Odisha news

ଆକସ୍ମିକ ତାଲାବନ୍ଦି ଘୋଷଣା- କୃତ୍ରିମ ସଙ୍କଟ

0

ଆଜିକାର ତଥ୍ୟ ଅନୁସାରେ ବିଶ୍ୱରେ ଏବେ କୋରାନା ଭୂତାଣୁ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ଉପରେ ଏବଂ ମୃତ୍ୟୁସଂଖ୍ୟା ୧୮୦୦୦ ଟପିଯାଇଛି । । ଅଲମ୍ପିକ୍ କ୍ରୀଡା ବନ୍ଦ ହେବ । ତେଣୁ ଏହା ସର୍ବସମ୍ମତ ଏବଂ ନିଃସନ୍ଦେହରେ କୁହାଯାଇପାରେ ଯେ ଆଜି ସାରାବିଶ୍ୱରେ କରୋନା ଭୂତାଣୁ ଆଜି ବିଶ୍ୱଯୁଦ୍ଧଭଳି ଭୟାବହ ସଙ୍କଟ ସୃଷ୍ଟି କରିଛି । ଆମ ରାଜ୍ୟ ତଥା କେନ୍ଦ୍ର ଉଭୟ ସରକାର ଯେମିତି ଏହାକୁ ପ୍ରତିରୋଧ କରିବା ପାଇଁ ଅଭିନବ ଉପାୟ ନୂତନ ଯୋଜନାମାନ ପ୍ରସ୍ତୁତ କରୁଛନ୍ତି ତାହା ବିଶ୍ୱର ଅନେକ ଅଗ୍ରଣୀ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଂସ୍ଥାମାନଙ୍କ ଦ୍ୱାରା ଆଦୃତ ହେଉଛି । ଆମେରିକା ଓ ଇଟାଲୀ ପରି ଉନ୍ନତ ଦେଶଗୁଡିକର ଦୂରାବସ୍ଥା ଦେଖି ଆମସରକାର ଉଚିତ୍ ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ଆଗୁଆ ଅତିକମ୍‌ରେ ୧୦ରୁ ୧୨ଘଂଟାର ମହଲତଦେଇ ସମ୍ପୂର୍ଣ୍ଣ ତାଲାବନ୍ଦି ଘୋଷଣା କରିଥିଲେ ଭଲ ହୋଇଥାନ୍ତା, ଜନସାଧାରଣ ଉପକୃତ ହୋଇ ନିଜର ଉପଯୁକ୍ତ ଥଇଥାନ ବ୍ୟବସ୍ଥା କରିପାରିଥାନ୍ତେ ବୋଲି ମୋର ନିଜି ମତ ।

ଧନୀ ଲୋକମାନଙ୍କୁ ଏଥିରେ ବିଶେଷ କିଛି ଫରକ ସିନା ପଡିଲାନି କିନ୍ତୁ ଗରିବର ଦୁଃଖ ବଢିଛି । ଆମ ଦେଶରେ ଅଧିକାଂଶ ଲୋକ ଦିନମଜୁରିଆ ଓ ଖଟିଖିଆ । ଅର୍ଥାତ୍ ଖଟିଲେ ଖାଇବେ । ପ୍ରତିଦିନ ସନ୍ଧ୍ୟାରେ ମଜୁରି ପାଇଲେ ସଉଦା କିଣାହେବ । ତାଙ୍କୁ ଏ ଖବର ରାତି୮ଟାରେ ଗଣମାଧ୍ୟମ ଜରିଆରେ ଶୁଣେଇ ରାତି ୧୨ଟାରେ ତାଲାବନ୍ଦି କଲେ କ’ଣସବୁ ତା’ପାଇଁ ଓଲଟପାଲଟ ହେବ କେବଳ ସେଇ ହିଁ କହିପାରିବ । ଦିନରେ ସେହି ଚାରିଘଂଟା ତା’ହାତରେ ଥିଲେ ହୁଏତ ଆଗାମୀ ୨୧ଦିନଯାଏ ଚଳିବାପାଇଁ ମହାଜନଠାରୁ ଧାରକରଜ ଆଣି ନିଜ ପିଲାଛୁଆଙ୍କ ମୁହଁରେ ଆହାରଦେବାକୁ ସଉଦାପତ୍ରର ବନ୍ଦୋବସ୍ତ କରିପାରିଥାନ୍ତା, ଯାହା ତାଙ୍କଭିତରୁ ଅଳ୍ପ କିଛିଜଣଙ୍କ ପକ୍ଷରେ ସମ୍ଭବ ହୋଇଛି । କିନ୍ତୁ ଅନେକ ସମୟ ଅଭାବରୁ ୨୧ଦିନର ବ୍ୟବସ୍ଥା ନକରି ପାରି ହତାଶ ହୋଇ ବସିଛନ୍ତି । ଆମରାଜ୍ୟର ଯେଉଁ ସାଧାରଣ ଅନୁଦାନ ବିତରଣ ବ୍ୟବସ୍ଥା କି ଏ’ସବୁରେ ଦୁର୍ନୀତି ନିୟନ୍ତ୍ରଣ ଢାଂଚା ଆମେ ଅନେକ ଜରୁରୀକାଳୀନ ପରିସ୍ଥିତିରେ ଅଙ୍ଗେ ନିଭେଇଛେ । ସେ ବିଷୟରେ ବେଶିକିଛି କହି ଲାଭନାହିଁ । ସେସବୁ ମାଫିଆ ଗୋଷ୍ଠିର ଲୋକଙ୍କ ପାଇଁ ଏହି ଆକସ୍ମିକ ଘୋଷଣା କଙ୍କଡାକୁ ଗୋଳିପାଣି ପରି ସୁହାଇଲା । ଗଣମାଧ୍ୟମରେ କଳାବଜାରୀଙ୍କ ପାଇଁ ଅନେକ ଘୋଷଣାମାନ ଶୁଣୁଛେ, ତଥାପି କଳାବଜାରୀମାନେ ତାଙ୍କ କାମ ସୂଚାଋରୂପେ ଚଳେଇଛନ୍ତି । ଆମେ ଜାଣୁ ଯେ ସରକାରଙ୍କ ଗରିବପାଇଁ ବହୁତ ଚିନ୍ତା ଅଛି । ଅନୁଦାନ ଆସିବ । କିନ୍ତୁ ସେତେବେଳକୁ ବୋଧହୁଏ ୨୧ଦିନର ତାଲାବନ୍ଦି ସରି ଆଉଥରେ ତାଲାବନ୍ଦି ଘୋଷଣା ହୋଇ ସାରିଥିବ । ଏମିତି ହେଲେ ଗରିବ ଲୋକଟିଏ ବଂଚିବ କେମିତି!

କରୋନା ସଂକ୍ରମଣ ସଙ୍କଟ ଦେଶକୁ ଦୋହଲାଇ ଦେଇଛି । କିନ୍ତୁ ଏଇ ସହସା ସରକାରଙ୍କ ଏକୋଇଶି ଦିନିଆ ସମ୍ପୂର୍ଣ୍ଣ ତାଲାବନ୍ଦି ଘୋଷଣା ବେଡି ଉପରେ କୋରଡା ମାରିଛି । ଏ ଘୋଷଣାଟି ବିମୁଦ୍ରୀକରଣ ପରି ଆକସ୍ମିକ କରିବା କେତେ ଜରୁରୀ ଥିଲା! ମୋତେ ଲାଗୁଛି ଆମ ସରକାର ଜନସାଧାରଣଙ୍କ ପ୍ରକୃତସ୍ଥିତି ସହ ବୋଧହୁଏ ଭଲରେ ପରିଚିତ ନାହାନ୍ତି । ପ୍ରଥମେ ମୁଁ ମୋ ନିଜକଥା କହିବି ଯେ ମୋ ଘର ପରିବାର ଭୁବନେଶ୍ୱରରେ ରୁହନ୍ତି ଏବଂ ମୁଁ ବାରିପଦାରେ ରହେ । ମୟୁରଭଞ୍ଜରୁ ଭୁବନେଶ୍ୱର ଫେରିବାକୁ ୫ରୁ ୬ଘଂଟା ଦରକାର । ମୟୁରଭଞ୍ଜ ଜିଲ୍ଲା ଶେଷପର୍ଯ୍ୟନ୍ତ ବି ତାଲାବନ୍ଦି ଶ୍ରେଣୀରେ ଆସିନଥିବା ହେତୁ ମୁଁ ଗୋଟିଏ ବେସରକାରୀ ଉଦ୍ୟେଗରେ କାର୍ଯ୍ୟରତ ଥିଲି । ଭାବିଥିଲି ୨୪/୦୩ ରାତିରେ ଭୁବନେଶ୍ୱର ଫେରି ପରିବାର ସହ ନିଜଘରେ ତାଲାବନ୍ଦି ଦିନତକ ରହିଥାନ୍ତି । କିନ୍ତୁ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ରାତି ୮ଟାରେ ଗଣମାଧ୍ୟମରେ ଆକସ୍ମିକ ଘୋଷଣା ହେବାରୁ ବସ୍‌, ଟ୍ୟାକ୍ସି ଓ ସବୁପ୍ରକାର ବାହନ ଅଚାନକ ଯିବାଆସିବା ବନ୍ଦହେଲା । ଏକା ରହୁଥିବାରୁ ଘର ଓଳା ଓ ଲୁଗାପଟା ସଫାସଫି ପାଇଁ ଗୋଟିଏ ଚାକରାଣି ଉପରେ ନିର୍ଭର କରିବାକୁ ହୁଏ ଯିଏ କି ଏକୋଇଶି ଦିନଯାଏ ଏବେ ଆଉ ଆସି ପାରିବନି । କାରଣ ସିଏ ମୋ ବସାଘରଠାରୁ ଚାରିମାଇଲ୍ ଦୂରରୁ ଆସେ, ଯାହାକି ଏବେ ସମ୍ଭବ ନୁହେଁ ।

ମୋ ନିଜର ନିୟମିତ ଖାଦ୍ୟପେୟ ପାଇଁ ମୁଁ ହୋଟେଲ୍ ଉପରେ ନିର୍ଭର କରେ, ଯାହାକି ସବୁ ଏବେ ବନ୍ଦ । ପିଇବାପାଣି ପାଇଁ ଏକ ସଂସ୍ଥା ଉପରେ ଆଶା ଥିଲା, ସିଏ ବି ସହର ଛାଡି ପଳେଇଲେଣି । ସର୍ବୋପରି ଶରୀରରେ ମଧୂମେହ ରୋଗ ବି ଦଶବର୍ଷ ହେଲା ଘରକରି ରହିଛି । ଏପରି ପରିସ୍ଥିତିରେ ଯଦି ୫ କି ୬ଘଂଟା ପୂର୍ବରୁ ଏହି ତାଲାବନ୍ଦି ଖବର ମିଳିିଥାନ୍ତା, ତେବେ ହୁଏତ ଆଜି ସଂକ୍ରମଣର ଏ ସଙ୍କଟଘଡିରେ ମୁଁ ମୋ ପରିବାର ସାଙ୍ଗରେ ରହି ନିଜର ଏବଂ ପରିବାରର ଭଲରେ ଯତ୍ନ ନେଇ ପାରିଥାଆନ୍ତି । ମୋ ପରି ଅନେକ ଲୋକ ଯେଉଁମାନେ ନିଜ ଘରଠାରୁ ୬ରୁ ୧୦ଘଂଟା ଦୂରରେ ରହୁଛନ୍ତି ସେମାନଙ୍କର ପ୍ରତ୍ୟାବର୍ତ୍ତନ ଚିନ୍ତା କ’ଣ ସରକାର କରିବା କଥା ନୁହେଁ କି!
ବିମୁଦ୍ରୀକରଣରେ ଯେମିତି କଳାବଜାରୀମାନେ ରାତାରାତି କଳାଟଙ୍କା ଖପେଇବାକୁ ତତ୍ପର ହୋଇଉଠି ଗଳାବାଟ ଖୋଜୁଥିଲେ ସେହିପରି କ’ଣ କରୋନା ଭୂତାଣୁ ବି ଆମର ତାଲାବନ୍ଦି ଖବର ପାଇଥିଲେ ରାତରାତି ଚାରିଆଡେ ମାଡିଯିବାକୁ ସକ୍ଷମ ହୋଇ ପାରିଥାନ୍ତା! ରାତି୧୨ଟା ନହୋଇ ଦିନ୧୨ଟା ହୋଇଥିଲେ ସେମିତି କିଛି ବେଦ ଅଶୁଦ୍ଧ ହୋଇନଥାନ୍ତା ବୋଲି ମୋ ନିଜିମତ ।

ଘୋଷଣା ରାତି୮ଟାରେ ନକରି ସନ୍ଧ୍ୟା ୬ଟାରେ କରିଥିଲେ ବି ଚଳିଥାନ୍ତା । ଏଭଳି ରାତି୮ଟାକୁ ମୁହୂର୍ତ୍ତ ଭାବି କରୋନା ଭୂତାଣୁକୁ ବିମୁଦ୍ରୀକରଣ ସାଙ୍ଗେ ସମାନ କରିବା ସରକାରଙ୍କର ଉଚିତ୍ ହେଲାନି । ତାଲାବନ୍ଦିକୁ ମୁଁ ଶହେ ପ୍ରତିଶତ ସମର୍ଥନ କରୁଛି କିନ୍ତୁ ଆକସ୍ମିକ ତାଲାବନ୍ଦି ଯୋଗୁଁ ବହୁତ ଲୋକ ନାହିନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି, ସେଥିପାଇଁ ଏବେ ପରିବହନ ବ୍ୟବସ୍ଥାରେ କିଛି ଗୋଟାଏ ସ୍ୱତନ୍ତ୍ର କୋହଳ ବନ୍ଦୋବସ୍ତ କରାଗଲେ ମୋ’ପରି ଅଯଥା ଘରଠାରୁ ଦୂର ସହରରେ ନିଜରାଜ୍ୟ ଭିତରେ ତାଲାବନ୍ଦି ଘେରରେ ଫଶି ହଇରାଣ ହେଉଥିବା ଲୋକମାନେ ବିଶେଷଭାବରେ ଉପକୃତ ହୁଅନ୍ତେ । ସେ ଘୋଷଣା ପରେପରେ ପୋଲିସ ବିଭାଗ ତରଫରୁ ପାସ୍‌ବଂଟନ ବ୍ୟବସ୍ଥା ବି ବନ୍ଦ କରି ଦିଆଯାଇଛି । ପୋଲିସ୍ ଭାଇମାନଙ୍କର ରାସ୍ତାଘାଟରେ ଅନ୍ଧାଧୁନ୍ ଆଖିବୁଜା ବାଡିଆବାଡି ଭିଡିଓ ବି ଭାଇରାଲ୍ ହେବାରେ ଲାଗିଛି । ଆଜିର ପ୍ରାକୃତିକ କରୋନା ସଙ୍କଟଠାରୁ ସରକାର କୃତ ଏ କୃତ୍ରିମ ସଙ୍କଟର କଷ୍ଟ ବେଶି ବଳିପଡୁଛି ।

 

Leave A Reply