ଦିନିକିଆ ବିଶ୍ବକପ୍ : ନେଦରଲାଣ୍ଡ୍ସ ଆଗରେ ୪୧୧ ରନ୍ର ବିରାଟ ବିଜୟ ଲକ୍ଷ୍ୟ ରଖିଲା ଭାରତ
ଶ୍ରେୟସ ଆୟର-କେଏଲ୍ ରାହୁଲଙ୍କ ଶତ
ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଦିନିକିଆ ବିଶ୍ବକପ୍ରେ ରବିବାର ଭାରତୀୟ ଟିମ୍ର ଖେଳାଳିମାନେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ବିଶ୍ବକପ ଇତିହାସରେ ଭାରତ ଦ୍ବିତୀୟ ସର୍ବାଧିକ ରନ୍ କରିପାରିଛି। ପୂର୍ବରୁ ବରମୁଡ଼ା ବିରୋଧରେ ବିଶ୍ବକପ-୨୦୦୭ରେ ଭାରତ ୪୧୩ ରନ୍ କରିପାରିଥିଲା। ବେଙ୍ଗାଲୁରୁସ୍ଥିତ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ନେଦରଲାଣ୍ସ ବିପକ୍ଷରେ ଯୁବ ବ୍ୟାଟର ଶ୍ରେୟସ ଆୟର ଓ କେଏଲ୍ ରାହୁଲ ଶତକ ହାସଲ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା, ଶୁବମନ ଗିଲ ଓ ବିରାଟ କୋହଲି ଅର୍ଦ୍ଧଶତକ ମାରିଛନ୍ତି। ଏହି ମ୍ୟାଚରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ମାତ୍ର ୪ଟି ୱିକେଟ୍ ହରାଇ ୪୧୦ ରନ୍ କରିଛି। ଫଳରେ ନେଦରଲାଣ୍ଡ୍ସକୁ ଏହି ମ୍ୟାଚ୍ ବିଜୟ ପାଇଁ ୪୧୧ ରନ୍ର ଲକ୍ଷ୍ୟ ମିଳିଛି।
ଭାରତୀୟ ବ୍ୟାଟରମାନେ ଆଜି ଚମକପ୍ରଦ ବ୍ୟାଟିଂ କରିଥିଲେ। ପ୍ରଥମତଃ ରୋହିତ ଶର୍ମା ଓ ଶୁବମନ ଗିଲ ପ୍ରଥମ ୱିକେଟ୍ରେ ଶତକୀୟ ରନ୍ ଭାଗିଦାରୀ କରିଥିଲେ। ଦ୍ବିତୀୟତଃ ଚତୁର୍ଥ ୱିକେଟ୍ରେ ଶ୍ରେୟସ ଆୟର ଓ କେଏଲ୍ ରାହୁଲ ୨୦୮ ରନ୍ର ଭାଗିଦାରୀ କରିପାରିଥିଲେ। ଶ୍ରେୟସ ଆୟର ଅପରାଜିତ ୧୨୮ ରନ୍ କରିଥିଲେ। ସେ ୯୪ଟି ବଲ୍ ଖେଳି ୧୦ଟି ଚୌକା ଓ ୫ଟି ଛକା ମାରିଥିଲେ। ସେହିପରି କେଏଲ୍ ରାହୁଲ ଆଉଟ୍ ହୋଇ ପାଭିଲିଅନକୁ ଯିବା ପୂର୍ବରୁ ୬୪ଟି ବଲ୍ ଖେଳି ୧୧ଟି ଚୌକା ଓ ୪ଟି ଛକା ବଳରେ ୧୦୨ ରନ୍ କରିଥିଲେ।
ଚଳିତ ବିଶ୍ବକପ୍ରେ ଭାରତ ନିଜର ଶେଷ ଲିଗ୍ ମ୍ୟାଚ୍ରେ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପାଇଁ ପାଳି ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁବମନ୍ ଗିଲ। ରୋହିତ ୫୪ଟି ବଲ୍ ଖେଳି ୮ଟି ଚୌକା ଓ ୨ଟି ଛକା ବଳରେ ୬୧ ରନ୍ ସଂଗ୍ରହ କରିଥିଲେ। ସେହିପରି ଯୁବ ବ୍ୟାଟର ଗିଲ୍ଙ୍କ ବ୍ୟାଟରୁ ୫୧ ରନ୍ ଅମଳ ହୋଇଥିଲା। ଗିଲ୍ ୩୨ଟି ବଲ୍ ଖେଳି ୩ଟି ଚୌକା ଓ ୪ଟି ଛକା ମାରିଥିଲେ। ଭାରତୀୟ ବ୍ୟାଟର ବିରାଟ କୋହଲି ଆଜି ଦିନିକିଆ କ୍ରିକେଟରେ ୭୧ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୫ଟି ଚୌକା ଓ ଗୋଟିଏ ଛକା ବଳରେ ମୋଟ୍ ୫୧ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ।