ଭୁବନେଶ୍ବର: ରାଜ୍ୟ ଔଷଧ ନିଗମ ମାସ୍କ୍ କିଣା ଦୁର୍ନୀତିର ତଦନ୍ତ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଆଜି ପ୍ରଦେଶ କଂଗ୍ରେସ ସ୍ମାରକ ପତ୍ର ପ୍ରଦାନ କରିଛି। ଏହାସହିତ ଜିଲ୍ଲାସ୍ତରରେ ମଧ୍ୟ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ମହାମାରୀ ମହାଦୁର୍ନୀତି ପାଇଁ ଯଦି କାର୍ଯ୍ୟାନୁଷ୍ଠାନ ନ ହେଲା, ତାହେଲେ ଆଗକୁ ଦଳ ଏହି ପ୍ରସଙ୍ଗକୁ ନେଇ ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଲୋକଙ୍କ ପାଖକୁ ଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଆଜି ରାଜ୍ୟପାଳ ପ୍ରଫେସର ଲାଲଙ୍କୁ ଭେଟି ଦୁଇ ପୃଷ୍ଠା ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ।
ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମହାମାରୀ ସମୟରେ ଗରିବଙ୍କ ଅର୍ଥକୁ ହରିଲୁଟ୍ କରି ମାସ୍କ୍ ଓ ଅନ୍ୟାନ୍ୟ ମେଡିକାଲ୍ ସାମଗ୍ରୀ କିଣା ନାଁରେ ଆତ୍ମସାତ୍ କରାଯାଇଛି। ଏ ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି। ଖୋଦ୍ ସରକାରୀ ଅଧିକାରୀ କହୁଛନ୍ତି ଯେ କରୋନା ଯୋଦ୍ଧା ଓ ରୋଗୀଙ୍କ ଚିକିତ୍ସା ପାଇଁ ଯାହାବି ମେଡିକାଲ ସାମଗ୍ରୀ କିଣା ହୋଇଛି, ସେଥିରେ ମନ୍ତ୍ରିମଣ୍ଡଳ ଜାଣତରେ କିଣାହୋଇଛି। ଏହାର ଅର୍ଥ ସମ୍ପୂର୍ଣ୍ଣ ସରକାର ଏହି ଦୁର୍ନୀତିରେ ସମ୍ପୃକ୍ତ। ପ୍ରତ୍ୟେକ ରାଜ୍ୟବାସୀଙ୍କୁ ‘ମୋ ପରିବାର’ବୋଲି ଦ୍ବାହି ଦେଉଥିବା ମୁଖ୍ୟମନ୍ତ୍ରୀ ସାଧାରଣରେ ଆସି ଏ କଥାର ସ୍ପଷ୍ଟୀକରଣ ଦେବା ପାଇଁ ଦଳ ଆହ୍ବାନ କରିସାରିଛି। ନୈତିକତା ଦୃଷ୍ଟିରୁ ସେ ଏପରି କରିବା ଦରକାର।
ଉଦାହରଣ ଦେଇ ପିସିସି ସଭାପତି କହିଥିଲେ ଯେ ଯେଉଁ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ କରିଆସୁଛନ୍ତି ସେହିମାନଙ୍କ ପାଇଁ କିଣାଯାଉଥିବା ପିପିଇ କିଟ୍ ବିନା ଟେଷ୍ଟ୍ରେ ବଣ୍ଟନ କରାଯାଇ ସେମାନଙ୍କ ଜୀବନକୁ ବିପନ୍ନ କରାଯାଉଛି। ଟେଷ୍ଟିଂ କିଟ୍ କିଣାରେ ଗୋଟିଏ କମ୍ପାନିଠାରୁ ୧୩୨୧ ଟଙ୍କା, ଆଉ ଗୋଟିଏ କମ୍ପାନିଠାରୁ ୧୧୨୫ ଓ ପୁଣି ଆଉ ଗୋଟିଏ କମ୍ପାନିଠାରୁ ୯୮୦ ଟଙ୍କାରେ କିଣା ହୋଇଛି। ରାଜ୍ୟ ଭିତରେ ଥିବା ଏମ୍ଏସ୍ଏମ୍ଇ ସଂସ୍ଥାଗୁଡ଼ିକ ଔଷଧ, ସାନିଟାଇଜର୍ ମାସ୍କ୍, ମେଡିକାଲ୍ ସାମଗ୍ରୀ ଉତ୍ପାଦନ କରୁଛନ୍ତି। ସେମାନଙ୍କ ଠାରୁ ବାଧ୍ୟତାମୂଳକ ଭାବେ ୨୦% ଜିନିଷ କିଣିବା ନିୟମ ଥିବାବେଳେ ସରକାର ବାହାର ରାଜ୍ୟର କମ୍ପାନିମାନଙ୍କଠାରୁ ଔଷଧ ସାମଗ୍ରୀ କିଣିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ କରୋନା ମହାମାରୀ ବ୍ୟାପିବାର ଗତ ୩ ମାସ ଭିତରେ କଂଗ୍ରେସ ଲୋକଙ୍କ ପାଇଁ କଣ କରିଛି ବୋଲି ବିଜେଡି ମୁଖପାତ୍ରଙ୍କ ପ୍ରଶ୍ନରେ ପିସିସି ସଭାପତି ପ୍ରତିକ୍ରିୟା ଦେଇ କହିଥିଲେ ଯେ ସରକାରରେ ବିଜେଡି ଅଛି। ତାଲାବନ୍ଦ ସମୟରେ ରୋଜଗାର ହରାଇଥିବା ଗରିବଙ୍କ ପେଟକୁ ଅନ୍ନ ଯୋଗାଇବା ସରକାରଙ୍କ ନୈତିକ କର୍ତ୍ତବ୍ୟ। ସେମାନଙ୍କ ଜୀବନ ଓ ଜୀବିକା ସୁରକ୍ଷା କରିବା ସରକାରଙ୍କ ଦାୟିତ୍ବ। କିନ୍ତୁ ଯେଭଳି ଭାବେ ଗରିବଙ୍କ ଅର୍ଥକୁ ଆତ୍ମସାତ୍ କରାଯାଇଛି ଏ ରାଜ୍ୟର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ତାଙ୍କ ମୂଲ୍ୟବୋଧ ଦୃଷ୍ଟିରୁ ଆତ୍ମସମୀକ୍ଷା କରିବା ଦରକାର। ପ୍ରବାସୀ ଶ୍ରମିକମାନଙ୍କ ଟ୍ରେନ୍ ଭଡ଼ା ଦେବାକୁ କଂଗ୍ରେସ ଦଳ ଅନୁରୋଧ କଲା। କିନ୍ତୁ ଦଳକୁ ଅନୁମତି ମିଳିଲାନି କି ଶ୍ରମିକମାନଙ୍କ ସମ୍ପର୍କରେ ତଥ୍ୟ ଦିଆଗଲାନି। ଏଭଳିକି ଦଳୀୟ ନେତାଙ୍କ ସହ ଆଲୋଚନା କରିବାକୁ ସରକାର ସୁଯୋଗ ଦେଲେନି। ତାଲାବନ୍ଦ ସମୟରେ ପ୍ରତ୍ୟେକ କଂଗ୍ରେସ କର୍ମୀ ନିଜ ସାଧ୍ୟମତେ ଗରିବ ଓ ନିରାଶ୍ରୟଙ୍କୁ ଶୁଖିଲା, ରନ୍ଧା ଖାଦ୍ୟ, ମାସ୍କ୍, ସାନିଟାଇଜର୍ ବଣ୍ଟନ କରିଆସିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।