ଦାନଗଦି, ତା 0୨/୦୧ : କଳିଙ୍ଗନଗର ଗୁଳିକାଣ୍ଡ ଘଟଣା କୁ ଇତି ମଧ୍ୟରେ ୧୮ ବର୍ଷ ପୁରିଛି। ୨୦୦୬ ମସିହା ଆଜିର ଦିନରେ ଟାଟା କାରଖାନା ପାଇଁ ଜମି ସମତୁଲ କାମ ଚାଲିଥିବା ବେଳେ ପୁଲିସ ଓ ସ୍ଥାନୀୟ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ ଘଟଣାରେ ଆଖି ବୁଜିଥିଲେ ଜଣେ ପୁଲିସ ହାବିଲଦାରଙ୍କ ସମେତ ୧୩ ଜଣ ନିରୀହ ଆଦିବାସୀ l ସେଦିନକୁ ମନେ ରଖିବା ପାଇଁ ପ୍ରତ୍ୟେକ ବର୍ଷ ସହିଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସହିଦ ଦିବସ ପାଳନ କରାଯାଉଛି।
କଳିଙ୍ଗନଗର ମାଟିର ବୀରଭୂମି ଠାରେ ପାଳିତ ହେଉଛି କଳିଙ୍ଗନଗର ବୀର ସହିଦ ସ୍ମୃତି ଦିବସ l ବିସ୍ଥାପନ ବିରୋଧୀ ଜନମଞ୍ଚ ଓ ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ କଳିଙ୍ଗନଗର ଆନୁକୂଲ୍ୟରେ ଆଜି ୧୮ ତମ ସହିଦ ସ୍ମୃତି ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ବିବିଜେଏମ ସମ୍ପାଦକ ରବିନ୍ଦ୍ର ଜାରିକାଙ୍କ ସଭାପତିତ୍ବରେ ବୀର ଭୂମି ଆମ୍ବଗାଡ଼ିଆ ଠାରେ ଅୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ ର ରାଜ୍ୟ ସଭାପତି ଅବଦୁଲ ୱାଲି ଯୋଗଦେଇ ଗଣତନ୍ତ୍ରର ମୁଖ୍ୟ ଚାବି କେବଳ ରାଜନୈତିକ ମୁଖିଆଙ୍କ ହାତରେ ରହିଛି l ତେଣୁ ସାଧାରଣ ଲୋକଙ୍କ ଅଧିକାର ରକ୍ଷା ଓ କମ୍ପାନୀ ରାଜ ହଟାଇବା ପାଇଁ ରାଜନୀତି ଦରକାର l ବିସ୍ଥାପନ ବିରୋଧୀ ଜନମଞ୍ଚର ସମ୍ପାଦକ ରବି ଜାରିକା ଜଣେ ଭଲ ମଣିଷ। ସେ ଲୋକପ୍ରତିନିଧି ଭାବେ କାମ କଲେ ଭଲ ହୁଅନ୍ତା। ତାଙ୍କୁ ବିଧାୟକ ଭାବେ ଜିତାଇ ଆଣିବାକୁ ଉପସ୍ଥିତ ଲୋକ ମାନଙ୍କୁ ସେ ଆହ୍ଵାନ ଦେଇଥିଲେ l ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ ର ସଭାପତି ତ୍ରିଲୋଚନ ମହାନ୍ତ, ସମ୍ପାଦକ ବିରେନ ଜାମୁଡା, ବିସ୍ଥାପନ ବିରୋଧୀ ଜନମଞ୍ଚ ସଭାପତି ଅମର ସିଂ ବାନରା, ଗୋବରଘାଟି ସରପଞ୍ଚ ରତ୍ନାକର ତିୟୁ, ସମିତି ସଭ୍ୟା ରୀନା ହାଇବୃ, ଗୋବରଘାଟି ର ପୂର୍ବତନ ସରପଞ୍ଚ ସ୍ବର୍ଣ୍ଣଲତା ବାନରା, ସିନି ସାଏ, ପୂର୍ବତନ ସମିତି ସଭ୍ୟା ଝରଣା ମହାନ୍ତ, ୩୮ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ସାଧୁ ଚରଣ ତିୟୁ, ଆଦିବାସୀ ନେତା ଚକ୍ରଧର ଆଲଡା, ନଟି ଆଙ୍ଗରାଇ ଓ ଲକ୍ଷ୍ମଣ ଜାମୁଡା ପ୍ରମୂଖ ଏହି ସଭାରେ ଉପସ୍ଥିତ ଥିଲେ l ସରକାରଙ୍କ ଆଦିବାସୀ ବିରୋଧୀ ମନୋଭାବ ପାଇଁ ଆଜି ବି କ୍ଲବ ଘରେ ମୃତ ଲୋକଙ୍କ କଟା ପାପୁଲି ସତ୍କାର ନହୋଇ ପଡି ରହିଛି l ୧୮ବର୍ଷ ଧରି ଆମେ ନ୍ୟାୟ ଅପେକ୍ଷାରେ ଅଛୁ l ଏ ଲଢେଇ ଆଗକୁ ଜାରି ରହିବ ବୋଲି ବକ୍ତାମାନେ ବୈଠକରେ ମତ ପ୍ରକାଶ କରିଥିଲେ l ଆଦିବାସୀଙ୍କ ଜମି କୁ ବେପାର କରାଯାଉଛି l ଗୋଟିଏ ଶିଳ୍ପ ପାଇଁ ନେଇ ଅନ୍ୟ ଛୋଟ ସଂସ୍ଥା ମାନଙ୍କୁ ଟେକି ଦିଆଯାଉଛି l ଯାହାକୁ ଆଗାମୀ ଦିନରେ ତୀବ୍ର ବିରୋଧ କରାଯିବ l ଯେଉଁ ପ୍ରଲୋଭନ ଦେଖାଇ ଆଦିବାସୀ ମାନଙ୍କୁ ବିସ୍ଥାପିତ କରା ଯାଇଛି ତାହା ପୂରଣ କରା ନ ଗଲେ ଆନ୍ଦୋଳନ ହେବ ବୋଲି ଜନମଞ୍ଚ ସମ୍ପାଦକ ରବିନ୍ଦ୍ର ଜାରିକା ଏହି ଅବସରରେ ଏକ ପ୍ରେସ୍ ବିବୃତିରେ କହିଥିଲେ l ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ କଡ଼ା କଡ଼ି କରାଯାଇଥିଲା। ଜଣେ ଡିଏସପି, ଜଣେ ଅତିରିକ୍ତ ଏସପି,୧୩ ଜଣ ଅଫିସର ଙ୍କ ସମେତ ୪ ଜଣ ଆଇ ଆଇ ସି ଓ ୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଥିଲେ।
ସ୍ମୃତି ଦିବସ ଅବସରରେ ପୂର୍ବାହ୍ନରେ ଏକ ମାରାଥନ ଦୌଡ଼ ସହିତ ପାରମ୍ପରିକ ଶୋଭାଯାତ୍ରା ଓ ଆଦିବାସୀ ନୃତ୍ୟ ଅନୁଷ୍ଠିତ ହୋଇଥିଲା l ମାରାଥନ ଓ ବିଭିନ୍ନ କ୍ରୀଡା ରେ ଉତ୍କର୍ଷତା ପାଇଁ କେତେକ ଯୁବ ପ୍ରତିଭା ଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା l