ହାଇକୋର୍ଟ ଯାହା କହିଲେ କିଛି ନବୁଝିନସୁଝି ଟୋକାଦଳ ରାସ୍ତାକୁ ବାହାରିଆସିଲେ । ସନ୍ଧ୍ୟାପରେ ପୁଣି ନିଦେ୍ର୍ଦଶନାମାର ସଠିକ୍ ଆକଳନ କରାଯାଇ ପୁନଃପ୍ରସାରଣ ହେବାରୁ ଟିକେ କମିଛି । ଏ’ସମୟରେ ଏପରି ଆଇନିଅମାନ୍ୟ ସମାଜପ୍ରତି ଘୋର ବିପଦ ।

ଏଥିରେ ବିଶେଷକରି ଛାତ୍ର ଓ ଯୁବସମାଜର ସମ୍ପୃକ୍ତି ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଶଗଡପହିଆ ଉପରତଳ ହେଲାପରି ଜୀବନରେ ସୁଖ ଦୁଃଖ, ଆଲୋକ ଅନ୍ଧାର, ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତି ଘଟିବା ନିୟତିର ନିୟମ । ଏବେ ସାରାବିଶ୍ୱ ଏକ ପ୍ରତିକୂଳ ପରିସ୍ଥିତିଦେଇ ଗତି କରୁଛି । ଇଟାଲୀ, ସ୍ପେନ୍, ଆମେରିକା ଓ ଜର୍ମାନ ପରି ଦେଶ କରୋନା ଆଗରେ ହାର୍ ମାନି ସାରିଛନ୍ତି । କବରସ୍ତାନରେ ସାମୂହିକ ଶବସକôାର ଦେଖି ଲୋକେ ଭାବୁକହେବା ସ୍ୱଭାବିକ୍ । ଆମେ ଯଦିଓ ତାଙ୍କ ପରି ଶୋଚନୀୟ ଅବସ୍ଥାରେ ପହଁଚି ନାହେଁ, ତଥାପି ବିଶ୍ୱ ବାହାରେ କେମିତି ରହିବା! ଲକ୍ଷଲକ୍ଷ ଲୋକ ନିଜର ଆତ୍ମୀୟସ୍ୱଜନଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡୁଥିବା ବେଳେ ଆମସରକାରଙ୍କର ଦୂରଦୃଷ୍ଟି ଯୋଗୁଁ ଏ’ପର୍ଯ୍ୟନ୍ତ କରୋନା ଭୂତାଣୁ ଆମ ନିୟନ୍ତ୍ରଣରେ ଥାଇ ମଧ୍ୟ ଦୁଇଶହ ଉପରେ ମୁଣ୍ଡ ଗଡେଇ ସାରିଲାଣି । ଏପରି ଭୟଙ୍କର ସଙ୍କଟପୂର୍ଣ୍ଣ ସମୟରେ ଦେଶପାଇଁ ପ୍ରତ୍ୟେକ ଛାତ୍ର ଓ ଯୁବସମାଜର ନିଶ୍ଚିତ ଭାବରେ କିଛି ନା କିଛି ଦାୟିତ୍ୱ ଏବଂ କର୍ତ୍ତବ୍ୟ ମଧ୍ୟ ଅଛି ଯାହାକି ସମ୍ପୂର୍ଣ୍ଣ ନିଷ୍ଠାର ସହ ସମସ୍ତେ ପାଳନ କରିବା ଅନିବାର୍ଯ୍ୟ ।
ଛାତ୍ର ଓ ଯୁବସମାଜ ଦେଶର ଭବିଷ୍ୟତ । ସମାଜକୁ ସୁସ୍ଥ ରଖିବା ସେମାନଙ୍କର ପ୍ରଥମ କର୍ତ୍ତବ୍ୟ । ଗୋଟିଏ ସୁସ୍ଥ ସମାଜ ମଣିଷର ସାମଗ୍ରିକ ବିକାଶରେ ସହାୟତା କରିଥାଏ । ସାମାଜିକ ଅବସ୍ଥା ପଙ୍ଗୁ ହୋଇପଡିଲେ ମଣିଷର ଜୀବନ ବିପର୍ଯ୍ୟସ୍ତ ହୋଇଯିବ । ଛାତ୍ର ଓ ଯୁବସମାଜଙ୍କ ଆଖିରେ ଯେଉଁ ଭବିଷ୍ୟତର ସ୍ୱପ୍ନ ଉଙ୍କି ମାରୁଛି ସେସବୁକୁ ଚରିତାର୍ଥ କରିବା ପାଇଁ ସାମାଜିକ ବାତାବରଣ ଭଲ ରହିବା ଆବଶ୍ୟକ । କରୋନା ଭୂତାଣୁର ପ୍ରଭାବରେ ଦେଶର ସମସ୍ତ ନାଗରିକ ଏବେ ଆତଙ୍କିତ । ତେଣୁ ଆଜିଦିନରେ ଛାତ୍ର ଓ ଯୁବସମାଜ ପାଇଁ ଏହା ଏକ ଜରୁରୀ ସମାଜସେବାର ସୁଯୋଗ ସୃଷ୍ଟି କରିଛି । ମୟୁରଭଞ୍ଜର ଏକ ବସ୍ତିରେ ଏହି ତାଲାବନ୍ଦି ସମୟରେ କିଛି ଲୋକଙ୍କୁ ଅଯଥା ବୁଲୁଥିବାର ଦେଖି ପଚା  ରିଲେ ସେମାନେ କୁହନ୍ତି, ‘ଆମକୁ କରୋନା ହେବନି । କରୋନା ପରିକା କେତେ ଦେଖିଛୁ ।’ ଆଉ କିଛି ଲୋକ ନିଜକୁ ଭଗବତ୍ ପ୍ରେମି ବୋଲି କହି କୁହନ୍ତି, ‘ଯାହା ଈଶ୍ୱରଙ୍କ ବରାଦ ସେଇଆ ହେବ ।

ମୁହଁ ଘୋଡେଇ ଚାଲିଲେ କଣ ତୁମେ ବଂଚିଯିବ । ଯାହାର ଆୟୁଷ ଯେତିକି, ସିଏ ସେତିକି ବଂଚିବ । ଦଣ୍ଡେ ନିମିଷେ ଥିଲେ ପ୍ରାଣ, ନନେଇ ପାରେ ଜନ୍ତୁରାଣ ।’ ଏମାନେ ହେଲେ ପଢାଲିଖା ପାଠୁଆ ଧର୍ମାନ୍ଧ ଅଜ୍ଞାନୀ ବ୍ୟକ୍ତି । ସମାଜପାଇଁ ବେଶି ମାରାତ୍ମକ । ଏମାନଙ୍କୁ ସଚେତନ କରାଇବା ଦାୟିତ୍ୱ ହେଲା ଆଜିର ଛାତ୍ର ଏବଂ ଯୁବସମାଜର । ସରକାରଙ୍କ ହାତରେ କେଇଟା ପୋଲିସ୍ ଅଛନ୍ତି ଯେ ସେମାନେ ସମସ୍ତଙ୍କ ମୁହଁ ଉପର କନା ବନ୍ଧା ଅଛି କି ନାହିଁ ଦେଖି ଦଣ୍ଡିତ କରିବେ! ଆମର ଲୋକସଂଖ୍ୟା କ’ଣ କମ୍ କି! ଏ’ସବୁ ସରକାର ଉପରେ ଛାଡିଲେ କିଛି ହେବନି । ଛାତ୍ର ଓ ଯୁବସମାଜ ଆଗକୁ ଆସି ନିଜ ମହଲା, ନିଜ ଗଳି ଓ ନିଜସାହିର ଦାୟିତ୍ୱ ନିଅନ୍ତୁ । ଏବେ ବି ପାଂଚଶହ ଜମାତି ଦେଶରେ ଲୁଚିକି ବସିଛନ୍ତି । ନିଜେ ମରିବା ସାଙ୍ଗେସାଙ୍ଗେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି । ଯେତେ ବୁଝେଇଲେ ତାଙ୍କ ମଗଜରେ ଏ’କଥା ଢୁକୁନି । ସେମାନଙ୍କ ଆଖପାଖରେ ଯେମିତି ହେଲେ କିଏ ନା କିଏ ଛାତ୍ର କି ଯୁବକ ନିଶ୍ଚିତ ଥିବେ! ସେମାନେ ଯଦି ରାଷ୍ଟ୍ରପ୍ରତି ତାଙ୍କର କର୍ତ୍ତବ୍ୟବୋଧ ଦେଖାଇ ସେମାନଙ୍କୁ ଲୋକଲୋଚନକୁ ଆଣିପାରନ୍ତେ ଦେଶର ମଙ୍ଗଳ ହୁଅନ୍ତା । ଯଦି ସେ ସତ୍ସାହସ ନାହିଁ ତେବେ ଆରୋଗ୍ୟ ଆପ୍ ଡାଉନ୍ ଲୋଡ୍ କରି ସେଥିରେ ସେମାନଙ୍କ ବିଷୟରେ ସନେ୍ଦଶ ଦେଲେ ବି ସମାଜପ୍ରତି ନିଜ ଦାୟିତ୍ୱନିର୍ବାହ ହୋଇପାରିବ ।
କିଛିଲୋକ ଅଛନ୍ତି ଜ୍ଞାନବିଜ୍ଞାନ ଠାରୁ କୋଷେ ଦୂରରେ । ଆଉ କିଛି ସବୁ ଜାଣିଶୁଣି ବି କିଛି ମାନୁନାହାନ୍ତି । ପରିବା ହାଟ, ଗୋ୍ରସରୀ ଆଦି ଦୋକାନରେ ଲୋକଙ୍କ ସାଙ୍ଗରେ ଗେଞ୍ଜିହୋଇ ଛିଡା ହେଉଛନ୍ତି । ଏମିତିରେ ପୋଲିସ୍ ଆସି ଦୋକାନିକୁ ଗାଡିରେ ଉଠେଇ, ଦୋକାନ ସିଲ୍କରି ଚାଲିଯାଉଛି । ଏତେ ଭିଡ ଭିତରେ ଦୋକାନି ସଉଦା ବିକିବ! ନା ଗରାଖମାନେ ଛାଡିଛାଡି ଛିଡା ହୋଇଛନ୍ତି ନା ଚେକ୍ କରିବ? ଏଥିପାଇଁ ତା’ପାଖରେ ଲୋକ କାହିଁ? ତେଣୁ ପୋଲିସ୍ଗାଡିରେ ଯାଇ ଭାଗ୍ୟକୁ ଆଦରି ଥାନାରେ ବସୁଛି । ଆଉ କିଛିଲୋକ ପୋଲିସ ସାଇରନ୍ ଶୁଣିଲେ ସାମାଜିକ ଦୂରତା ରକ୍ଷାକରି ନିର୍ଦ୍ଧାରିତ ଗୋଲେଇଜାଗାରେ ଫଟାଫଟ୍ ଛିଡା ହୋଇ ଯାଉଛନ୍ତି । ପୋଲିସ୍ ଦଳ ଚାଲିଗଲେ ପୁଣି ଯୋଉଆ କୁ ସେଇଆ, ପାଖାପାଖି ଲାଗି ଯାଉଛନ୍ତି । ସତେଯେମିତି ଏମାନେ ପୋଲିସ୍ଦଳଙ୍କ ସ୍ୱାସ୍ଥ୍ୟପାଇଁ କେବଳ ସାମାଜିକ ଦୂରତାର ପ୍ରମୁଖତା ଉପରେ ଗୁରୁତ୍ୱ ଦେଉଛନ୍ତି, ନହେଲେ ଖୁନ୍ଦିଖାନ୍ଦି ହୋଇ ଚଢାଉତରା ହୁଅନ୍ତେ । ଏତଦ୍ବ୍ୟତୀତ ଗାଁଗହଳି ମଫସଲ ଅଂଚଳରେ ଗୁଣିଆଡାକ୍ତର ବହୁତ ଅଛନ୍ତି । ହଲଦୀକାଆଁର(ଜଣ୍ଡିସ୍), ହଇଜା, କଲେରା ଆଦି ରୋଗରେ ପଣାଦେଇ ଦେବାଦେବୀ ପୂଜା କରନ୍ତି, ଝାଡଫୁଙ୍କାରେ ରୋଗ ଭଲ କରିଦିଅନ୍ତି ବୋଲି ବିଶ୍ୱାସ । ସେମାନଙ୍କ ଭିତରୁ ଏବେ ବି କିଛି ବାହାଷ୍ପଟ ମାରି କହୁଛନ୍ତି, ‘ଆସୁ କରୋନା । ମନ୍ଦାରଫୁଲ ହାରଗୁନ୍ଥି ପଣାମାଠିଆଏ କରି କାଳିକାକାମନା, ବନଦୂର୍ଗାଙ୍କୁ ଡାକି ଏକାଠି କଲେ କୁଆଡେ ଯିବ ବାଟ ପାଇବନି । ଏଠି ଆସି ମୁଣ୍ଡ ନେବ? ଏତେ ସାହସ!’ ଏମାନଙ୍କୁ କରୋନାର ପ୍ରକୃତଜ୍ଞାନ ତାଙ୍କରି ଭାଷାରେ ବୁଝାଇ ସଚେତନ କରିବା ଦାୟିତ୍ୱ ସେହିଜାଗାର ଛାତ୍ର ଓ ଯୁବସମାଜର । କୁସଂସ୍କାର ମୁଣ୍ଡରେ ପ୍ରଚଣ୍ଡ ପଦାଘାତ କରି ସମାଜରୁ ସମ୍ପୂର୍ଣ୍ଣରୂପେ ଧ୍ୱଂସ କରିବା ହେଲା ଛାତ୍ର ଓ ଯୁବସମାଜର କର୍ତ୍ତବ୍ୟ ।
ଏ’ସମୟରେ ଛାତ୍ର ଓ ଯୁବସମାଜ ଦେଶକୁ ଓ ସମାଜକୁ ସାହାଯ୍ୟ କରିବାପାଇଁ ସ୍ୱତଃପ୍ରବୃତ୍ତ ଭାବରେ ଅଂଟା ଭିଡିବା ଆବଶ୍ୟକ । ଅପେକ୍ଷା କାହାକୁ! କିଏ ତୁମକୁ ଡାକିବ? ଆପଣମାନଙ୍କର ଏହି ଜରୁରୀକାଳୀନ ପରିସ୍ଥିତିରେ ଯଥେଷ୍ଟ ଭୂମିକା ରହିଛି । ଆପଣଙ୍କ ବଜାରରେ, ପଂଚାୟତରେ ବଡଲୋକଟିଏ ଏହି ସମୟରେ ତା’ର ପୁଅ ବାହାଘର କରିବାକୁ ଯାଉଛି । ଥାନାଠାରୁ ଦୂର । ଛକରେ ତମ୍ବୁତଳ ପୋଲିସଦଳକୁ ହାତ କରି ସାରିଲାଣି । କିନ୍ତୁ ଆପଣ କ’ଣ ତାକୁ ସାମାଜିକ ଦୂରତା ପରି ବିଷୟକୁ ଭୃକ୍ଷେପ କରି ସେ ଆୟୋଜନ କରିବାକୁ ଦେବେ? ଆପଣଙ୍କ ପାଖ ଦୋକାନରେ ସରଳ ଗରିବଲୋକ ଗୁଡାକୁ ଜମାଖୋରୀ ଦୋକାନୀ ଠକି ବହୁତ ଅଧିକ ଦାମ୍ ନେଇ ବିକ୍ରୟ କରୁଛି, ମାଲ୍ ଥାଇ ବି ଜାଣିଶୁଣି ମାଲ୍ ମିଳୁନି ବହୁତ କଷ୍ଟରେ ପାଂଚକିଲୋ ଆଣିଲି ବୋଲି କହି ଭିତରୁ ପାଂଚ ପାଂଚ କିଲୋ ବାହାର କରି ଚଢା ଦରରେ ବିକ୍ରୟ କରୁଛି । ଆପଣ ଏ’ସବୁ ଦେଖି କଣ ଚୁପ୍ ରହିବେ? ଏହାଛଡା ବିଶ୍ୱରେ ଯେମିତି କରୋନା ମାତିଛି ନିଶ୍ଚିତ ଭାବରେ ଆମଭାରତରେ କିଛି ନା କିଛି ତାଣ୍ଡବ ରଚିିବ । ରୋଗିସଂଖ୍ୟା ବଢିବା ସମୟରେ ଆମଦେଶର ରକ୍ତ ଭଣ୍ଡାର ପୂରାଥିବା ଦରକାର । ରେଡ୍କ୍ରସ୍ ସାଙ୍ଗରେ ମିଶି ରକ୍ତଦାନ ଶିବିର ଆଦିର ଆୟୋଜନ କରିବା ମଧ୍ୟ ଆଜିଦିନରେ ଛାତ୍ର ଓ ଯୁବସମାଜର ନୈତିକ ଦାୟିତ୍ୱ । ପରିଶେଷରେ ଆଜିଦିନରେ ଛାତ୍ର ଓ ଯୁବସମାଜ ମନେରଖିବା ଉଚିତ୍ ଯେ ମାନବ ସେବା ହିଁ ମାଧବ ସେବା । ସମାଜସେବା ପାଇଁ ଏପରି ସୁବର୍ଣ୍ଣ ସୁଯୋଗ ବାରମ୍ବାର ଜୀବନରେ ଆସି ନପାରେ, ତେଣୁ ଏହାର ଯଥାସାଧ୍ୟ ସଦୁପଯୋଗ କରିବାକୁ ଆଦୌ ଭୁଲନ୍ତୁନାହିଁ ।
 

Leave A Reply