ଆସନ୍ତା ଦେବସ୍ନାନ ପୂର୍ଣ୍ଣିମା ଯାତ୍ରା : ପଦ୍ମବନୀ ପୀଠରେ ୧୪୪ ଧାରା ଜାରୀ ହେବ, ସ୍ୱଳ୍ପ ସଂଖ୍ୟକ ପୂଜକଙ୍କ ଦ୍ୱାରା ହେବ ନୀତିକ୍ରାନ୍ତି
ନେମାଳ : କରୋନା ମହାମାରୀ ପାଇଁ ସମଗ୍ର ଦେଶ ତଥା ରାଜ୍ୟରେ ଲକ୍ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ବିଭିନ୍ନ ଯାନୀଯାତ୍ରା ଓ ଦେବାଦେବୀ ମନ୍ଦିର ମାନଙ୍କରେ ସମସ୍ତ ପର୍ବ ପର୍ବାଣୀକୁ ସରକାର ବାତିଲ କରିବା ସହିତ ସାଧାରଣ ପୂଜାର୍ଚ୍ଚନାରେ ରୋକ୍ ଲାଗିଛି । ଏହି ଅବସରରେ ପ୍ରସିଦ୍ଧ ନେମାଳ ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ଦେବସ୍ନାନ ପୂର୍ଣ୍ଣିମା ଆସନ୍ତା ୫ ତାରିଖରେ ପାଳନ ହେବାକୁ ଥିବା ବେଳେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କେବଳ ନୀତିକ୍ରାନ୍ତୀ ସ୍ୱଳ୍ପ ସଂଖ୍ୟକ ସେବାୟତଙ୍କ ଦ୍ୱାରା କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯାହାଦ୍ୱାରା ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତି ବିନା ପ୍ରଭୁଙ୍କର ଅନୁଷ୍ଠିତ ହେବ ଦେବସ୍ନାନ ଯାତ୍ରା । ଯାହା ପୀଠରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ସାଧାରଣ ଭକ୍ତଙ୍କ ମହଲରେ ଆଲୋଚନା ହେଉଛି ।
ସ୍ନାନ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ନିଷ୍ପତ୍ତି ମୁତାବକ ସର୍ବସାଧାରଣଙ୍କ ଦର୍ଶନ, ବାଲି ମେଳା ମହୋତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା, ଯଜ୍ଞାନୁଷ୍ଠାନ ଏବଂ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ ବନ୍ଦ୍ କରାଯିବ । ମନ୍ଦିର ଚର୍ତୁପାଶ୍ୱର୍ ସହିତ ପୀଠକୁ ଯାଇଥିବା ମୁଖ୍ୟ ରାସ୍ତାରେ ଆସନ୍ତା ୧ ତାରିଖ ସକାଳ ୬ଟାଠାରୁ ଜୁନ୍ ୬ ତାରିଖ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରୀ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ କଟକ ସଦର ଉପଜିଲ୍ଲାପାଳ ତଥା ଶ୍ରୀ ଶ୍ରୀ ଅଚୁ୍ୟତାନନ୍ଦ ଓ ଗୋପୀନାଥ ଜୀଉ ଆଶ୍ରମ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟୀ ସୁଧାଂଶୁ ମିଶ୍ରଙ୍କ ସମେତ ପୋଲିସ ଏସ୍ ଡି ପି ଓ, ନିଶ୍ଚିନ୍ତକୋଇଲି ତହସିଲଦାର, ବିଡିଓ, ସଦର ସହକାରୀ ଜିଲ୍ଲାପାଳ, ନେମାଳ ଥାନା ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଓ ସ୍ଥାନୀୟ ମୁରବୀ ଶ୍ରେଣୀର ଲୋକମାନେ ଉପସ୍ଥିତ ଥିଲେ ।