ସାଲେପୁର : ବାପ-ଝିଅଙ୍କ କରୋନା ପଜିଟିଭ୍ ଆସିବାପରେ ପରିବାରର ସଦସ୍ୟ ହୋମ୍ କ୍ୱାରେଣ୍ଟାଇନ୍ରେ ରହିଲେ, ଆସନ୍ତା କାଲି ସ୍ୱାବ୍ ପରୀକ୍ଷା କରାଯିବ
ସାଲେପୁର, ୫ ।୭- ବହୁଗ୍ରାମ ପଞ୍ଚାୟତର ବାହାଦୁଲାପାଟଣା ଗ୍ରାମର ବାପ-ଝିଅ କରୋନା ପଜିଟିଭ୍ ବାହାରିବା ପରେ ଆଜି ଉକ୍ତ ପରିବାରର ୭ଜଣଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାପାଇଁ ପଞ୍ଚାୟତ ପକ୍ଷରୁ ନିର୍ଦେଶ ଦିଆଯାଇଥିବାବେଳେ ସଂପୃକ୍ତ ପରିବାର ରହୁଥିବା ଭଡ଼ାଘରର ଉଭୟ ପାଶ୍ୱର୍ ଗ୍ରାମ ରାସ୍ତାକୁ ୧କି.ମି. ପର୍ଯ୍ୟନ୍ତ ସିଲ୍ କରାଯାଇଛି । ଆସନ୍ତା କାଲି ସେମାନଙ୍କର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମାଧ୍ୟମରେ ସ୍ୱାବ୍ ସଂଗ୍ରହ କରାଯିବ ବୋଲି ବହୁଗ୍ରାମ ସରପଞ୍ଚ ମିଲିରାଣୀ ବୋଷ ପ୍ରକାଶ କରିଛନ୍ତି । ପ୍ରକାଶ ଯେ ବହୁଗ୍ରାମ ପଞ୍ଚାୟତର ୭୦ବର୍ଷର ବୃଦ୍ଧ କର୍କଟରୋଗରେ ଆକ୍ରାନ୍ତ ହୋଇ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ସ୍ୱାବ୍ ପରୀକ୍ଷାରୁ ତାଙ୍କର କରୋନା ପଜିଟିଭ୍ ବାହାରିଥିବାବେଳେ ତାଙ୍କର ସେବା ସୁଶ୍ରୁଷା କରୁଥିବା ଝିଅର ମଧ୍ୟ ପଜିଟିଭ୍ ବାହାରିଥିଲା ।
ଉଭୟଙ୍କୁ ଭୁବନେଶ୍ୱରର ଏକ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ଏହି ପରିବାର ସଦସ୍ୟ ଦୁଇ ବୋହୂ, ଦୁଇ ପୁଅ, ବୃଦ୍ଧଙ୍କ ପତ୍ନୀ ଓ ଘରର ୨ଜଣ ଛୋଟ ପିଲାଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରଖାଯାଇଥିବାବେଳେ ଆସନ୍ତା କାଲି ସେମାନଙ୍କର ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯିବ ବୋଲି ଜଣାଯାଇଛି । ଅପର ପକ୍ଷରେ ଗୋଷ୍ଠୀ ସଂକ୍ରମଣକୁ ଆଶଙ୍କା କରି ଏହି ପରିବାର ରହୁଥିବା ଗ୍ରାମର ଉଭୟ ପାଶ୍ୱର୍ର ୧କି.ମି. ରାସ୍ତାକୁ ବାଉଁଶ ବନ୍ଧା ଯାଇ ସିଲ କରାଯାଇଥିବାବେଳେ ଆସନ୍ତା କାଲି ସଂପୃକ୍ତ ପରିବାର ସମେତ ଅନ୍ୟ ସଂପର୍କୀୟମାନଙ୍କର ସ୍ୱାବ୍ ସଂଗ୍ରହ କରାଯିବ ବୋଲି ବହୁଗ୍ରାମ ସରପଞ୍ଚ ମିଲିରାଣୀ ବୋଷ ପ୍ରକାଶ କରିଛନ୍ତି । ଏହାନେଇ ସେ ସାଲେପୁର ତହସିଲଦାର, ବିଡ଼ିଓ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇଛନ୍ତି ।