Odisha news

ପ୍ରଶାସନ ପାଖରେ ସୂଚନା ନାହିଁ; ଦୋକାନ ଖୋଲିବାକୁ ଆସି ଭକୁଆ ହୋଇ ଫେରୁଛନ୍ତି

0

ବ୍ୟାସନଗର : ବିଭିନ୍ନ ସମୟରେ ପ୍ରବାସୀଙ୍କୁ ନେଇ ଟ୍ରେନ ଯାଜପୁର ରୋଡ଼ ଷ୍ଟେସନରେ ପହଁଚୁଛି । ପ୍ରବାସୀଙ୍କୁ ଫେରୁଥିବା କାରଣରୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ବ୍ୟବସ୍ଥା ପାଇଁ ଗୋପବନ୍ଧୁ ଛକରୁ ସାଇମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳକୁ ୧୪୪ଧାରା ଜାରୀ କରାଯାଉଛି । ପ୍ରବାସୀ ପହଁଚିବା ପୂର୍ବର ଘଣ୍ଡାଏ ପୂର୍ବରୁ ଗୋପବନ୍ଧୁ ଛକରୁ ସାଇମନ୍ଦିର ପର୍ଯ୍ୟନ୍ତ ଯେତିକି ବ୍ୟବସାୟ ପ୍ରତିଷ୍ଠାନ ରହିଛି, ସେମାନଙ୍କୁ ବନ୍ଦ କରିବାକୁ କୁହାଯାଉଛି । ଯାହା ଫଳରେ ବ୍ୟବସାୟୀଙ୍କୁ ଭକୁଆ ହେବାକୁ ପଡ଼ୁଛି । ପ୍ରଶାସନ ପାଖରେ ଟ୍ରେନ ଆସିବାର କୈାଣସି ପୂର୍ବ ସୂଚନା ନଥିବାରୁ ବ୍ୟବସାୟୀଙ୍କୁ ପୂର୍ବରୁ ସୂଚନା ଦିଆଯାଉନି ।

ଫଳରେ ବ୍ୟବସାୟୀ ସରକାରୀ ନିୟମ ଅନୁଯାୟୀ ସକାଳ ୭ରୁ ୧ଟା ଏବଂ ଦିବା ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଆସିବା ପରେ ପ୍ରଶାସନ ସେମାନଙ୍କୁ ଦୋକାନ ନଖୋଲିବାକୁ ଡ଼ାକବାଜୀରେ ନିଦେ୍ର୍ଦଶ ଦେଉଛି । ବ୍ୟବସାୟୀଙ୍କ ଅଭିଯୋଗ ଅନୁଯାୟୀ ଦୋକାନ ବନ୍ଦ କରିବାରେ ଆମର କୈାଣସି ଅସୁବିଧା ନାହିଁ । କିନ୍ତୁ ଆମେ ଦୂରଦୂରାନ୍ତରୁ ଦୋକାନ ଖୋଲିବାକୁ ଆସୁଛୁ । ଦୋକାନ ଖୋଲିବା ପରେ ହେଉ ବୀ କିଛି ଘଣ୍ଟା ପରେ ପ୍ରଶାସନ ଦୋକାନ ବନ୍ଦ କରିବାକୁ କହୁଛି । ଫଳରେ ଦୋକାନ ଖୋଲିବାକୁ ଯେତିକି କଷ୍ଟ କରିବାକୁ ପଡ଼ୁଛି ବନ୍ଦ କରିବାକୁ ମଧ୍ୟ ସେତିକି କଷ୍ଟ କରିବାକୁ ପଡ଼ୁଛି । ଯଦି ପୂର୍ବରୁ ଆମକୁ ସୂଚନା ଦିଆଯାଆନ୍ତା ତେବେ ଆମେ ଘରୁ ଆସନ୍ତୁନି । ଘରୁ ଆସି ଖର୍ଚ୍ଚାନ୍ତ ହୋଇ ଫେରିବା କଷ୍ଟଦାୟକ ହୋଇଥିବା ବେଳେ ଦୋକାନ ଖୋଲିବାର କିଛି ସମୟ ପରେ ବନ୍ଦ କରିବାର ନିଦେ୍ର୍ଦଶ କଷ୍ଟକର ହୋଇପଡ଼ିଛି । ବ୍ୟବସାୟୀଙ୍କ ଏଭଳି ଅଭିଯୋଗ ଉପରେ ପ୍ରଶାସନ ଦୃଷ୍ଠି ଦେବାକୁ ଦାବି କରାଯାଇଛି ।

Leave A Reply