Odisha news

ଶିଶୁ ପୁଣି କଲମ ଧରୁ , ହାତୁଡ଼ି ନୁହେଁ

0

Suvendra Pattanaik: କ୍ଷୁଧା ମଣିଷର ଏକ ଅନିବାର୍ଯ୍ୟ ଆବଶ୍ୟକତା । ଜୀଇଁବା ପାଇଁ ପେଟରେ ଦାନା ଦି ମୁଠା ପଡ଼ିବା ନିହାତି ଜରୁରୀ । ଭୋକିଲା ପେଟରେ କିଏ ବା ରହିପାରିବ । ଦି ଗୁଣ୍ଡା ଖାଇଲେ ତ ଦି ଓଳି କାମ କରିବୁ । ଭୋକିଲା ପେଟରେ ନିରାଶ ମନରେ ସବୁକିଛି ଦୁଃର୍ବିସହ ଲାଗେ । ମଣିଷ ଆଶା ହରାଇବସେ । ଖାଇବା ଅର୍ଥାତ କ୍ଷୁଧା ବା ଭୋକକୁ ନିଜର ପ୍ରାଥମିକତା ମନେକରେ । ଚିନ୍ତା କରେ କଣ କଲେ ପେଟରେ ଦାନା ପଡ଼ିବ । ନିଜେ ବଂଚିଲେ ତ ପରିବାର ମୁହଁରେ ଖାଇବାକୁ ଦେବ । ଏସବୁ କେବଳ ମନର କଥା ନୁହେଁ ବରଂ ବର୍ତ୍ତମାନ ସମୟରେ ସମାଜରେ ଘଟୁଥିବା ଏକ ବାସ୍ତବ ଚିତ୍ର । ସମାଜିକ ପ୍ରାଣୀ ଭାବରେ ମଣିଷ ନିଜକୁ ସବୁବେଳେ ନିଜ କର୍ମମୟ ଜୀବନ ଭିତରେ ବ୍ୟସ୍ତ ରଖିଥାଏ । କାରଣ ଟଙ୍କା ଉପାର୍ଜନ କଲେ ନିଜ ପରିବାର ପ୍ରତିପୋଷଣ କରିବ । ସମାଜର ସବୁଶ୍ରେଣୀର ଲୋକ ବସବାସ କରନ୍ତି । ସମସ୍ତେ ତ ଧନୀ ଘର ପିଲା ହୋଇ ଜନ୍ମ ହୁଅନ୍ତିନି । ନିୟତି କାହା କପାଳରେ କଣ ଲେଖିଛି ସେକଥା କେବଳ ସେ ହିଁ ଜାଣେ ।

ଆମ ସମାଜରେ ବିଭିନ୍ନ ବର୍ଗର ଲୋକ ନିଜ ପରିବାର ପାଇଁ ଅହରହ ସଂଗ୍ରାମ କରୁଛନ୍ତି । ସେ ସଂଗ୍ରାମରେ ସାମିଲ ହୁଏ ଟଙ୍କା ଉପାର୍ଜନ କରିବାର ମାଧ୍ୟମ । କିଏ ଶିକ୍ଷକତା ,କିଏ ଡ଼ାକ୍ତର କିଏ ଇଂଜିନିୟର ଏମିତି ଅନେକ କିଛି । କିନ୍ତୁ ନିମ୍ନ ବର୍ଗର ଲୋକଙ୍କ କଥା ଯଦି ଚିନ୍ତା କରାଯାଏ , ତାହେଲେ ଟଙ୍କାର ମୂଲ୍ୟ କଣ ସେମାନେ ହିଁ ଉପଲବ୍ଧ କରିପାରନ୍ତି । ଦିନରେ ଦି ଓଳି ଖାଇନପାରିବାର ଦୁଃଖକୁ ପ୍ରତିଟି ମୁହୂର୍ତ୍ତରେ ବେଶ ପାଖରୁ ଅନୁଭବ କରନ୍ତି । ବୁଝି ପାରନ୍ତି ଭୋକର ପ୍ରକୃତ ଅର୍ଥକୁ ।

 

ଭୋକ ପାଇଁ ଯେଉଁ ସଂଗ୍ରାମ କରିବାକୁ ପଡ଼େ ତାହାକୁ ମର୍ମେମର୍ମେ ବୁଝିପାରନ୍ତି । ଆଉ ଏଇଠାରୁ ହିଁ ଜନ୍ମ ନିଏ ଶ୍ରମିକ ହେବାର ଅନୁଚିନ୍ତା । ଜଣେ କଣ ଜାଣିଶୁଣି ଶ୍ରମିକ ହୁଏ? ବର୍ତ୍ତମାନ ସମୟରେ ଶିଶୁ ଶ୍ରମିକଙ୍କ ସଂଖ୍ୟା କଣ ପାଇଁ ଭାରତରେ ଦେଖାଦେଉଛି ?? ଯେତେବେଳେ ପରିବାରର ବାପା ମା ମୁଲ ଲାଗିବାକୁ ଯାଆନ୍ତି , ସେତେବେଳେ ଶିଶୁ ଟିଏ ବାଧ୍ୟ ହୁଏ ନିଜ ଆତ୍ମୀୟଙ୍କ ପ୍ରତିପୋଷଣ ପାଇଁ । କେଉଁ ଉପାୟରେ ଦି ପଇସା ଘରକୁ ଆସିଲେ ପରିବାର ଚଳିବ । ଏହି ମାନସିକତାକୁ ନେଇ ଶିଶୁଟିଏ କ୍ଷେତରେ ଦା ଧରି ଧାନ କାଟିବାକୁ ବି ପଛାଏନି । କାରଖାନାରେ ପଥର ଛେଚିବାକୁ ବି କୁଣ୍ଠାବୋଧ କରେନି । ଭୋକ ପାଇଁ ଶ୍ରମିକ ହେବାର ଚିତ୍ରକୁ କେବେ ମନରେ ଅନୁଭବ ବି କରେନି ।

ଶିଶୁ – ପରିବାରର ଯିଏ ସବୁଠାରୁ ଅତିପ୍ରିୟ , ଯାହା ପାଇଁ ରାତି ପାହିଲେ ଆତ୍ମୀୟସ୍ୱଜନ ଏକ ଅଫୁରନ୍ତ ଆନନ୍ଦରେ ଶିଶୁ ସହ ଖେଳି ନିଜ ପୁରା ଦିନକୁ ଭଲ ଭାବରେ କାଟନ୍ତି । ଶିଶୁ ପାଇଁ ପରିବାର ଭିତରେ ଏକ ସୁୁଖମୟ ବାତାବରଣ ସୃଷ୍ଟି ହୁଏ । ହେଲେ ଯେବେ ଶିଶୁ ଟିଏ ଶ୍ରମିକ ହେବାକୁ ବାଧ୍ୟ ହୁଏ ସେତେବେଳେ ତାର ଦୁଃଖକୁ କେହି ବି ବୁଝି ପାରନ୍ତିନି । ଆଉ ଆଜିବି ଏମିତି କିଛି ମଣିଷ ଅଛନ୍ତି ଯେଉଁ ମାନେ ନିଜର ଟଙ୍କାପଇସା ବଢ଼ାଇବା ପାଇଁ , ନିଜର ଆବଶ୍ୟକତାକୁ ଚରିତାର୍ଥ କରିବା ପାଇଁ ଶିଶୁ ମାନଙ୍କୁ ଶ୍ରମିକ କରେଇଦିଅନ୍ତି । ଟଙ୍କା ଦେଇ ସେମାନଙ୍କୁ ବିଭିନ୍ନ କାମରେ ନିୟୋଜିତ କରନ୍ତି । ସେତେବେଳ ହଜିଯାଏ ସେମାନଙ୍କର ମାନବିକତା । କାରଣ ବ୍ୟକ୍ତିଗତ ସ୍ୱାର୍ଥକୁ ଚରିତାର୍ଥ କରିବା ଆଗରେ ମଣିଷପଣିଆ ବି ଫିକା ପଡ଼ିଯାଏ । ଅଭାବୀ ପିଲାମାନେ ବାଧ୍ୟ ହୋଇ କାମ କରନ୍ତି ।

ନିଜ ପରିବାର ପାଇଁ ମୁଣ୍ଡପାତି ଏସବୁକୁ କରିବାକୁ ପଛାନ୍ତିନାହିଁ । ଶିଶୁ ପାଇଁ ପାଠପଢ଼ିବା ମୁଖ୍ୟ ହୋଇଥିବା ବେଳେ ଯେଉଁମାନେ ଶ୍ରମିକ ହୋଇ ଅନ୍ୟ ସ୍ଥାନରେ କାମ କରୁଛନ୍ତି , ସେମାନଙ୍କ ପାଇଁ ଶିକ୍ଷାର ମୂଲ୍ୟ କିଛି ନଥାଏ । ପାଠପଢ଼ିବାକୁ ଇଚ୍ଛା ଥିଲେ ବି ମନ ଭିତରେ ପରିବାରର ଛବି ଆସିଯାଏ । ବାଧ୍ୟହୁଏ ପରଘରେ କାମ କରିବାକୁ । ଯିଏ ଦିନେ ସ୍କୁଲବ୍ୟାଗ ପିନ୍ଧି ସ୍କୁଲକୁ ଯିବାର ସ୍ୱପ୍ନ ଦେଖୁଥିଲା , ଆଜି ସେ ଚାଷ ଜମିରେ ଧାନ କାଟୁଛି । ଏପରିକି ସଂଭ୍ରାନ୍ତ ବ୍ୟକ୍ତବିଶେଷ ଶିଶୁ ଶ୍ରମିକ ମାନଙ୍କୁ ଶୋଷଣ କରିବାକୁ ବି ପଛଘୁଂଚା ଦେଉନାହାନ୍ତି । କାରଣ ଶିଶୁର ଭବିଷ୍ୟତ ଅପେକ୍ଷା ସେମାନଙ୍କୁ ତାଙ୍କର ଆର୍ଥିକ ପରିସ୍ଥିତିକୁ ବଢ଼ାଇବା ହିଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଅନେକ ସ୍ଥାନରେ ଶିଶୁ ମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବାର ଚିତ୍ର ବି ଦେଖିବାକୁ ମିଳିଛି । କୋମଳମତି ବୟସରେ ଶିଶୁ ମାନଙ୍କ ସହ ଏପରି କଲେ ଶିଶୁର ମନୋବଳ ଭାଙ୍ଗିଯାଏ । ଶିଶୁ ନିରୂପାୟ ହୋଇ ଆହୁରି କୁସôିତ କାମ କରିବାକୁ ବାଧ୍ୟ ହୁଏ । ସତରେ ଏ ମର୍ମବେଦନାରର ପ୍ରକୃତ ଅନୁଭବୀ ହିଁ ସେ ଶିଶୁ ।

ହାତରେ ବହିବସ୍ତାନି ଧରି ଶିଶୁଟିଏ ଯିବାର ଚିତ୍ର ଆଉ କାରଖାନା କି କ୍ଷେତରେ ଶିଶୁଟିଏ କାମ କରିବାର ଚିତ୍ର – ଏଦୁଇଟିକୁ ତୁଳନାତ୍ମକ ଭାବେ ଲକ୍ଷ୍ୟ କଲେ ଆମେ ବୁଝିପାରିବା ଯେ ଆଜିର ସମାଜରେ ଶିଶୁ ଶ୍ରମିକଟିଏ କେତେ ଦୁଃଖରେ ଜୀଉଁଛି । ପ୍ରତି ମୁହୂର୍ତ୍ତରେ ବଂଚିବା ପାଇଁ ଅବିରତ ସଂଗ୍ରାମ କରିଚାଲିଛି । ମନରେ ପାଠପଢ଼ିବାର ଇଚ୍ଛା ଥିଲେ ବି ଅର୍ଥାଭାବ ସେମାନଙ୍କୁ ଶ୍ରମିକ ବା ମୁଲ ଲାଗିବାକୁ ବାଧ୍ୟ କରୁଛି । ସରକାରଙ୍କ ଆଇନରେ ଏସବୁ ଅପରାଧ ହୋଇଥିଲେ ବି ଏକଥାକୁ କାହାର ଖାତିର ନାହିଁ । ବିନା ଚିନ୍ତାରେ ଶିଶୁ ଶ୍ରମିକ ମାନଙ୍କୁ କାମରେ ଲଗାଉଛନ୍ତି ବ୍ୟବସାୟିକ ପ୍ରତିଷ୍ଠାନ । ଏସବୁ ନିୟମ କେବଳ ଧର୍ମକୁ ଆଖିଠାର ପରି ।

କେହି କେବେ ଏମାନଙ୍କ କଥା ଚିନ୍ତା କରିବାକୁ ସମୟ ଖୋଜନ୍ତି ନାହିଁ । ଶ୍ରମିକ ଦିବସ ଆସିଲେ ମନେ ପଡ଼େ ଶ୍ରମିକ ମାନଙ୍କ କଥା । କିନ୍ତୁ ଶିଶୁ ଶ୍ରମିକ ବର୍ଷକ ବାରମାସ ଯେଉଁ କଷ୍ଟ କରେ , ଯନ୍ତ୍ରଣା ପାଏ ତାହାକୁ କେହି କେବେ ଅନୁଭବ କରିପାରିବେ ନାହିଁ । ନିଜ ବାବୁ ହାକିମ ଠାରୁ କାମ ନକଲେ ସେ ଗାଳି ଶୁଣେ । ମାଡ଼ ବି ଖାଏ । ବିନା କାରଣରେ ଅପମାନ ବି ପାଏ । ହେଲେ ସବୁ ଶୁଣି ମୁଣ୍ଡପାତି ସହିନେଇ ପୁଣିଥରେ ପରଦିନ କାମକୁ ବାହାରିଯାଏ । ଏହା ତ ସେମାନଙ୍କ ନିତିଦିନିଆ କାମ । ମୁହଁରେ ଜବାବ ଦେବାର ସାହସ ନଥାଏ । ଆଖି ଉଠେଇ କଥା କହିବାକୁ ପାଟି ବି ଖୋଲେନି । ସବୁସମୟରେ ନିଜ କାନମୁଣ୍ଡା ଆଉଁସି ବସିପଡ଼ନ୍ତି ଏମାନେ । ନିଷ୍ଠୁର ହୃଦୟଧାରୀ ବ୍ୟକ୍ତି ଏମାନଙ୍କ ନିଷ୍ପାପ ମନ ଉପରେ ରାଜ କରନ୍ତି ।

ସମୟ ଆସିଛି ଏ ଶିଶୁ ଶ୍ରମିକ ଶବ୍ଦର ଅନ୍ତ କରିବାର । ଶିଶୁ ମୁହଁରେ ହସ ଫୁଟେଇବାର । ଶିଶୁଟିଏ ବଡ଼ ହୋଇ ସ୍କୁଲ ଯିବ , କ୍ଷେତକୁ ନୁହଁ । କାନ୍ଧରେ ସ୍କୁଲ ବ୍ୟାଗ ଓଳେଇବ , ହାତୁଡ଼ି କି ଦା ନୁହେଁ । ଆମ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ । ଶିଶୁ ମାନଙ୍କୁ ସୁରକ୍ଷା ଦେବା ଆମ କର୍ତ୍ତବ୍ୟ ହେବା ଦରକାର । ରାଷ୍ଟ୍ରର ପ୍ରମୁଖ ଉପାଦାନ ଶିଶୁ । ଶିଶୁ ହସିଲେ ରାଷ୍ଟ୍ର ହସିବ । ଆଜିର ଶିଶୁ କାଲିର ଭବିଷ୍ୟତ ।

Leave A Reply