ଯଦୁମଣି ପାଣିଗ୍ରାହୀ : ଆଜିକାଲିି ସରକାରୀ ଦପ୍ତର ଗୁଢିକ ବଜାର ସହରର ବାଣିଜ୍ୟ ବ୍ୟବସାୟ ପ୍ରତିଷ୍ଠାନ ଭଳି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ବ୍ୟବସାୟ ପ୍ରତିଷ୍ଠାନର ମାଲିକ ମାନେ ପ୍ରତ୍ୟହ ସକାଳେ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ଅବକାଶରେ ବିଧିପୂର୍ବକ ଦୋକାନ ମଣ୍ଡନ କରିଥିବା ଦେବାଦେବୀଙ୍କ ଫଟୋଚିତ୍ର ବା ମୂର୍ତ୍ତିରେ ଫୁଲ ଦେବା ସହ ଧୂପଦୀପାଦି ଦେଇ ପୂଜା କରିଥାନ୍ତି । ଦୋକାନରୁ ସର୍ବପ୍ରଥମେ ସାମଗ୍ରୀ କ୍ରୟ କରୁଥିବା ଗରାଖ ହାତରୁ ‘ବଇନି’ ହେବା ପରେ ଦୋକାନରେ ବିକ୍ରୀବଟା ସ୍ୱାଭାବିକ ରୀତିରେ ଆରମ୍ଭ ହୋଇଥାଏ । ଏହା ହେଉଛି ଆମର ସାମାଜିକ ଚଳଣି । ତେବେ ଏହି ଚଳଣିକୁ ଆଜିକାଲି ସରକାରୀ ଦପ୍ତର ଗୁଡିକରେ ଲାଗୁ କରି ଦିଆ ଗଲେଣି । ସରକାରୀ ଦପ୍ତର ଗୁଡିକରେ ଏବେ ବିିଭିନ୍ନ ଦେବାଦେବୀଙ୍କ ଫଟୋ ଶୋଭା ମଣ୍ଡନ କରୁଛନ୍ତି । ଦୈନିକ ଦପ୍ତର ଗୁଡିକ ଖୋଲିବା ପରେ ସେଠାକାର ପିଅନ କିରାଣୀ ମାନେ ଦେବାଦେବୀଙ୍କ ଠାରେ ଧୂପଦୀପାଦି ଅର୍ପଣ କରି ସାଷ୍ଟାଙ୍ଗ ପ୍ରଣାମ କରିବା ସହ ନିଜ ନିଜ ଆସନରେ ଉପବେଶନ କରି ଗରାଖ ଈଶ୍ୱରଙ୍କୁ ଅପେକ୍ଷା କରିଥାନ୍ତି । ଧୀରେ ଧୀରେ ଲୋକ ଗହଳି ଆରମ୍ଭ ହୋଇଯାଏ ।
ସାଧାରଣ ଲୋକେ ସେଠାରେ ହାଜର ହୋଇ ନିଜ ନିଜର କାମ ଏହି କିରାଣୀ, ଅଫିସରଙ୍କ ଠାରେ ବଖାଣିବା ମାତ୍ରେକେ ଉଠିଥାଏ ‘ବଇନି’ ପ୍ରସଙ୍ଗ । ଲୋକଟି ଯଦି ଭଲରେ ଭଲରେ ନିଜ ଆଡୁ ‘ବଇନି’କରିବାକୁ ଆଗଭର ହୋଇଉଠେ ତେବେ ସେ ଦିନଟି ଭଲରେ ଯିବ ଭାବି ଅଫିସର, କିରାଣୀ ବାବୁ ମାନେ ଖୁସିରେ ଗଦଗଦ ହୋଇପଡନ୍ତି । ତେବେ ଏଥିରେ ବ୍ୟତିକ୍ରମ ଘଟିଲେ ବାବୁମାନେ ବିରକ୍ତ ହୋଇ କହିଉଠନ୍ତି, ‘ବଇନି’ ହେଇନି , ପରେ ଆସ, ଖାଲି ହାତରେ ଆସୁଥିଲ କେମିତି ଆଦି କହି ଲୋକଙ୍କୁ ଘଉଡାଇ ପକାନ୍ତି । ବିଚରା ଲୋକେ କରନ୍ତି କ’ଣ । କାନମୁଣ୍ଡ ଆଉଁଶି ବାବୁମାନଙ୍କ ମନ ଜାଣି କାମ କରନ୍ତି । ଆଜିକାଲି ଜମିବାଡି ଓ ମାରପିଟକୁ ନେଇ କୋର୍ଟକଚେରୀରେ ମାମଲାର ଅଭାବ ନାହିଁ । ତା’ ସାଙ୍ଗକୁ ମାଳମାଳ ସରକାରୀ ଯୋଜନା । ଆଜି ଗୋଟେକୁ ପୁଣି କାଲି ଗୋଟେ । ରାତିକାରାତି ଯୋଜନା ସବୁ ଯେମିତି ବୁଣି ହୋଇପଡୁଛି । ଏହି ସୂତ୍ରେ ସରକାରୀ ଦପ୍ତର ଗୁଡିକରେ ଭିଡ ନ ଜମିବ କାହିଁକି? ବ୍ଲକ ଓ ଜିଲା ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରୀୟ ସରକାରୀ ଦପ୍ତର ଗୁଡିକରେ ଲୋକେ ବିଭିନ୍ନ କାମ ନେଇ ଦୈନିକ ହାଜର ହେଉଥିବା ବେଳେ ସେଠାରେ କାର୍ଯ୍ୟରତ ସରକାରୀ ପିଅନ, କିରାଣୀ ଠାରୁ ପୁଣି ଅଫିସର ବାବୁମାନେ ସେମାନଙ୍କୁ ଗରାଖ ଈଶ୍ୱର ଭାବି ସେମାନଙ୍କ ଠାରୁ ମନ ମୁତାବକ ଦକ୍ଷିଣା ଗ୍ରହଣ ପୂର୍ବକ ସେମାନଙ୍କ ଅଭାବ ଅସୁବିଧା ପ୍ରଶମିତ କରିବାର ସୁବନେ୍ଦାବସ୍ତ କରୁଥିବା କଥା ସମସ୍ତଙ୍କୁ ଉଣାଅଧିକେ ଜଣାଥିବ ବୋଲି ଆଶା ।
ବ୍ଲକ, ତହସିଲ ଓ ଜିଲାସ୍ତରରେ ସାଧାରଣ ଲୋକଙ୍କୁ ଆବଶ୍ୟକ ସେବା ଯୋଗାଇବାକୁ କାର୍ଯ୍ୟରତ ସରକାରୀ ଦପ୍ତର ଗୁଡିକ ମଧ୍ୟରେ କୋର୍ଟକଚେରୀ , ଜିଲାପାଳ, ବ୍ଲକ ଓ ତହସିଲ ଅଫିସ, ରେଜେଷ୍ଟ୍ରି ଅଫିସ, ଥାନା ଓ ଚକବନ୍ଦୀ ଅଫିସ ଆଦି ଅନ୍ୟତମ । ଏହିସବୁ ଦପ୍ତର ଗୁଡିକରେ ପ୍ରତ୍ୟେହ ଗାଁ ଗହଳିର ସାଧାରଣ ଲୋକଙ୍କର କିଛି ନା କିଛି କାମ ପଡେ, ତେଣୁ ସେମାନେ ଏହି ସବୁ ଦପ୍ତର ଗୁଡିକରେ ଭିଡ ଲଗାଇବା ସ୍ୱାଭାବିକ କଥା । ତେବେ ଏହିସବୁ ଦପ୍ତର ଗୁଡିକରେ ବିନା ଦକ୍ଷିଣାରେ କିଛି ବି କାମ ହୁଏନି । ଏକଥା ଏଠାକୁ ଆସୁଥିବା ଓ ନ ଆସୁଥିବା ଲୋକେ ବି ଜାଣନ୍ତି । କାମ ନେଇ ଦକ୍ଷିଣା ଧାର୍ଯ୍ୟ । ଯେମିତି କାମକୁ ସେମିତି ଦକ୍ଷିଣା । ପିଅନ କିରାଣୀଙ୍କ ଠାରୁ ଅଫିସରଙ୍କ ଯାଏଁ ସୁସମ୍ପର୍କ ଓ ସୁସମନ୍ୱୟରେ ଦକ୍ଷିଣା ଦେଣନେଣର ସୁବନେ୍ଦାବସ୍ତ । ସେହିପରି ପଦବୀ ଓ ଦକ୍ଷତା ଅନୁସାରେ ଦୈନିକ ଆୟର ସୁଷମ ବଣ୍ଟନର ପରମ୍ପରା ଏଠାରେ ଦୃଷ୍ଟିଗୋଚର ହୋଇଥାଏ । କାମ ଯଦି ନ୍ୟାୟ ସଙ୍ଗତ , ଆଇନ ସମ୍ମତ ଓ ସାଧାରଣ, ତେବେ ଦକ୍ଷିଣାର ମାତ୍ରା ଟିକେ କମ୍ । ଆଉ କାମ ଯଦି ଖିଟିଖିଟିଆ ଓ ଗଳାପଶା ତେବେ କଥା ଅନୁସାରେ ଦକ୍ଷିଣା ଦେବାକୁ ପଡିଥାଏ । କିରାଣୀ ଅଫିସରଙ୍କ ମର୍ଜି ଅନୁସାରେ ବେଳେବେଳେ ଆଇନସମ୍ମତ ଓ ସାଧାରଣ କାମ ବି ଫାଇଲ ଭିତରେ ଆତ୍ମଗୋପନ କରିଥାଏ । ବିନା ଦକ୍ଷିଣାରେ ଫାଇଲ ଘୁଞ୍ଚେନି କି କଲମ ଚାଲେନି । ଅଫିସର କିରାଣୀଙ୍କ ନିର୍ଯାତନାରେ ସାଧାରଣ ଲୋକଟିଏ ଧନ୍ଦି ହୋଇ ଅଣନିଶ୍ୱାସୀ ହୋଇପଡେ । ଆଜି ଆସ, କାଲିକି ଆସ, ପରେ ଦେଖିବା ଆଦି କଥା ଶୁଣି ଶୁଣି ଆଉ ନିତିନିତି ସରକାରୀ ଦପ୍ତରକୁ ଦୌଡି ଦୌଡି ସାଧାରଣ ଲୋକଟିଏ ନୟାନ୍ତ ହୋଇପଡେ । ହେବା କାମ ହୁଏନି, ନହେବା କାମ ହୋଇଯାଏ । ସବୁ ସମ୍ଭବକୁ ଅସମ୍ଭବ ଓ ଅସମ୍ଭକୁ ସମ୍ଭବ କରୁଥିବା ଏହି ସରକାରୀ ବାବୁମାନେ ଚାହିଁଲେ ସବୁକିଛି କରିପାରିବେ । ଆବଶ୍ୟକ ପଡିଲେ ଏମାନେ ସରକାରୀ ନୀତିନିୟମକୁ ବି ବଳି ପକେଇ ଦେବାକୁ ଦ୍ୱିଧାବୋଧ କରନ୍ତିନାହିଁ । ବ୍ଲକ ଅଫିସ ହେଉ କି ତହସିଲ ଅଫିସ ହେଉ କିମ୍ବା ଜିଲାପାଳ ଅଫି. ସବୁଠି ଏହିଭଳି କାମିକା ଓ ଖାଉଟିିଆ କିରାଣୀ ଓ ଅଫିସର ବାବୁ ମାନେ ଆସ୍ଥାନ ଜମେଇ ବସିିଛନ୍ତି । ଆବଶ୍ୟକ ସ୍ଥଳେ ଏମାନେ ସ୍ଥାନୀୟ ଲୋକ ପ୍ରତିନିଧି, ନେତୃସ୍ଥାନୀୟ ବ୍ୟକ୍ତି, ଗୁଣ୍ଡା ପ୍ରକୃତିର ଲୋକ ଓ ଗଣମାଧ୍ୟମର ପ୍ରତିନିଧିଙ୍କୁ ଚାନ୍ଦା ଦେଇ ହାତରେ ରଖିଥାନ୍ତି ଆଉ ସେମାନଙ୍କ ସୁରକ୍ଷାର ହାତ ଏହି ସରକାରୀ ବାବୁମାନଙ୍କ ମୁଣ୍ଡ ଉପରେ ଥିବାଯାଏଁ ଏମାନଙ୍କର କେହି କିଛି କରି ପାରନ୍ତିନି ।
ଆଜି ଗାଁ ଗହଳି ଠାରୁ ସହର ବଜାର ଯାଏଁ ସବୁଠି ସାଧାରଣ ଲୋକେ ଶୋଷିତ ଓ ହୀନସ୍ତା ହେଉଛନ୍ତି । ପଞ୍ଚାୟତସ୍ତରରୁ ଆରମ୍ଭ କରି ବ୍ଲକ ଓ ଜିଲାସ୍ତର ଯାଏଁ ଥିବା ସରକାରୀ ଦପ୍ତର ଗୁଡିକରେ ସେମାନେ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି । ପିଅନ, କିରାଣୀ ଓ ଅଫିସରଙ୍କୁ ସନ୍ତୁଷ୍ଟ ନ କଲାଯାଏଁ କିଛି କାମ ହେବନି । ସାଧାରଣ ଗରିବ ଗୁରୁବାଙ୍କ ବାର୍ଦ୍ଧକ୍ୟ-ବିଧବା ଭତ୍ତା ହେଉ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଖାଉଟି କଲ୍ୟାଣ ଯୋଜନା ହେଉ କିମ୍ବା ପରିବାର ମଙ୍ଗଳ ଯୋଜନା ଆଦି ସବୁଥିରେ ହାତଗୁଞ୍ଜା ନଦେଲେ ଚଳିବନି । ସେହିପରି ଜମିଜମା ସମସ୍ୟା, ପ୍ରାକୃତିକ ବିପତ୍ତି ଜନିତ ସହାୟତା, ଚାଷ କ୍ଷୟକ୍ଷତି ସହାୟତା , ଆୟ, ବାସସ୍ଥାନ ଓ ଜାତିଗତ ପ୍ରମାଣପତ୍ର ଆଦି ସବୁ କାମରେ ସେହି ଗୋଟିଏ କଥା । ସାଧାରଣ ଲୋକଙ୍କ ସେବା ଲାଗି ନିୟୋଜିତ ଏହି ସରକାରୀ ବାବୁମାନେ ମୋଟା ଅଙ୍କରେ ଦରମା ପାଉଥିଲେ ମଧ୍ୟ ଏମାନଙ୍କର ଲଞ୍ଚଖୋର ସ୍ୱଭାବ ଏମାନଙ୍କୁ ଏଭଳି ଘୃଣ୍ୟ କାମ କରିବାକୁ ସର୍ବଦା ପ୍ରରୋଚିତ କରୁଛି ।
ଅନେକ ଲୋକ ଏଭଳି ଲାଞ୍ଚୁଆ କର୍ମଚାରୀଙ୍କୁ ଘୃଣା କରନ୍ତି । ପଇସାଟିଏ ନଦେଇ କାମ ହାସଲ କରନ୍ତି । ଆଉ କେତେକ କ୍ଷେତ୍ରରେ କିଛି ଲୋକେ ସରକାରୀ କିରାଣୀ ଅଫିସରଙ୍କୁ ହାତଗୁଞ୍ଜା ଦେଇ କାମ ହାସଲ କରନ୍ତି । ବେଳେବେଳେ ଏହି ସରକାରୀ ବାବୁ ମାନଙ୍କ ଦାଉରେ ଅତିଷ୍ଠ ହୋଇ କେହି କେହି ଏମାନଙ୍କ ନାଁରେ ଉପରସ୍ଥ ଅଫିସରଙ୍କ ଠାରେ ଅଭିଯୋଗ କରିବାର ଶୁଣାଯାଏ । ମାତ୍ର କିଛି ଲାଭ ହୁଏନି । ତଳ ଠାରୁ ଉପର ଯାଏଁ ସମସ୍ତେ ସେହି ଗୋଟିଏ ହାଣ୍ଡିର ଭାତ ହୋଇଥିବାରୁ କାହା ଦୋଷ କିଏ ବା ବାଛିବ କାହିଁକି? ଆଉ ବେଳେବେଳେ ଏହି ଲାଞ୍ଚୁଆ ସରକାରୀ ବାବୁ ମାନେ ନିଜ କୃତ କର୍ମ ଲାଗି ଭିଜିଲାନ୍ସ ବିଭାଗ ହାତରେ ଧରାପଡି ଜେଲ ଯାଆନ୍ତି । ନିନ୍ଦା ଅପବାଦ ମୁଣ୍ଡାନ୍ତି । କାହିଁ ଲାଞ୍ଚ ନେବା ବନ୍ଦ ହେଉନି ତ ! ଏକ ଜନମଙ୍ଗଳ ରାଷ୍ଟ୍ରରେ ସାଧାରଣ ଲୋକଙ୍କୁ ଉଚିତ ନ୍ୟାୟ ଓ ଉପଯୁକ୍ତ ସେବା ପ୍ରଦାନ କରିବା ଦିଗରେ ସେମାନଙ୍କର କି ଦାୟିତ୍ୱ ରହିଛି ସେକଥା ସରକାରୀ ବାବୁମାନେ ଚିନ୍ତା କରନ୍ତୁ । ଏବେ ଠୁଁ ସୁଧୁରି ଯିବାକୁ ଅନ୍ତତଃ ପ୍ରୟାସ କଲେ ଭଲ ହୁଅନ୍ତା ।